ନକଲି କାଗଜପତ୍ର ବଳରେ ଋଣ : ଆଉ ଜଣଙ୍କୁ ବାନ୍ଧିଲା ଇଓଡବ୍ଲୁ

ଭୁବନେଶ୍ୱର : ନିଜକୁ ଶିକ୍ଷକ ବୋଲି ପରିଚୟ ଦେଇ ନକଲି କାଗଜପତ୍ର ଦେଖାଇ ଲକ୍ଷାଧିକ ଟଙ୍କା ଋଣ ନେବା ମାମଲାରେ କ୍ରାଇମ୍‌ବ୍ରାଞ୍ଚର ଇଓଡବ୍ଲୁ (ଅର୍ଥନୈତିକ ଅପରାଧ ଶାଖା) ଆଜି ଆଉ ଜଣକୁ ଗିରଫ କରିଛି। ମୋଟ ୩୯ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଆଜି ଗିରଫ ହୋଇଥିବା ୩୨ ନମ୍ବର ଅଭିଯୁକ୍ତ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଥାନା ଅଧୀନ ତିହଡ଼ା ଗ୍ରାମର ନିରଞ୍ଜନ ଲେଙ୍କା। ସେ କଟକ ଗଣ୍ଡରପୁର ମହାନଦୀ ବ୍ୟାରେଜ୍‌ ଡିଭିଜନ୍‌ରେ ମେଟ୍‌ ଭାବରେ କାମ କରନ୍ତି। ଆଜି ସକାଳେ ସେ ଅଫିସ୍‌ ବାହାରୁଥିବା ବେଳେ ଇଓଡବ୍ଲୁର ଅଧିକାରୀମାନେ ତାଙ୍କୁ ଘର ସାମ୍ନାରୁ ଉଠାଇ ନେଇଛନ୍ତି। ୨୦୧୧ ମସିହାରୁ ନିରଞ୍ଜନଙ୍କ ନାମରେ ଥିବା ଏହି ଠକେଇ ମାମଲାର ତଦନ୍ତ ଚାଲିଥିଲା। ଆଜି ତାଙ୍କୁ କଟକ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରାଯାଇଥିଲା। ସେଠାରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତ୍‌କୁ ପଠାଇ ଦିଆଯାଇଛି। ଏସ୍‌ବିଆଇର ମାଲଗୋଦାମ ଶାଖା ପରିଚାଳକ ସୁରେଶ ପରିଜାଙ୍କ ଅଭିଯୋଗ କ୍ରମେ ଇଓଡବ୍ଲୁ ଏକ ମାମଲା ରୁଜୁ କରିବା ସହ ତଦନ୍ତ ଚଳାଇଥିଲା।

୨୦୦୬ ମସିହା ସେପ୍ଟେମ୍ବରରୁ ଡିସେମ୍ବର ମଧ୍ୟରେ କଟକ ମାଲଗୋଦାମ୍‌ ଏସ୍‌ବିଆଇ ଶାଖାରୁ ୩୯ ଜଣ ୬୭ ଲକ୍ଷ ୮ ହଜାର ୪୫୬ଟଙ୍କା ଋଣ(ସୁବିଧା ଲୋନ୍‌) ନେଇଥିଲେ। ସେମାନଙ୍କ ମଧ୍ୟରୁ ଆଜି ଗିରଫ ହୋଇଥିବା ଅଭିଯୁକ୍ତ ନିରଞ୍ଜନ ୧ଲକ୍ଷ ୭୫ ହଜାର ୧୪୩ ଟଙ୍କା ଋଣ ନେଇଥିଲେ। ଏମାନେ କଟକ ନୂଆପଡ଼ାର ଏକ ସ୍ୱତନ୍ତ୍ର ସ୍କୁଲର ଶିକ୍ଷକ ବୋଲି ନିଜ ନିଜର ପରିଚୟ ଦେଇଥିଲେ। ଏ ବାବଦରେ ସେମାନେ କାଗଜପତ୍ର ପ୍ରମାଣ ଉପସ୍ଥାପନ କରିଥିଲେ। କିନ୍ତୁ ପରବର୍ତୀ ସମୟରେ ଏମାନେ ଋଣ ଶୁଝି ନ ଥିଲେ। ଏପରିକି ଏମାନେ ଦେଇଥିବା ଠିକଣାରେ ଏଭଳି କୌଣସି ସ୍କୁଲ ନ ଥିଲା କିମ୍ବା ଏମାନେ ଶିକ୍ଷକ ନଥିବା ଜଣାପଡ଼ିଥିଲା। ଯେଉଁ କାଗଜପତ୍ର ଦାଖଲ କରିଥିଲେ ସେଗୁଡ଼ିକ ମଧ୍ୟ ନକଲି ଥିଲା। ଏଣୁ ଶାଖା ପରିଚାଳକ ଶ୍ରୀ ପରିଜା ଏ ନେଇ କ୍ରାଇମ୍‌ବ୍ରାଞ୍ଚର ଅପରାଧିକ ଶାଖାରେ ଅଭିଯୋଗ କରିଥିଲେ। ପୂର୍ବରୁ ଇଓଡବ୍ଲୁ ତିନିଜଣ ବ୍ୟାଙ୍କ କର୍ମଚାରୀ ମନୀନ୍ଦ୍ର ମୋହନ କର, ସୁରେନ୍ଦ୍ର ଧଳ ଓ ପୁରନ୍ଦର କବିଙ୍କ ସମେତ ୩୧ ଜଣଙ୍କୁ ଗିରଫ କରି ସାରିଛି। ଆଜି ୩୨ ନମ୍ବର ଅଭିଯୁକ୍ତ ଭାବରେ ନିରଞ୍ଜନ ଗିରଫ ହୋଇଥିବା ବେଳେ ଆଗକୁ ଅନ୍ୟ ଅଭିଯୁକ୍ତମାନେ ମଧ୍ୟ ଗିରଫ ହେବେ ବୋଲି ଇଓଡବ୍ଲୁ ସୂତ୍ରରୁ ଜଣାପଡ଼ିଛି। ଚଳିତମାସ ୧୩ ତାରିଖରେ ସୌମ୍ୟରଞ୍ଜନ ନନ୍ଦ, ୨୧ ତାରିଖରେ ସୂର୍ଯ୍ୟକାନ୍ତ ଦାଶ ଓ ୨୬ ତାରିଖରେ ସହଦେବ ସାହୁଙ୍କୁ ଇଓଡବ୍ଲୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର