ମହାରାଷ୍ଟ୍ରରେ ଦୁଷ୍କର୍ମ-ବ୍ଲାକମେଲିଂର ଶିକାର ହେଲେ ଉଚ୍ଚ ଶିକ୍ଷିତ ଓଡ଼ିଆ ଯୁବତୀ, ଥାନାରେ ଏତଲା ପରେ ବି ହେଉନି କାର୍ଯ୍ୟାନୁଷ୍ଠାନ

ବ୍ଲାକମେଲିଂ କରି ୪ଲକ୍ଷ ଟଙ୍କା ହଡ଼ପ କଲା ମଧ୍ୟପ୍ରଦେଶର ଅଭିଯୁକ୍ତ ଯୁବକ

ଭୁବନେଶ୍ୱର: ମହାରାଷ୍ଟ୍ରର ପୁନେ ସହରରେ ଜଣେ ଓଡ଼ିଆ ଯୁବତୀ ଦୁଷ୍କର୍ମ, ବ୍ଲାକମେଲିଂ ଓ ୪ ଲକ୍ଷ ଟଙ୍କା ଲୁଟ୍‌ର ଶିକାର ହୋଇଛନ୍ତି। ଥାନାରେ ଏତଲା ହେବାର ବହୁଦିନ ବିତି ଯାଇଥିଲେ ବି ପୁନେ ପୁଲିସ ମଧ୍ୟପ୍ରଦେଶର ଏହି ଅଭିଯୁକ୍ତ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନାହିଁ। ଫଳରେ ଅଭିଯୁକ୍ତ ବାରମ୍ବାର ବ୍ଲାକମେଲିଂ କରି ପୀଡ଼ିତାଙ୍କୁ ମାନସିକ ଚାପ ଦେଇଚାଲିଛି।

ଅଭିଯୋଗ ଅନୁସାରେ ଭୁବନେଶ୍ୱରର ଏକ ଘରୋଇ ଇଂଜିନିୟରିଂ କଲେଜରୁ ପାସ୍‌ କରିବା ପରେ ଓଡ଼ିଆ ଯୁବତୀ ଜଣକ ପୁନେର ଏକ ମଲ୍‌ଟି ନ୍ୟାସନାଲ କଂପାନିରେ କାମ କରୁଥିଲେ। ସମାନ କଂପାନିରେ କାମ କରୁଥିବା ଶାର୍ଦୁଲ ବିକ୍ରମ ସିଂ ନାମକ ଜଣେ ଯୁବକ ସହ ଫେସବୁକରୁ ତାଙ୍କର ବନ୍ଧୁତା ଆରମ୍ଭ ହୋଇଥିଲା। ଏହା ପରେ ପରେ ପୀଡ଼ିତାଙ୍କ ଜୀବନରେ ପ୍ରତାରଣାର କଳା ବାଦଲ ଆରମ୍ଭ ହୋଇ ଯାଇଥିଲା। ଅଣଓଡ଼ିଆ ଯୁବକ ପ୍ରଥମେ ମିଠା କଥା କହି ପୀଡ଼ିତାଙ୍କ ମନରେ ବିଶ୍ୱାସ ଜନ୍ମାଇଥିଲା ତା’ପରେ ସୁଯୋଗ ଦେଖି ଶାରୀରିକ ସଂପର୍କ ରଖିଥିଲା। ପରେ ବ୍ଲାକମେଲିଂ କରି ୪ ଲକ୍ଷ ଟଙ୍କା ହଡ଼ପ କରିଥିଲା।

www.hindustantimes.com

ଅଭିଯୁକ୍ତ ଜଣକ ଦୁଷ୍କର୍ମ ସମୟର ଭିଡିଓ ରେକଡିଂ କରି ପୀଡ଼ିତାଙ୍କୁ ବ୍ଲାକମେଲିଂ କରିବା ସହ ତାଙ୍କ ଠାରୁ ବିଭିନ୍ନ ସମୟରେ ଟଙ୍କା ଲୁଟିବା ଆରମ୍ଭ କରି ଦେଇଥିଲା। ମାତ୍ର ଏତିକିରେ ଶାର୍ଦୁଲର ମନ ଶାନ୍ତି ହୋଇ ନ ଥିଲା। ସମୟ ପାଇଲେ ଶାରୀରିକ ସଂପର୍କ ପାଇଁ ଚାପ ପକାଉଥିଲା ତ କେତେବେଳେ ଅଶ୍ଳୀଳ ମେସେଜ୍‌ ପଠାଇ ମାନସିକ ନିର୍ଯାତନା ଦେଉଥିଲା।

ସହିବାର ସୀମା ଯେତେ ବେଳେ ଅତିକ୍ରମ କରି ସାରିଥିଲା, ପୀଡ଼ିତା ବାଧ୍ୟ ହୋଇ ପୁଲିସର ଆଶ୍ରୟ ନେବାକୁ ମନସ୍ଥ କରିଥିଲେ। ସେଥିପାଇଁ ସେ ଚନ୍ଦନନଗର ଥାନାରେ ଅଭିଯୋଗ କରିଥିଲେ। ସେ ଭାବୁଥିଲେ, ପୁଲିସରେ ଜଣାଇବା ପରେ ଲାଞ୍ଛନାରୁ ବର୍ତ୍ତିଯିିବେ, ଶାର୍ଦୁଲ ନିଜ ଅପକର୍ମ ପାଇଁ ଦଣ୍ଡ ପାଇବ। ହେଲେ ଜାଣି ନ ଥିଲେ, ନ୍ୟାୟ ପାଇଁ ଥାନାରୁ କୋର୍ଟ ପର୍ଯ୍ୟନ୍ତ ତାଙ୍କୁ ଚକ୍କର କାଟିବାକୁ ପଡ଼ିବ। ଶେଷରେ ପୁନେ ସେସନ୍‌ କୋର୍ଟଙ୍କ ନିର୍ଦ୍ଦେଶ ପରେ ପୁଲିସ ମାମଲା ରୁଜୁ କରିଥିଲା।

www.indiatimes.com

ଆଖିର ଲୁହକୁ ପିଇ, ମନର କୋହକୁ ଛାତି ତଳେ ଚାପି ରଖି ନ୍ୟାୟ ପାଇବା ପାଇଁ ଚାହିଁ ବସିଛନ୍ତି ପୀଡ଼ିତା। ବାପା ହୃଦରୋଗୀ ଓ ମାଆଙ୍କୁ ନେଇ ପୀଡ଼ିତା ପୁନେରେ ରହୁଛନ୍ତି। ସେ ଏବେ ଯାହା ଉପାର୍ଜନ କରୁଛନ୍ତି, କୋର୍ଟରେ ଅଧା ଖର୍ଚ୍ଚ ହେଉଛି । ପୁଲିସ କେବଳ ମାମଲା ରୁଜୁ କରି ଚୁପ୍‌ ବସିଥିବା ବେଳେ ଅଭିଯୁକ୍ତ ଖୋଲାରେ ବୁଲୁଛି।

ଅଭିଯୋଗରେ ପୀଡ଼ିତା କହିଛନ୍ତି ଯେ, ଅଭିଯୁକ୍ତ ଶାର୍ଦୁଲର ଘର ମଧ୍ୟପ୍ରଦେଶରେ। ଝିଅଙ୍କୁ ପ୍ରେମ ଫାଶରେ ପକାଇ ବ୍ଲାକମେଲିଂ କରିବା ହେଉଛି ତା’ର ପୁରୁଣା ଅଭ୍ୟାସ। ଦୀର୍ଘ ୧୨ ବର୍ଷ ଧରି ଅନେକ ଝିଅଙ୍କ ସହ ଶାରୀରିକ ସଂପର୍କ ରଖି ବ୍ଲାକମେଲିଂ କରିଥିଲେ ବି କେହି ତା’ର କିଛି କରିପାରିବେନାହିଁ ବୋଲି ପୀଡ଼ିତାଙ୍କୁ ମେସେଜ ଦେଇ କହିଛି।

ମହିଳାଙ୍କୁ ଦୁଷ୍କର୍ମ ଓ ନିର୍ଯାତନା ନେଇ କଠୋଇ ଆଇନ ରହିଥିଲେ ବି ପୀଡ଼ିତାଙ୍କ ବାରମ୍ବାର ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ହେଉ ନାହିଁ। ବର୍ଷେ କାଳ ନ୍ୟାୟ ପାଇଁ ସଂଘର୍ଷ କରୁଥିବା ଏହି ଓଡ଼ିଆ ଝିଅଙ୍କୁ କେବେ ମିଳିବ ନ୍ୟାୟ, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର