ଓଏଏସ୍‌ ଅଫିସରଙ୍କ ମୋବାଇଲ୍‌ ଛଡ଼ାଇ ଯୁବକ ଗିରଫ

ଭୁବନେଶ୍ୱର: ଜଣେ ଓଏଏସ୍‌ ଅଫିସରଙ୍କ ମୋବାଇଲ୍‌ ଛଡ଼ାଇବା ଓ ତାଙ୍କୁ ଧମକାଇବା ଅଭିଯୋଗରେ ଖାରବେଳନଗର ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ସେ ହେଲା ଶାନ୍ତିପଲ୍ଲୀ ଅଞ୍ଚଳର ଦୀପକ କୁମାର ରାଉତରାୟ। ଗୁରୁବାର ସନ୍ଧ୍ୟା ସମୟରେ ଓଏଏସ୍‌ ଅଫିସର ସନ୍ନ୍ୟାସ ବେହେରା ଖାରବେଳନଗରରୁ କଳ୍ପନା ଯିବା ପାଇଁ ବସ୍‌କୁ ଅପେକ୍ଷା କରିଥିଲେ। ଏହି ସମୟରେ ଦୀପକ ସନ୍ନ୍ୟାସଙ୍କ ନିକଟରେ ପହଞ୍ଚି କୁଆଡ଼େ ଯିବେ ବୋଲି ପଚାରିଥିଲା। ସନ୍ନ୍ୟାସଙ୍କ କଳ୍ପନା ଯିବା କଥା ଜାଣିବା ପରେ ଦୀପକ ତାଙ୍କୁ ଛାଡ଼ିଦେବ କହି ବାଇକ୍‌ରେ ବସାଇଥିଲା। ସନ୍ନ୍ୟାସ ବାଇକ୍‌ରେ ବସିବା ପରେ ଦୀପକ ତାଙ୍କୁ ଅନ୍ୟ ଏକ ସ୍ଥାନକୁ ନେଇ ତାଙ୍କ ମୋବାଇଲ୍‌ ଛଡ଼ାଇ ନେଇଥିଲା। ସନ୍ନ୍ୟାସଙ୍କ ପହଞ୍ଚିବାରେ ବିଳମ୍ବ ହେବାରୁ ତାଙ୍କ ପତ୍ନୀ ଫୋନ୍‌ କରିଥିଲେ। ଦୀପକ ସନ୍ନ୍ୟାସଙ୍କ ପତ୍ନୀଙ୍କ ଫୋନ୍‌ ରିସିଭ୍‌ କରି ଗାଳିଗୁଲଜ କରିଥିଲା। ଏହାଛଡ଼ା ସେ ସନ୍ନ୍ୟାସଙ୍କୁ ମଧ୍ୟ ଧମକାଇ ଗାଳିଗୁଲଜ କରିିଥିଲା। ଏ ନେଇ ସନ୍ନ୍ୟାସଙ୍କ ପତ୍ନୀ ପୁଲିସକୁ ଫୋନ୍‌କରି ଘଟଣା ବିଷୟରେ ଜଣାଇବାରୁ ପୁଲିସର ଏକ ଟିମ୍‌ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସନ୍ନ୍ୟାସଙ୍କୁ ଉଦ୍ଧାର କରିବା ସହ ଦୀପକକୁ ଗିରଫ କରିଥିଲା। ଏନେଇ ପୁଲିସ ଏକ ମାମଲା ରୁଜୁ କରି ଆଜି ଦୀପକକୁ କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର