ଆଉ ଜଣେ ଲୁଟେରା ଗିରଫ, ୧୫ ବାଇକ୍‌ ଜବତ ଗାଡ଼ି ଚୋରି ର‍୍ୟାକେଟ୍‌ ଠାବ ଘଟଣା

ଭୁବନେଶ୍ୱର: ରାଜଧାନୀର ବିଭିନ୍ନ ସ୍ଥାନରୁ କାର୍‌ ଓ ବାଇକ୍‌ ଚୋରି କରୁଥିବା ଏକ ଗ୍ୟାଙ୍ଗର ଅନ୍ୟତମ ସଦସ୍ୟକୁ ଆଜି ନୂଆପଲ୍ଲୀ ଥାନା ପୁଲିସ ଗିରଫ କରିଛି। ସେ ହେଲା, ଗଞ୍ଜାମ ଜିଲ୍ଲା ପୋଲସରା ଅଞ୍ଚଳର ଦୀପକ ସାହୁ ଓରଫ ଆର୍ଯ୍ୟ(୨୨)। ପୁଲିସ ତା’ ନିକଟରୁ ୧୫ଟି ଚୋରା ବାଇକ୍‌ ଜବତ କରିଛି। ୪ ଦିନ ତଳେ ପୁଲିସ ଏହି ଗ୍ୟାଙ୍ଗର ସଦସ୍ୟ ହୃଷୀକେଶ ନାୟକ(୨୧) ଓ ଜେ ସୁନୀଲ ପ୍ରସାଦ ଦୋରା(୨୩)କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ତେବେ ଏହି ଗ୍ୟାଙ୍ଗରେ ଆଉ କିଏ କିଏ ସାମିଲ ଅଛନ୍ତି, ସେ ନେଇ ପୁଲିସ ତଦନ୍ତ ଜାରି ରଖିଛି। ପୁଲିସ ସୂଚନା ମୁତାବକ, ଏହି ୩ ଅଭିଯୁକ୍ତଙ୍କ ସମେତ ସେମାନଙ୍କ କିଛି ସହଯୋଗୀ ରାଜଧାନୀରୁ କାର୍‌ ଚୋରି କରିବା ପାଇଁ ଅଭିନବ ଉପାୟ କରୁଥିଲେ। କାର୍‌ ମାଲିକମାନଙ୍କଠାରୁ ଗାଡ଼ି ବାରମ୍ବାର ଭଡ଼ାରେ ନେଇ ସେମାନଙ୍କ ବିଶ୍ୱାସ ଜିତୁଥିଲେ। ପରେ କାର୍‌ ଚୋରି କରି ଫେରାର୍‌ ହୋଇଯାଉଥିଲେ। ତେବେ ଏ ସଂପର୍କରେ ଗାଡ଼ି ମାଲିକ ସିଭିକ୍‌ ଅହମ୍ମଦ ଖାନ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିବାରୁ ଘଟଣା ପଦାକୁ ଆସିଥିଲା। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଗତ ୧୫ ତାରିଖରେ ପୁଲିସର ଏକ ଟିମ୍‌ ହୃଷୀକେଶ ଓ ସୁନୀଲକୁ ବ୍ରହ୍ମପୁରରୁ ଗିରଫ କରିବା ସହ ଗୋଟିଏ କାର୍‌ ଜବତ କରିଥିଲା। ସେମାନଙ୍କୁ ପଚରାଉଚରା କରି ପୁଲିସ ଆର୍ଯ୍ୟ ସଂପର୍କରେ ଜାଣିବାକୁ ପାଇଥିଲା। ଗତ ରାତିରେ ପୁଲିସର ଏକ ଟିମ୍‌ ଗଞ୍ଜାମସ୍ଥିତ ଆର୍ଯ୍ୟ ଘରେ ଚଢ଼ଉ କରି ତାକୁ ଗିରଫ କରିବା ପରେ ଏକ ନୂଆ ତଥ୍ୟ ପଦାକୁ ଆସିଥିଲା। ଏହି ଅଭିଯୁକ୍ତମାନେ ଖାଲି କାର୍‌ ନୁହେଁ, ବାଇକ୍‌ ମଧ୍ୟ ଚୋରି କରୁଥିବା ପୁଲିସ ଜାଣିବାକୁ ପାଇଥିଲା। ପୁଲିସ ତା’ ନିକଟରୁ ୧୫ଟି ବାଇକ୍‌ ଜବତ କରିଛି। ଥାନାକୁ ଆଣି ତାକୁ ପଚାରାଉଚରା ପରେ ତାକୁ କୋର୍ଟଚାଲାଣ କରାଯାଇଛି। ଏହି ଗ୍ୟାଙ୍ଗ ଖଣ୍ଡଗିରି, ନୀଳାଦ୍ରିବିହାର ଆଦି ବିଭିନ୍ନ ଅଞ୍ଚଳରୁ କାର୍‌, ବାଇକ୍‌ ଚୋରି କରୁଥିବା ଜାଣିବାକୁ ପାଇଛି। ଗ୍ୟାଙ୍ଗର ଅନ୍ୟ ସଦସ୍ୟମାନଙ୍କୁ ଗିରଫ କରିବା ପାଇଁ ପୁଲିସ ଉଦ୍ୟମ ଚଳାଇଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର