ଅଢ଼େଇ ମାସର ବୋହୂକୁ ତଣ୍ଟିଚିପି ହତ୍ୟା : ଅଭିଯୁକ୍ତ ସ୍ୱାମୀ ଅଟକ

ବାରଙ୍ଗ : ଯୌତୁକ ବାବଦରେ ଅଧିକ ୨ ଲକ୍ଷ ଟଙ୍କା ଦାବି କରି ବିଫଳ ହେବା ପରେ ମାତ୍ର ଅଢ଼େଇ ମାସର ବୋହୂକୁ ଶ୍ୱଶୁର ଘର ଲୋକେ ତଣ୍ଟି ଚିପି ହତ୍ୟା କରିଛନ୍ତି। ଏମିତି ଏକ ସଂଗିନ୍‌ ଅଭିଯୋଗ ପରେ ଆଜି ନନ୍ଦନକାନନ ଥାନା ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖି ପଚରାଉଚରା କରୁଛି। ମୃତକ ହେଲେ ଖଣ୍ଡଗିରି ଥାନା ବରମୁଣ୍ଡା ଗାଁର କୈଳାସଚନ୍ଦ୍ର ସ୍ୱାଇଁଙ୍କ ଝିଅ ତଥା ବାରଙ୍ଗ ଗଣ୍ଡରପୁର ବ୍ରାହ୍ମଣସାହିର ବାଉରୀବନ୍ଧୁ ସାସମଲଙ୍କ ବଡ଼ ପୁଅ ପ୍ରାଣକୃଷ୍ଣଙ୍କ ସ୍ତ୍ରୀ ସଂଯୁକ୍ତା ଓରଫ୍‌ ଶକୁନ୍ତଳା ଓରଫ୍‌ ରାନୁ। ପୁଲିସ ଶବ ବ୍ୟବଚ୍ଛେଦ କରାଇ ବାପଘର ଲୋକଙ୍କୁ ହସ୍ତାନ୍ତର କରିବା ପରେ ମାମଲାର ଅଧିକ ଛାନ୍‌ଭିନ୍‌ ଜାରି ରଖିଛି।

ମୃତକ ରାନୁଙ୍କ ବାପା କୈଳାସଙ୍କ ଅଭିଯୋଗ ଅନୁସାରେ ଚଳିତ ବର୍ଷ ଏପ୍ରିଲ୍‌ ୨୦ ତାରିଖରେ ସେ ତାଙ୍କ ଝିଅକୁ ପ୍ରାଣକୃଷ୍ଣଙ୍କ ସହ ବୈଦିକ ରୀତିରେ ବିବାହ ଦେଇଥିଲେ। ବିବାହ ସମୟରେ ସେ ବିଭିନ୍ନ ସାମଗ୍ରୀ ସହ ଦେଢ଼ ଲକ୍ଷ ଟଙ୍କା ମଧ୍ୟ ଦେଇଥିଲେ। କିନ୍ତୁ ମାତ୍ର ଦିନ କେଇଟା ପରେ ଶ୍ୱଶୁର ଘର ଲୋକେ ରାନୁ ଉପରେ ଅକଥନୀୟ ନିର୍ଯାତନା ଆରମ୍ଭ କରି ଦେଇଥିଲେ। ବାପଘରୁ ଆହୁରି ୨ ଲକ୍ଷ ଟଙ୍କା ଆଣିବାକୁ ରାନୁ ଉପରେ ଚାପ ପକାଉଥିଲେ। ଏମିତିକି ପ୍ରାଣକୃଷ୍ଣ ରାନୁଙ୍କୁ ମାରଧର୍‌ କରିଥିଲା। ଶ୍ୱଶୁର ଘର ଲୋକଙ୍କଠାରୁ ବାରମ୍ବାର ହତ୍ୟା ଧମକ ପାଇବା ପରେ ଭୟରେ ରାନୁ ବାପଘରକୁ ଚାଲି ଆସିଥିଲେ। ଗତ ୫ ତାରିଖରେ କୈଳାସ ପୁଣି ରାନୁଙ୍କୁ ଶ୍ୱଶୁର ଘର ପଠାଇଥିଲେ। ଅନିଚ୍ଛା ସତ୍ୱେ ରାନୁ ଶ୍ୱଶୁର ଘରକୁ ଯାଇଥିଲେ। ବାପା କୈଳାସଙ୍କ ବିଶ୍ୱାସ ନଥିଲା ଯେ ସତକୁ ସତ ସେ ତାଙ୍କ ଝିଅକୁ ମରଣମୁହଁକୁ ଠେଲି ଦେଇଛନ୍ତି। ଆଜି ପ୍ରାଣକୃଷ୍ଣ କୈଳାସଙ୍କୁ ଫୋନ୍‌ କରି ତାଙ୍କ ଝିଅ ମରି ଯାଇଛି ଓ ସେମାନେ କିମ୍‌ସ ହସ୍ପିଟାଲରେ ଅଛନ୍ତି ବୋଲି କହିଥିଲା। ଖବର ପାଇ କୈଳାସ ଓ ତାଙ୍କ ସମ୍ପର୍କୀୟମାନେ କିମ୍‌ସ ହସ୍ପିଟାଲରେ ପହଞ୍ଚିବାବେଳକୁ ସଂଯୁକ୍ତାଙ୍କ ମୃତ୍ୟୁ ଘଟିସାରିଥିଲା। ତାଙ୍କ ନାକରେ କ୍ଷତ ଚିହ୍ନ ଥିବାବେଳେ ତଣ୍ଟିରେ କଳା ଦାଗ ଥିଲା। ସେହିଭଳି ଦେହର ବିଭିନ୍ନ ସ୍ଥାନରେ ମାଡ଼ ଚିହ୍ନ ମଧ୍ୟ ଦେଖିବାକୁ ମିଳିଥିଲା। ସଂଯୁକ୍ତାଙ୍କୁ ମାଡ଼ ମାରିବା ସହ ତଣ୍ଟି ଚିପି ହତ୍ୟା କରିଛନ୍ତି ବୋଲି କୈଳାସ ଅଭିଯୋଗ କରିଥିଲେ। ଖବର ପାଇ ନନ୍ଦନକାନନ ଥାନା ପୁଲିସ ହସ୍ପିଟାଲରେ ପହଞ୍ଚି ସେଠାରୁ ପ୍ରାଣକୃଷ୍ଣକୁ ଧରି ଥାନାକୁ ନେଇଥିଲା। ପରେ ସଂଯୁକ୍ତାଙ୍କ ଶବକୁ କ୍ୟାପିଟାଲ ହସ୍ପିଟାଲରେ ବ୍ୟବଚ୍ଛେଦ କରାଯାଇ କୈଳାସଙ୍କୁ ହସ୍ତାନ୍ତର କରାଯାଇଥିଲା। ପୁଲିସ ସୂଚନାନୁସାରେ ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ସଂଯୁକ୍ତାଙ୍କ ମୃତ୍ୟୁକୁ ନେଇ ସ୍ପଷ୍ଟ ଚିତ୍ର ମିଳିଯିବ। ଏଥିରେ ଯଦି ଅନ୍ୟମାନଙ୍କ ସମ୍ପୃକ୍ତି ଥିବା ଜଣାପଡ଼େ, ତେବେ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ। ତେବେ ବାଉରୀବନ୍ଧୁଙ୍କ ପରିବାର ଲୋକେ ଫେରାର୍‌ ହୋଇ ଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର