ଭୁବନେଶ୍ୱର: ରଥଯାତ୍ରା ପୂର୍ବରୁ କମିସନରେଟ୍ ପୁଲିସ ଆରମ୍ଭ କରିଥିବା ଅପରେସନ୍ କ୍ଲିନ୍ସ୍ୱିପ୍କୁ ବ୍ୟାପକ ସଫଳତା ମିଳିଛି। ମାତ୍ର ସପ୍ତାହକ ମଧ୍ୟରେ ଉଭୟ ଭୁବନେଶ୍ୱର ଓ କଟକ ପୁଲିସ ୬୯୦ଜଣଙ୍କୁ ଗିରଫ କରିଛି। ଏଭଳି ଗିରଫ ଅଭିଯାନ ଆଗକୁ ଆହୁରି ଜୋରଦାର କରାଯିବ। ଏହି ଅପରେସନ୍ ଆସନ୍ତା ଜୁଲାଇ ମାସ ପର୍ଯ୍ୟନ୍ତ ଚାଲିବ ବୋଲି ପୁଲିସ କମିସନର୍ ଯୋଗେଶ ବାହାଦୁର ଖୁରାନିଆ ସୂଚନା ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଅପରେସନ୍ ଆରମ୍ଭ ହେବା ପୂର୍ବରୁ ୬ଶହ ଅପରାଧୀଙ୍କୁ ବାନ୍ଧିବାକୁ ପୁଲିସ ଯୋଜନା କରିଥିଲା। ଅପରାଧୀମାନଙ୍କୁ ଯେନତେନ ପ୍ରକାର ଗିରଫ କରି ପୁଣିଥରେ ଜେଲ୍ର ଚାରି କାନ୍ଥ ଦେଖାଇବାକୁ ପଣ ନେଇଥିଲେ ଖୋଦ ପୁଲିସ କମିସନର ଶ୍ରୀ ଖୁରାନିଆ। ଭୁବନେଶ୍ୱର ଓ କଟକର ୩୭ଟି ଥାନାର ଥାନାବାବୁ ଓ ଏସିପିମାନଙ୍କୁ ନିର୍ଦେଶ ଦେଇଥିଲେ, ଅପରାଧୀମାନଙ୍କୁ ୧୧୦ ଦଫା, ଏନ୍ବିଡବ୍ଲ୍ୟୁ ବଳରେ ଗିରଫ କରିବାକୁ। ଏପରିକି ଯେଉଁମାନେ ଜାମିନ୍ରେ ଆସିଛନ୍ତି, ସେମାନଙ୍କ ଗତବିଧିକୁ ଲକ୍ଷ୍ୟ ରଖି ପୁଣି ଥରେ ଗିରଫ କରିବାକୁ କୁହାଯାଇଥିଲା। ଆଜି ପୁଲିସ କମିସନର୍ ଏକ ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କି, କେବଳ ଜାମିନବିହୀନ ଗିରଫ ପରଓ୍ଵାନା ବଳରେ କଟକ ଓ ଭୁବନେଶ୍ୱରେ ୬୧୮ଜଣଙ୍କୁ ଗିରଫ କରାଯାଇଛି। ସେଥିମଧ୍ୟରୁ କଟକ ପୁଲିସ ୨୦୭ ଜଣଙ୍କୁ ଗିରଫ କରିଥିବା ବେଳେ ଭୁବନେଶ୍ୱରରେ ପୁଲିସ ୭୫ଜଣଙ୍କୁ ଗିରଫ କରିଥିଲା। ସେହିପରି ୧୧୦ ଦଫାରେ ଭୁବନେଶ୍ୱର ପୁଲିସ ୬୨ ଜଣଙ୍କୁ ଗିରଫ କରିଥିବା ବେଳେ କଟକ ପୁଲିସ ମାତ୍ର ୧୦ ଜଣଙ୍କୁ ଗିରଫ କରିଥିଲା। ଚଳିତ ମାସ ୧୭ ତାରିଖରୁ ଆରମ୍ଭ ହୋଇଥିବା ଅପରେସନ୍ କ୍ଲିନ୍ ସୁଇପ ଚଳିତ ମାସ ଶେଷ ପର୍ଯ୍ୟନ୍ତ ଚାଲିବ। ପୁଲିସ କମିସନର୍ଙ୍କ ଏଭଳି ଅପରାଧ ଦମନ ନୀତି ଖବର ପାଇବା ପରେ ଅପରାଧୀଙ୍କ ମଧ୍ୟରେ ଛନକା ପଶି ଯାଇଛି। ଗତ ସପ୍ତାହେ ହେବ କମିସନରେଟ୍ ପୁଲିସର ଏଭଳି ଧରପଗଡ଼ ପରେ ଏବେ ଅନେକ ଅପରାଧୀ ଅଣ୍ଡର୍ଗ୍ରାଉଣ୍ଡ ହୋଇ ଯାଇଛନ୍ତି।