ଡ୍ରେନ୍‌ରୁ ମିଳିଲା ବୃଦ୍ଧାଙ୍କ ଶବ, ହତ୍ୟା ସନ୍ଦେହ

ଭୁବନେଶ୍ୱର : ରବିବାର ରାତି ସାଢ଼େ ୧୧ଟାରେ ସିଆର୍‌ପି ଛକ ସ୍ଥିତ ଏସ୍‌ସି ଓ ଏସ୍‌ଟି ମ୍ୟୁଜିୟମ୍‌ ନିକଟ ଏକ ଡ୍ରେନ୍‌ରୁ ନୂଆପଲ୍ଲୀ ଥାନା ପୁଲିସ ଜଣେ ବୃଦ୍ଧାଙ୍କ ଶବ ଜବତ କରିଛି। ସେ ହେଲେ ନୀଳପାଣିଟାଙ୍କି ବସ୍ତିର ଅଲିଆ ବେହେରାଙ୍କ ପତ୍ନୀ ରୁକୁଣା ବେହେରା(୭୫)।

ପୁଲିସ ସୂଚନା ଅନୁଯାୟୀ, ରବିବାର ରାତି ପ୍ରାୟ ସାଢ଼େ ୧୧ଟା ସମୟରେ  କେହି ଜଣେ ମହିଳା ସିଆର୍‌ପି ନିକଟ ଏକ ନାଳରେ ପଡ଼ିଥିବା ସ୍ଥାନୀୟ ଲୋକମାନେ ଦେଖିଥିଲେ। ମହିଳାଙ୍କୁ ନାଳରେ ପଡ଼ିଥିବା ଦେଖି ଲୋକମାନେ ତୁରନ୍ତ ପୁଲିସକୁ ଜଣାଇଥିଲେ। ଖବର ପାଇ ନୂଆପଲ୍ଲୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଅନ୍ୟପଟେ  ସ୍ଥାନୀୟ ଲୋକମାନେ କହିଛନ୍ତି ଯେ, ମହିଳା ଜଣଙ୍କ ରାସ୍ତାରେ  ଯାଉଥିବା ସମୟରେ କେହି ଦୁର୍ବୃତ ତାଙ୍କୁ ଆକ୍ରମଣ କରିଥିଲେ। ତାଙ୍କୁ ଟଣାଓଟରା କରି  ବେକରେ ଥିବା ସୁନା ଚେନ୍‌କୁ ଝାମ୍ପିନେଇଥିଲା। ଟଣାଓଟରା ଫଳରେ ମହିଳା ଜଣଙ୍କ ନାଳରେ ପଡ଼ିଯାଇଥିଲେ। ତେବେ ସ୍ଥାନୀୟ ଲୋକଙ୍କ ଅଭିଯୋଗ ଓ ପାରିପାର୍ଶ୍ୱିକ ସ୍ଥିତିକୁ ଆଖିରେ ରଖି ପୁଲିସ ଦ୍ୱନ୍ଦ୍ୱରେ ପଡ଼ିଯାଇଛି। ଦୁର୍ଘଟଣା ଯୋଗୁଁ ମହିଳାଙ୍କ ମୃତ୍ୟୁ ଘଟିଛି। ନା ତାଙ୍କୁ ହତ୍ୟା କରାଯାଇଛି। ଏନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟତା ପଦାକୁ ଆସିବ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର