ନୂଆଦିଲ୍ଲୀର ଡବଲ୍‌ ମର୍ଡର୍‌ର ନୂଆ ଖୁଲାସା , ନାବାଳିକା ସହ ଦୁଷ୍କର୍ମ କରି ଜେଲରେ ଥିଲା ମୁଖ୍ୟ ଅଭିଯୁକ୍ତ

ନୂଆଦିଲ୍ଲୀ:ନୂଆଦିଲ୍ଲୀର ଡବଲ୍‌ ମର୍ଡର୍‌ ଘଟଣାର ନୂଆ ଖୁଲାସା ହୋଇଛି।ଜଣାଶୁଣା ଫେସନ୍ ଡିଜାଇନର ମାୟା ଲଖାନୀଙ୍କ ହତ୍ୟା ଘଟଣାର ନୂଆ କଥା ଏବେ ସାମ୍ନାକୁ ଆସିଛି। ପୁଲିସର ସୂଚନା ଅନୁଯାୟୀ ଅଭିଯୁକ୍ତମାନଙ୍କର ଉଦ୍ଦେଶ୍ୟ ଥିଲା କେବଳ ଲୁଟ୍‌ କରିବା ମାତ୍ର ହତ୍ୟା ହୋଇଗଲା। ଏପରିକି ସେମାନେ ନିଜସାଙ୍ଗରେ ମଦ ବୋତଲ ବି ନେଇଥିଲେ ହେଲେ ଭୟରେ ପିଇ ନଥିଲେ। ମୁଖ୍ୟ ଅଭିଯୁକ୍ତ ଦରଜିର ନାମ ହେଲା ରାହୁଲ ଅନଓ୍ଵର। ସେ କିଛି ମାସତଳେ ପଡ଼ୋଶୀ ଘରର ଏକ ନାବାଳିକା ସହ ଦୁଷ୍କର୍ମ କରି ଏକ ମାସଯାଏଁ ଜେଲରେ ଥିଲା। ପରିବାର ଲୋକଙ୍କ ଅନୁଯାୟୀ ରାହୁଲଙ୍କୁ ଜାମିନରେ ଆଣିବା ଲାଗି ମାୟା ହିଁ ଟଙ୍କା ଦେଇଥିଲେ। ଖାଲି ସେତିକିନୁହେଁ ରାହୁଲକୁ ଫେସନ୍ ଡିଜାଇନର ମାୟା ଲଖାନୀ ଏକ ଲକ୍ଷେ ଟଙ୍କିଆ ବାଇକ୍‌ ବି ଦେଇଥିଲେ। ଏଣେ ରାହୁଲର ମାଆ ଥାନାକୁ ଯାଇ କହୁଛନ୍ତି ଯେ ତାଙ୍କ ପୁଅ ନିର୍ଦ୍ଦୋଷ। କିନ୍ତୁ ପୁଲିସର ସୂଚନା ମୁତାବକ ଅଭିଯୁକ୍ତ ରାହୁଲ ସମେତ ଅନ୍ୟ ଦୁଇଜଣ ଥାନାରେ ଆତ୍ମସମର୍ପଣ କରିଥିଲେ ।

ଏଠାରେ ସୂଚନାଯୋଗ୍ୟ ଯେ ମାୟା ଲଖାନୀ ଓ ତାଙ୍କ ଘରେ ଚାକର ଭାବେ କାମ କରୁଥିବା ଜଣେ ଲୋକର ମୃତ ଦେହ ପୁଲିସ ଉଦ୍ଧାର କରିଥିଲା।ମାୟା ଲଖାନୀଙ୍କ ବୟସ ୫୩ ବର୍ଷ ଓ ତାଙ୍କ ଘରେ କାମ କରୁଥିବା ବାହାଦୁରର ବୟସ ୫୦ ବର୍ଷ। ଏ ଦୁହିଁଙ୍କୁ ବୁଧବାର ରାତିରେ ହତ୍ୟା କରାଯାଇଥିଲା। ପୁଲିସ ଭୋର ୩ଟା ସମୟରେ ମୃତ ଦେହ ଉଦ୍ଧାର କରିଥିଲା। ଏହି ହତ୍ୟା ଘଟଣାରେ ପୁଲିସ ଜଣେ ଦରଜି ଓ ତା’ର ଦୁଇ ଜଣ ସହଯୋଗୀଙ୍କୁ ଗିରଫ କରିଥିଲା।


ଅଭିଯୁକ୍ତ ଦରଜି ରାହୁଲ ସ୍ୱୀକାର କରିଥିଲା ଯେ ମାୟା ଲଖନୀଙ୍କ ଉପରେ ତାର ବହୁତ ଟଙ୍କା ଥିଲା,ମାତ୍ର ମାୟା ତାହା ତାଙ୍କୁ ଦେଉନଥିଲା। ଅନେକଥର ସେ ଅନୁରୋଧ କରିଥିଲେ ବି ତା କଥା ଶୁଣି ନଥିଲେ ମାୟା। ଏଣୁ ସେ ତାର ଦୁଇ ସାଙ୍ଗ ସହିତ ମିଶି ଏହି ହତ୍ୟାକାଣ୍ଡ ଘଟାଇଛି ବୋଲି ଦରଜି ରାହୁଲ କହିଥିଲା।

ସମ୍ବନ୍ଧିତ ଖବର