ଲକ୍ଷ୍ମୀଦତ୍ତ ହତ୍ୟା ମାମଲା: ଗୋଲକଙ୍କୁ ପୁଲିସ ସମନ୍‌

ବ୍ରହ୍ମପୁର/ଛତ୍ରପୁର: ଛତ୍ରପୁର ଏନ୍‌ଏସି ବିଜେଡି କାଉନସିଲର୍‌ ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାରେ ବରିଷ୍ଠ ବିଜେପି ନେତା ତଥା ଗଂଜାମ ଜିଲ୍ଲା ପ୍ରଭାରୀ ଗୋଲକ ମହାପାତ୍ରଙ୍କୁ ପଚରାଉଚରା ପାଇଁ ପୁଲିସ ନୋଟିସ୍‌ କରିଛି। ଛତ୍ରପୁର ପୁଲିସ ପକ୍ଷରୁ ଗୋଲକଙ୍କୁ ଆସନ୍ତାକାଲି ମଧ୍ୟାହ୍ନ ସୁଦ୍ଧା ହାଜର ହେବାଲାଗି କୁହାଯାଇଛି। ଛତ୍ରପୁର ଏସ୍‌ଡିପିଓ ରମେଶ ଚନ୍ଦ୍ର ସେଠୀ ଏହି ସୂଚନା ଦେଇଛନ୍ତି। ମାମଲାର ମାଷ୍ଟରମାଇଣ୍ଡ ତଥା ଜିଲ୍ଲା ବିଜେପି ସଂପାଦକ କୃଷ୍ଣଚନ୍ଦ୍ର ନାୟକ ଓ ତାଙ୍କ ସହଯୋଗୀ ଦୁର୍ଯ୍ୟୋଧନ ରେଡ୍ଡୀ ପଚରାଉଚରା ବେଳେ ଗୋଲକଙ୍କ ସହ ଫୋନ୍‌ ଯୋଗେ କଥାବାର୍ତା କରିଥିବା ସ୍ୱୀକାର କରିଥିଲେ।
ଇତିମଧ୍ୟରେ ଗୋଲକ ମହାପାତ୍ରଙ୍କୁ ଗିରଫ ଦାବି କରିଛି ବିଜେଡି। ଆଜି ଗଂଜାମ ଜିଲ୍ଲା ଯୁବ ବିଜେଡି ନେତୃତ୍ୱରେ ବ୍ରହ୍ମପୁର ପୁଲିସ ରେଞ୍ଜ ଆଇଜି କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଜିଲ୍ଲା ଯୁବ ସଭାପତି ଏନ.ଧନଞ୍ଜୟ ରାଓଙ୍କ ନେତୃତ୍ୱରେ ବିକ୍ଷୋଭ ଓ ଧାରଣାରେ ବ୍ରହ୍ମପୁର ବିଧାୟକ ଡା.ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଛତ୍ରପୁର ବିଧାୟକ ଡା.ପ୍ରିୟାଂଶୁ ପ୍ରଧାନ, ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ମେୟର କେ.ମାଧବୀ ପ୍ରମୁଖ ସାମିଲ ହୋଇଥିଲେ।
ସେପଟେ ଲକ୍ଷ୍ମୀଦତ୍ତ ହତ୍ୟା ମାମଲାରେ ଗିରଫ ମୁଖ୍ୟ ଷଡ଼ଯନ୍ତ୍ରକାରୀ ବିଜେପି ଜିଲ୍ଲା ସଂପାଦକ କୃଷ୍ଣ ନାୟକ ଓ ଏନ୍‌ ଦୁର୍ଯ୍ୟୋଧନ ରେଡ୍ଡିଙ୍କୁ ପୁଲିସ ଆଜି ଠାରୁ ୭ ଦିନିଆ ରିମାଣ୍ଡରେ ନେଇଛି। ରିମାଣ୍ଡ ସମୟରେ ଜେରାରୁ ପୁଲିସ ହତ୍ୟାକାଣ୍ଡ ସଂପର୍କିତ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିବା ଆଶା ରହିଛି ବୋଲି ଗଞ୍ଜାମ ଅତିରିକ୍ତ ଏସ୍‌ପି ଅଜେୟ ପ୍ରତାପ ସ୍ୱାଇଁ ସୂଚନା ଦେଇଛନ୍ତି। ପୂର୍ବରୁ ଲକ୍ଷ୍ମୀଦତ୍ତ ହତ୍ୟା ମାମଲାରେ ୧୫ଜଣ ଗିରଫ ହୋଇଥିଲେ। କୃଷ୍ଣ ଓ ଦୁର୍ଯ୍ୟୋଧନଙ୍କୁ ମିଶାଇ ଗିରଫ ସଂଖ୍ୟା ୧୭ରେ ପହଞ୍ଚିଛି। ସିସିଟିଭି ଫୁଟେଜ୍‌ରେ ଥିବା ଅନ୍ୟ ଜଣେ ଅଭିଯୁକ୍ତ ଛୋଟୁ ସେଠୀଙ୍କ ସମେତ ୫ଜଣ ଅଭିଯୁକ୍ତଙ୍କୁ ବର୍ତ୍ତମାନ ସୁଦ୍ଧା ଗିରଫ କରା ଯାଇପାରି ନାହିଁ ।

ସମ୍ବନ୍ଧିତ ଖବର