୧୫ ଲକ୍ଷ ଠକେଇ: ୟୁପିରୁ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ୧୫ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଠକେଇ ଅଭିଯୋଗରେ ଏୟାରପୋର୍ଟ ଥାନା ପୁଲିସ ଜଣେ ବ୍ୟକ୍ତିଙ୍କୁ ଉତ୍ତର ପ୍ରଦେଶର ଗୋରଖପୁରରୁ ଗିରଫ କରିଛି। ସେ ହେଲେ ପପୁ ସିଂହ। ବିବି ମ୍ୟାନ୍‌ପାୱାର ଆଣ୍ଡ ଫାସିଲିଟିଜ୍‌ ସର୍ଭିସେସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ନାମକ ଏକ ଗ୍ରାଉଣ୍ଡ ହାଣ୍ଡେଲିଂ ସଂସ୍ଥାରେ ସେ ଅପରେସନାଲ ମ୍ୟାନେଜର ଭାବରେ କାମ କରୁଥିଲେ। ବିଭିନ୍ନ ଘରୋଇ ବିମାନ ଚଳାଚଳ ସଂସ୍ଥାରୁ ପ୍ରାପ୍ୟ ଆଣି ଆତ୍ମସାତ କରୁଥିଲେ। ଅଡିଟ୍‌ ବେଳେ‌ ଧରାପଡ଼ିବାରୁ ସେ ଫେରାର ହୋଇଯାଇଥିଲେ। ସେ ୮ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଥିବା ବେଳେ ଆହୁରି ୭ ଲକ୍ଷରୁ ଊର୍ଦ୍ଧ୍ବ ଠକେଇ କରିଥିବା ତଦନ୍ତ ବେଳେ ଜଣାପଡ଼ିଛି।

ବି ବି ମ୍ୟାନ୍‌ପାୱାର ଆଣ୍ଡ ଫାସିଲିଟିଜ୍‌ ସର୍ଭିସେସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ଦେଶର ବିଭିନ୍ନ ବିମାନବନ୍ଦରରେ ଗ୍ରାଉଣ୍ଡ ହାଣ୍ଡେଲିଂ ଅପରେସନ କରିଥାଏ। ଘରୋଇ ବିମାନ ଉଡ଼ାଣ ଓ ଅବତରଣ ସମୟରେ ଆବଶ୍ୟକ ପଡ଼ୁଥିବା ସମସ୍ତ କାମ ଯଥା, ବିମାନ ଉଡ଼ାଣ କରିବା ପୂର୍ବରୁ ପାଇଲଟ୍‌ଙ୍କ ମଦ୍ୟପାନ ଟେଷ୍ଟ, ଅସ୍ତ୍ର ଶସ୍ତ୍ର ପରିବହନ ପାଇଁ ଆନୁସଙ୍ଗିକ ସ୍ବୀକୃତି ଓ ବ୍ୟବସ୍ଥା ଏବଂ ଗ୍ରାଉଣ୍ଡ ଅପରେସନ କାମ ଏହ‌ି ସଂସ୍ଥା କରିଥାଏ। ଏଥିପାଇଁ ଘରୋଇ ବିମାନ ପରିଚାଳନା କରୁଥିବା ସଂସ୍ଥା ବା ବିମାନ ମାଲିକଙ୍କ ଠାରୁ ପାରିଶ୍ରମିକ ମିଳିଥାଏ। ଏହିସବୁ କାମ କରିବା ପାଇଁ ଅପରେସନାଲ ମ୍ୟାନେଜର ଭାବରେ ପପୁ ଗତ ବର୍ଷ ଜୁଲାଇ ମାସରେ ଏହି ସଂସ୍ଥାରେ ଯୋଗ ଦେଇଥିଲେ। ୨୦୧୮ରୁ ୨୦୧୯ ମସିହା ମାର୍ଚ୍ଚ ପର୍ଯ୍ୟନ୍ତ ଅଡିଟ୍‌ରେ ସଂସ୍ଥାର ୮ ଲକ୍ଷ ଟଙ୍କା କ୍ଷତି ହୋଇଥିବା ଜଣାପଡ଼ିଥିଲା। ବିଭିନ୍ନ ଘରୋଇ ସଂସ୍ଥା ଠାରୁ ପ୍ରାପ୍ୟ ଆସିଥିଲେ ମଧ୍ୟ ସେ ନିଜ ପତ୍ନୀ ଓ ବିଭିନ୍ନ ସମ୍ପର୍କୀୟଙ୍କ ବ୍ୟାଙ୍କ୍‌ ଖାତାରେ ଏହ‌ି ସବୁ ଅର୍ଥ ଜମା କରିଥିବା ଯାଞ୍ଚ ବେଳେ ଧରାପଡ଼ିଥିଲା। କେବଳ ଏତିକି ନୁହେଁ, ଅଫିସ୍‌ ଲେଟର ପ୍ୟାଡ୍‌ ଓ ଇ-ମେଲ୍‌ ବ୍ୟବହାର କରି ଅନେକ ଠକେଇ କରିଥିଲେ। ସଂସ୍ଥାରେ ଚାକିରି କରାଇଦେବାକୁ କହି ଅନେକଙ୍କୁ ଠକି ଥିଲେ। ଏହା ଜଣାପଡ଼ିବା ପରେ ଅଭିଯୁକ୍ତ ଫେରାର ହୋଇଯାଇଥିଲେ। ଏ ନେଇ ବିବି ମ୍ୟାନ୍‌ପାୱାର ଆଣ୍ଡ ଫାସିଲିଟିଜ୍‌ ସର୍ଭିସେସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ନିର୍ଦ୍ଦେଶକ ଦେବାଶିଷ ମହାନ୍ତି ଗତ ମାସ ୧୧ ତାରିଖରେ ଏୟାରପୋର୍ଟ ଥାନାରେ ଏତଲା ଦେଇଥିଲେ। ଏତଲାକୁ ଆଧାର କରି ଏୟାରପୋର୍ଟ ଥାନା ପୁଲିସ ଏକ ମାମଲା(୧୭୧/୧୯) ରୁଜୁ କରି ତଦନ୍ତ ଚଳାଇଥିଲା। ସେ ଗୋରଖପୁରରେ ଥିବା ଖବର ପାଇ ପୁଲିସର ଏକ ସ୍ବତନ୍ତ୍ର ଟିମ୍‌ ଗତ ୧୫ ତାରିଖରେ ସେଠାକୁ ଯାଇ ତାଙ୍କୁ ଗିରଫ କରିଥିଲା। ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ପରେ ଆଜି ତାଙ୍କୁ କୋର୍ଟ ଚାଲାଣ କରାଯାଇଛି।

