ଫେସବୁକ୍‌ ପ୍ରେମିକ ପାଇଁ ବିବାହର ୧୦ମ ଦିନରେ ସ୍ୱାମୀଙ୍କୁ ହତ୍ୟା କଲା ନବବଧୂ

ବିଜୟନଗରମ: ସୋସିଆଲ ମିଡିଆ‘ଫେସ ବୁକ୍‌’ମାଧ୍ୟମରେ ବନ୍ଧୁତା। ଏହି ବନ୍ଧୁତାରୁ ପ୍ରେମ ସମ୍ପର୍କ। ଆଉ ଏହି ପ୍ରେମକୁ ସାକାର କରିବାକୁ ଯାଇ ଜଣେ ଯୁବତୀ ବିବାହର ପ୍ରଥମ ଦିନରୁ ସ୍ୱାମୀଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର ରଚିଲେ। କେବଳସେତିକି ନୁହେଁ, ଯୁବତୀ ତାଙ୍କ ଫେସ୍‌ବୁକ୍‌ ବୟଫ୍ରେଣ୍ଡଙ୍କ ସହିତ ମିଶି ବିବାହର ୧୦ମ ଦିନରେ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିଛନ୍ତି। ଏପରି ଏକ ଘଟଣା ଜଣା ପଡ଼ିବା ପରେ ପୁଲିସ ଯୁବତୀ ଓ ତାଙ୍କ ଫେସବୁକ୍‌ ବୟଫ୍ରେଣ୍ଡଙ୍କୁ ଗିରଫ କରିଛି।

ବିଜୟନଗରମ୍‌ ପୁଲିସ ଅଧିକ୍ଷକ ପି ପାଲା ରାଜୁଙ୍କ ଠାରୁ ପ୍ରକାଶ ଯେ ଯମୁକା ଶଙ୍କର ରାଓ ୧୦ ଦିନ ତଳେ ତାଙ୍କ ସମ୍ପର୍କୀୟା ସରସ୍ୱତୀଙ୍କୁ ବିବାହ କରିଥିଲେ। ଯମୁକା ଶଙ୍କର ରାଓ ଜଣେ ଇଞ୍ଜିନିୟର ହୋଇଥିିବା ବେଳେ ଏକ ଘରୋଇ କମ୍ପାନିରେ ସେ କାର୍ଯ୍ୟ କରନ୍ତି। ତେବେ ସରସ୍ୱତୀ ବିଶାଖାପାଟଣାରେ ପଢ଼ୁଥିବା ବେଳେ ଗତବର୍ଷ ଜଣେ ଯୁବକଙ୍କ ସହିତ ଫେସବୁକ୍‌ ଜରିଆରେ ବନ୍ଧୁୁତା ସ୍ଥାପନ କରିଥିଲେ। ଶିବା ନାମକ ଏହି ଯୁବକଙ୍କ ସହିତ ସରସ୍ୱତୀ ରହିବାକୁ ଓ ବିବାହ କରିବାକୁ ଚାହୁଁଥିବା ବେଳେ ତାଙ୍କ ପରିବାର ଯମୁକା ଶଙ୍କର ରାଓଙ୍କ ସହିତ ବିବାହ କରି ଦେଇଥିଲେ। ଏହି ବିବାହରେ ଖୁସି ନ ଥିଲେ ସରସ୍ୱତୀ। ତେଣୁ ସୋମବାର ଦିନ ଅର୍ଥାତ୍‌ ବିବାହର ୧୦ମ ଦିନ ସରସ୍ୱତୀ କିଛିି ସାମଗ୍ରୀ କିଣିବା ବାହାନାରେ ଯମୁକା ଶଙ୍କରଙ୍କୁ ଧରି ବଜାରକୁ ଯାଇଥିଲେ। ମାତ୍ର ତା ପୁର୍ବରୁ ସେ ତାଙ୍କ ବୟଫ୍ରେଣ୍ଡ ଶିବାଙ୍କ ସହିତ ମୋବାଇଲ ଫୋନରେ ଯୋଗାଯୋଗ କରି ଯମୁକା ଶଙ୍କରଙ୍କୁ ହତ୍ୟା କରିବା ପାଇଁ ଯୋଜନା ପ୍ରସ୍ତୁତ କରି ସାରିଥିଲେ।

ଏହି ଷଡଯନ୍ତ୍ର ସମ୍ପର୍କରେ ସମ୍ପୂର୍ଣ୍ଣ ଅଜ୍ଞାତ ଥିଲେ ଯମୁକା ଶଙ୍କର। ନବବଧୁଙ୍କୁ ଖୁସି କରିବା ପାଇଁ ସେ ତାଙ୍କୁ ନେଇ ବଜାର ଯାଇଥିଲେ। ଫେରିବା ବାଟରେ ତୋଟାପଲ୍ଲୀ ଗାଁ ନିକଟରେ ଏକ ନିଛାଟିଆ ସ୍ଥାନ ଦେଖି ସରସ୍ୱତୀ ତାଙ୍କ ସ୍ୱାମୀଙ୍କୁ ଗାଡ଼ି ଅଟକାଇବା ପାଇଁ କହିଥିଲେ। ପରେ ପରିସ୍ରା କରିବାକୁ ଯାଉଛନ୍ତି କହି ଏକ ବୁଦା ଆଢ଼ୁଆଳକୁ ସରସ୍ୱତୀ ଚାଲିିଯିବା ପରେ ୩ ଜଣ ଯୁବକ ଅଟୋରେ ଆସି ସେଠାରେ ପହଞ୍ଚି ଯମୁକା ଶଙ୍କର ରାଓଙ୍କୁ ମୁଣ୍ଡକୁ ରଡ୍‌ ଯୋଗେ ପିଟି ହତ୍ୟା କରି ଫୋରର ହୋଇ ଯାଇଥିଲେ। ଯମୁକାଶଙ୍କର ରାଓ ମରଯିବା ଜାଣି ତାଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ପାଖରେ ସରସ୍ୱତୀ ପହଞ୍ଚିଥିଲେ। ଆଉ ନିଜର ସମସ୍ତ ଅଳଙ୍କାର ନିଜ ଅନ୍ତବସ୍ତ୍ର ମଧ୍ୟରେ ଛୁପାଇ ଦେବା ସହିତ ହାତରେ ଥିବା ଚୁଡ଼ି ଭାଙ୍ଗି ଦେଇ ସାହାଯ୍ୟ ପାଇଁ ପାଟି କରିଥିଲେ। ଖବର ପାଇ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ପ୍ରଥମେ ଲୁଟ୍‌ ଉଦ୍ଦେଶ୍ୟରେଏହି ହତ୍ୟାକାଣ୍ଡ ନେଇ ପୁଲିସ ତଦନ୍ତ କରି ସରସ୍ୱତୀଙ୍କୁ ପଚରାଉଚରା କରିଥିଲା। ମାତ୍ର ସରସ୍ୱତୀଙ୍କ କଥାରେ ତାଳମେଳ ନ ରହିବାରୁ ପୁଲିସ ତାଙ୍କୁ ସନ୍ଦେହ କରି ପଚରାଉଚରା କରିବାରୁ ସେ ସମସ୍ତ କଥା ମାନି ଯାଇଥିଲେ। ସରସ୍ୱତୀ ମୋବାଇଲ ମାଧ୍ୟମରେ ସେମାନଙ୍କ ଅବସ୍ଥିତି ସମ୍ପର୍କରେ ଶିବାଙ୍କୁ ସୂଚନା ଦେଉଥିଲେ ଓ ଶିବା ଯମୁକା ଶଙ୍କର ରାଓଙ୍କୁ ହତ୍ୟା କରିବା ପାଇଁ ବ୍ୟବସ୍ଥା କରିଥିଲେ।

ସମ୍ବନ୍ଧିତ ଖବର