ମହଙ୍ଗା ପଡ଼ିଲା ମିଛ ଏତଲା, ଅଭିଯୋଗକାରୀ ମହିଳା ଗିରଫ

ଭୁବନେଶ୍ବର: ଥାନାରେ ମିଛ ଅଭିଯୋଗ କରିବା ଜଣେ ଯୁବତୀଙ୍କୁ ମହଙ୍ଗା ପଡ଼ିଛି। ପୁଲିସ ଅଭିଯୋଗକାରିଣୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେ ହେଲେ ଫିନୁ ପରିଡ଼ା। ଘର ପୁରୀ ଜିଲ୍ଲା ସଦର ଥାନା ଅଧୀନ ରେଣ୍ଡାଗଡ଼ରେ। ଏଠାରେ ସେ ମଞ୍ଚେଶ୍ବର ଥାନା ଅଧୀନ ପଳାସୁଣି ପ୍ରାଚୀବିହାରରେ ରୁହନ୍ତି। ତାଙ୍କ ନିକଟରୁ ପୁଲିସ ୬୧ ହଜାର ଟଙ୍କା, ଗୋଟିଏ ସ୍କୁଟି, ସାମସଙ୍ଗର ଟାବ ଓ ଗୋଟିଏ ପ୍ରିଣ୍ଟ ମେସିନ ଜବତ କରିଛି। ଫିନୁ ଲକ୍ଷ୍ମୀସାଗର ଥାନା ଅଧୀନ ଗୋବିନ୍ଦପ୍ରସାଦରେ ଥିବା ଭାରତ ଫାଇନାନସିଆଲ ଲିମିଟେଡ୍‌ର ଏଜେଣ୍ଟ ଭାବେ କାମ କରୁଥିଲେ। ଲକ୍ଷ୍ମୀସାଗର ଥାନା ଇନ୍ସପେକ୍ଟର ଦୟା ନାୟକଙ୍କଠାରୁ ମିଳିଥିବା ସୂଚନା ମୁତାବକ, ଗତକାଲି ଫିନୁ ଅଭିଯୋଗ କରିଥିଲେ କି ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀରୁ ପାଖାପାଖି ୬୧ ହଜାର ଟଙ୍କା ଧରି ଫେରୁଥିବା ବେଳେ ହଳଦୀପଡ଼ିଆ ବସ୍ତି ନିକଟରେ ଦୁଇଜଣ ଯୁବକ ଏକ ବାଇକ୍‌ରେ ତାଙ୍କ ଟଙ୍କା ଛଡ଼ାଇ ନେଇଥିଲେ। ଏ ନେଇ ସେ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ପୁଲିସ ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସି କ୍ୟାମେରା ଯାଞ୍ଚ କରିବା ସହିତ ଯେଉଁଠି ଘଟଣା ଘଟିଥିଲା, ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରିଥିଲା। ସିସିଟିଭିରେ ସେଭଳି କୌଣସି ଲୁଟ୍‌ ଘଟଣାର ଦୃଶ୍ୟ ନ ଥିବା ବେଳେ ସ୍ଥାନୀୟ ଲୋକ ମଧ୍ୟ ଏହାକୁ ଅସ୍ବୀକାର କରିଥିଲେ। ପୁଲିସ ଫିନୁଙ୍କୁ ଜେରା କରିବା ପରେ ସେ ମାନିଥିଲା ଯେ ସେ ପ୍ରାଚୀବିହାରରେ ଥିବା ଭଡ଼ା ଘର ନିକଟରେ ଥିବା ବୁଦା ମୂଳେ ଟଙ୍କା ଲୁଚାଇଥିଲେ। ଜଣେ ଯୁବତୀ ଥାନାରେ ଏଭଳି ମିଛ ଅଭିଯୋଗ କରିବା ରାଜଧାନୀରେ ଚର୍ଚାର ବିଷୟ ହୋଇଛି।

ସମ୍ବନ୍ଧିତ ଖବର