ଅଭିଯୁକ୍ତ ସହ ସେଲ୍ଫି
ଅଭିଯୁକ୍ତ ପପୁ ସିଂହଙ୍କୁ ଗିରଫ କରିବା ପରେ ଦିଲ୍ଲୀ ଯାଇଥିବା ସ୍ବତନ୍ତ୍ର ଟିମ୍‌ର ଜଣେ ପୁଲିସ କର୍ମଚାରୀ ଅଭିଯୁକ୍ତ ସହ ସେଲ୍ଫି ଉଠାଇଛନ୍ତି। ଅଭିଯୁକ୍ତ ମଝିରେ ବସିଥିବା ‌ବେଳେ ଅପର ପାର୍ଶ୍ବରେ ଟିମ୍‌ର ମହିଳା ପୁଲିସ ଅଧିକାରୀ ବସିଛନ୍ତି। ଦୁଇଜଣ କର୍ମଚାରୀ ଏତେ ବାଟ ଯାଇ ସଫଳ ହୋଇଥିବାରୁ ସମ୍ପୃକ୍ତ କର୍ମଚାରୀ ଜଣକ ଉତ୍ସାହିତ ହୋଇ ଏଭଳି କରିଥିବା ଜଣାପଡ଼ିଛି। କିନ୍ତୁ ଫଟୋଟି ସୋସିଆଲ ମିଡିଆରେ ଭାଇରାଲ ହେବାରୁ କର୍ମଚାରୀଙ୍କ ଉପରରେ ବିପଦ ଘନେଇଛି। ଏବେ ପୁଲିସ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କଡ଼ା ହେଉଛି। ଅକ୍ଟୋବର ୧୫ ତାରିଖ ଦିନ ତତ୍‌କାଳୀନ ପୁରୀ ଚନ୍ଦ୍ରଭାଗା ମେରାଇନ୍‌ ଥାନା ଇନ୍ସନେପକ୍ଟର ବୁଲୁ ମୁଣ୍ଡା ଏକ ହତ୍ୟାକାଣ୍ଡରେ ସମ୍ପୃକ୍ତ ଅଭିଯୁକ୍ତ ସହ ସେଲ୍ଫି ଉଠାଇଥିବାରୁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଥିବା ନଜିର ରହିଛି। ଏବେ ଏହି ସେଲ୍ଫିରେ ସମ୍ପୃକ୍ତ କର୍ମଚାରୀ ଫସିଛନ୍ତି।

ସମ୍ବନ୍ଧିତ ଖବର