ନାବାଳିକାକୁ ଦୁଷ୍କର୍ମ ପରେ ଫିଙ୍ଗିଦେବା ଘଟଣା: ଧରାପଡ଼ିଲା ଅଭିଯୁକ୍ତ, ଜେଲ୍ ଗଲା

୧୫ ଦିନ ମଧ୍ୟରେ ଚାର୍ଜସିଟ

ଅନୁଗୁଳ: ଯାଯାବର ନାବାଳିକାକୁ ଦୁଷ୍କର୍ମ ଘଟଣାର ଅଭିଯୁକ୍ତ ଧରାପଡ଼ିଛି। ଅଭିଯୁକ୍ତ ହେଉଛି ଅନୁଗୁଳ ଅମଲାପଡ଼ାର ଶିବୁ ପଟ୍ଟନାୟକ(୫୫)। ପୁଲିସ ଗିରଫ କରି ଆଜି ରାତିରେ କୋର୍ଟଚାଲାଣ କରିଥିଲା। ଜାମିନ ନମିଳିବାରୁ ତାକୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି। ତ୍ବରିତ ନ୍ୟାୟ ପ୍ରଦାନ ପାଇଁ ଆସନ୍ତା ୧୫ ଦିନ ମଧ୍ୟରେ କୋର୍ଟରେ ଏହି ମାମଲାର ଚାର୍ଜସିଟ୍ ଦାଖଲ କରାଯିବ ବୋଲି ଏସ୍‌ପି ମିତ୍ରଭାନୁ ମହାପାତ୍ର ସୂଚନା ଦେଇଛନ୍ତି।

ଆଜି ସଂଧ୍ୟାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏସ୍‌ପି ଶ୍ରୀ ମହାପାତ୍ର କହିଛନ୍ତି ଯେ, ଘଟଣା ରାତି ୨ଟାରୁ ୪ ମଧ୍ୟରେ ହୋଇଥିଲା। ଅଭିଯୁକ୍ତ ଶିବୁ କୌଣସି ବାହାନାରେ ଘରୁ ବାହାରି ଆସି ଯାଯାବରମାନେ ‌‌ଶୋଇଥିବା ରାସ୍ତା ପାର୍ଶ୍ବ ଦୋକାନ ବାରଣ୍ଡରୁ ୮ ବର୍ଷର ଝିଅକୁ ଉଠାଇ ନେଇ ଦୁଷ୍କର୍ମ ପରେ ଫିଙ୍ଗି ଦେଇଥିଲେ। ଅଭିଯୁକ୍ତକୁ ଧରିବା ପାଇଁ ୪ଟି ଟିମ୍ ଗଠନ କରାଯାଇଥିଲା। ଏସ୍‌ଆଇ ସୌମ୍ୟା ରାୟଙ୍କ ନେତୃତ୍ବରେ ଏକ ଟିମ୍ କଟକ ଯାଇ ପୀଡ଼ତାଙ୍କ ଚିକିତ୍ସା କଥା ବୁଝୁଛନ୍ତିି। ସେହିପରି ଏସ୍ଆଇ ବିପ୍ଲବ ସାହୁ, ଏସ୍‌ଆଇ ଏନ୍.କେ ଦାସ ଏବଂ ଆଇଆଇସି ରମେଶ ବିଶୋଇ ଅନ୍ୟ ଗୋଟିଏ ଲେଖାଏଁ ଟିମ୍‌ର ନେତୃତ୍ବ ନେଉଥିଲେ। ଅଭିଯୁକ୍ତ ଶିବୁ ବିରୋଧରେ ସମସ୍ତ ତଥ୍ୟ ପ୍ରମାଣ ଏକାଠି କରାଯିବା ପରେ ଆଜି ତାକୁ ଗିରଫ କରାଯାଇଛି ବୋଲି ଏସ୍‌ପି ଶ୍ରୀ ମହାପାତ୍ର କହିଛନ୍ତି। ଏସପି ଶ୍ରୀ ମହାପାତ୍ର ଆହୁରି କହିଛନ୍ତି ଯେ, ମାମଲାର ଶୀଘ୍ର ବିଚାର ପାଇଁ ଆବଶ୍ୟକ ପଦ‌କ୍ଷେପ ନିଆଯିବ। ପୀଡ଼ିତାଙ୍କ ପରିବାର ଯାଯାବର ହୋଇଥିବାରୁ ସେମାନଙ୍କୁ ମାମଲାର ବିଚାର ସରିବା ପର୍ଯ୍ୟନ୍ତ ଏଠାରେ ରଖାଇବା ଉପରେ ଗୁରୁତ୍ବ ଦିଆଯାଉଛି ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ, ପୀଡ଼ିତାର ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହେଉଛି। ସେ ସୁସ୍ଥ ହେବା ପରେ ଘଟଣା ସଂକ୍ରାନ୍ତରେ ବିସ୍ତୃତ ତଥ୍ୟ ମିଳିପାରିବ। ପୀଡ଼ିତାର ମୁଣ୍ଡ କିଭଳି ଜିନିଷରେ ଆଘାତ ଦିଆଯାଇଛି, ସେ ସଂକ୍ରାନ୍ତରେ ଚିକିତ୍ସା କରୁଥିବା ଡାକ୍ତରଙ୍କୁ ପଚରାଯିବ ବୋଲି ସେ କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଏସ୍‌ଡିପିଓ ଅଶ୍ବିନୀ ସାହୁ, ଅନୁଗୁଳ ଥାନା ଆଇଆଇସି ରମେଶ ବିଶୋଇ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର