ମହିଳାଙ୍କୁ ଫୋନ୍‌ରେ ଗାଳିଗୁଲଜ, ଯୁବକ ଗିରଫ

ଭୁବନେଶ୍ୱର: ଜଣେ ମହିଳାଙ୍କୁ ଫୋନ୍‌ରେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ଅଭିଯୋଗରେ ନୂଆପଲ୍ଲୀ ଥାନା ପୁଲିସ ଯୁବକକୁ ଗିରଫ କରିଛି। ସେ ହେଲା, ସାଲିଆସାହି ବାଜପେୟୀନଗର ଅଞ୍ଚଳର ସତ୍ୟ ନାୟକ (୨୨)। ପୁଲିସ ସୂଚନା ମୁତାବକ, ଦୀର୍ଘ ଦିନ ହେବ ସତ୍ୟ ସ୍ଥାନୀୟ ଅଞ୍ଚଳର ଜଣେ ମହିଳାଙ୍କୁ ବିଭିନ୍ନ ସମୟରେ କମେଣ୍ଟ ମାରିବା ସହ ହଇରାଣ ହରକତ କରି ଆସୁଥିଲା। ଏପରିକି ମହିଳାଙ୍କ ମୋବାଇଲ ନମ୍ବର ସଂଗ୍ରହ କରି ମଙ୍ଗଳବାର ସନ୍ଧ୍ୟାରେ ତାଙ୍କୁ ଫୋନ୍‌ରେ ଗାଳିଗୁଲଜ କରିଥିଲା। ମହିଳାଜଣଙ୍କ ଏ ସଂପର୍କରେ ତାଙ୍କ ସ୍ୱାମୀଙ୍କୁ ଜଣାଇବାରୁ ସେ ସତ୍ୟକୁ ଏ ବିଷୟରେ ପଚରାଉଚରା କରିଥିଲେ। କିନ୍ତୁ ଏଥିରେ ଉତ୍‌କ୍ଷିପ୍ତ ହୋଇ ସତ୍ୟ ତାଙ୍କୁ ମାଡ଼ ମାରିଥିଲା। ମହିଳାଜଣଙ୍କ ବିରୋଧ କରିବାରୁ ସତ୍ୟ ତାଙ୍କୁ ମଧ୍ୟ ଟଣାଓଟରା କରିଥିଲା। ଏନେଇ ମହିଳା ନୂଆପଲ୍ଲୀ ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

ସମ୍ବନ୍ଧିତ ଖବର