ଏନ୍‌ ଡି ତିଓ୍ଵାରୀଙ୍କ ପୁଅ ରୋହିତ ଶେଖରଙ୍କ ହତ୍ୟା ଅଭିଯୋଗରେ ପତ୍ନୀ ଅପୂର୍ବା ଗିରଫ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌ଡି ତିଓ୍ଵାରୀଙ୍କ ପୁଅ ରୋହିତ ଶେଖରଙ୍କୁ ହତ୍ୟା ଅଭିଯୋଗରେ ଦିଲ୍ଳୀ ପୁଲିସ୍‌ ତାଙ୍କ ପତ୍ନୀ ଅପୂର୍ବାଙ୍କୁ ଗିରଫ କରିଛି। ଦିଲ୍ଳୀ ପୁଲିସ୍‌ର କ୍ରାଇମ୍‌ ବ୍ରାଞ୍ଚ୍‌ ଅପୂର୍ବାଙ୍କୁ ପଚରାଉଚରା କରିବାରୁ କିଛି ତଥ୍ୟ ହାତକୁ ଆସିଛି। ଜାଣିବାକୁ ମିଳିଛି ଯେ ରୋହିତଙ୍କ ମୃତ୍ୟୁର କିଛି ସମୟ ପୂର୍ବରୁ ତାଙ୍କ ପତ୍ନୀ ଅପୂର୍ବା ରୋହିତଙ୍କ ରୁମ୍‌କୁ ଯାଇଥିଲେ। ଏକଥା ସେ ନିଜେ ସ୍ୱୀକାର କରିଛନ୍ତି। ମାତ୍ର ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିଥିବା କଥା ଅପୂର୍ବା ଅସ୍ୱୀକାର କରିଛନ୍ତି। ତାଙ୍କ କହିବା କଥା ହେଲା, ରୋହିତଙ୍କ ମୃତ୍ୟୁ ରାତିରେ ସେ କିଛି ସମୟ ପାଇଁ ତାଙ୍କ ସହ ଥିଲେ। ତା’ପରେ ସେ ନିଜ ରୁମ୍‌କୁ ପଳାଇ ଆସିଥିଲେ। ସେ ଆସିବା ପରେ ରୋହିତଙ୍କ ରୁମ୍‌କୁ କିଏ ଗଲା ଓ ତାଙ୍କ ହତ୍ୟା କିଏ କଲା ସେକଥା ସେ ଜାଣନ୍ତି ନାହିଁ ବୋଲି ପୁଲିସ୍‌କୁ କହିଛନ୍ତି।

ପୁଲିସ୍‌ ସିସିଟିଭି ଫୁଟେଜ୍‌ରୁ ଜାଣିବାକୁ ପାଇଛି ଯେ ରୋହିତଙ୍କ ଘରେ ତାଙ୍କ ମୃତ୍ୟୁ ଦିନ ତାଙ୍କ ପତ୍ନୀ, ଭାଇ ସିଦ୍ଧାର୍ଥ, ଗୋଲୁ, ଗୋଲୁର ପତ୍ନୀ ଓ ତିନି ପିଲା, ଚାକର, ଚାକରାଣୀ ଓ ଡ୍ରାଇଭର୍‌ ଉପସ୍ଥିତ ଥିଲେ। ଫୁଟେଜ୍‌ରୁ ଜାଣିବାକୁ ମିଳିଛି ଯେ ରୋହିତଙ୍କ ଭାଇ ଗୋଲୁ ଏବଂ ଚାକରାଣୀ ସେହି ରାତିରେ ରୋହିତ ରହୁଥିବା ମହଲାକୁ ଯାଇ ନ ଥିିଲେ। ସେହିପରି ଗୋଲୁଙ୍କ ପତ୍ନୀ ଓ ତାଙ୍କ ପିଲାମାନେ ଭିନ୍ନ ଏକ ମହଲାକୁ ଯାଇଥିଲେ। ସେମାନେ ତା’ପରଦିନ ତଳକୁ ଆସିଥିଲେ। ଏଥିପାଇଁ ପୁଲିସ୍‌ ସନ୍ଦେହରେ ରହିଛନ୍ତି ସିଦ୍ଧାର୍ଥ, ତାଙ୍କ ଘର ଚାକରାଣୀ ଓ ପତ୍ନୀ ଅପୂର୍ବ।

www.indiatoday.in

ଉଲ୍ଲେଖଯୋଗ୍ୟ, ହାଇପ୍ରୋଫାଇଲ୍‌ ରାଜନେତା ଏନଡି ତିଓ୍ଵାରୀଙ୍କ ପୁଅ ରୋହିତ ଶେଖରଙ୍କ ହତ୍ୟା ମଙ୍ଗଳବାର ହୋଇଥିବା ବେଳେ ଏହା ସଭିଙ୍କୁ ଚକିତ କରିଛି। ପ୍ରଥମରୁ ହୃଦ୍‌ଘାତ ହେତୁ ତାଙ୍କର ମୃତ୍ୟୁ ଘଟିଛି ବୋଲି ସନ୍ଦେହ କରାଯାଉଥିଲା। ମାତ୍ର ପରେ ଶରୀର ବ୍ୟବଚ୍ଛେଦ ରିପୋର୍ଟରୁ ତାଙ୍କ ଗଳା ଚାପି ତାଙ୍କର ହତ୍ୟା କରାଯାଇଛି ବୋଲି ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର