ଓସ୍କାର ଚିଟ୍‌ଫଣ୍ଡ୍‌ ଠକେଇ: ବିହାରରୁ ଗିରଫ ହେଲେ ମୁଖ୍ୟ ଅଭିଯୁକ୍ତ

ଭୁବନେଶ୍ୱର : ବହୁ ଚର୍ଚିତ ଓସ୍କାର ଚିଟ୍‌ଫଣ୍ଡ୍‌ ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ଗୁଜୁରାଟ ମୁଖ୍ୟଙ୍କୁ ବିହାରରୁ ଗିରଫ କରିଛି ସୁରତ ପୁଲିସ। ତାଙ୍କ ନାଁ ଦୀପକ କ୍ଷତ୍ରୀ। ସେ ଦୀର୍ଘ ଦିନ ଧରି ସୁରତ ପୁଲିସ ଆଖିରେ ଧୂଳି ଦେଇ ଫେରାର ଥିଲେ। ଓସ୍କାର କମ୍ପାନି ଅଧ୍ୟକ୍ଷ ପ୍ରଭାସ ରାଉତ ଓ ନିର୍ଦେଶକ ପ୍ରଭାତ ପଟ୍ଟନାୟକଙ୍କଠାରୁ ପାଓ୍ଵାର ଅଫ୍‌ ଆଟର୍ନି ନେଇ ଗୁଜୁରାଟରେ ଥିବା ଓସ୍କାର ସମ୍ପତ୍ତି ବିକ୍ରି କରୁଥିଲେ। ସୁରତ ପୁଲିସ ତାଙ୍କୁ ୭ ଦିନିଆ ରିମାଣ୍ଡରେ ନେଇ ପଚରା ଉଚରା ଆରମ୍ଭ କରିଛି। ତେବେ ଓଡିଶା ପୁଲିସ ତାଙ୍କୁ ରିମାଣ୍ଡରେ ଆଣିବ କିମ୍ବା ନାହିଁ ଏ ନେଇ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ।

ଓସ୍କାର ଚିଟ୍‌ଫଣ୍ଡ୍‌ କମ୍ପାନି ନାଁରେ ପାଖାପାଖି ୨୩୦ କୋଟି ଟଙ୍କାର ଠକେଇ ଅଭିଯୋଗ ରହିଛି। ୨୦୧୫ ମାର୍ଚ ମାସରେ ସଂସ୍ଥା ବିରୋଧରେ ମାମଲା ରୁଜୁ ହେବା ପରେ ପ୍ରଭାସଙ୍କ ସମେତ ଅନ୍ୟମାନେ ଫେରାର ହୋଇ ଯାଇଥିଲେ। ଦୀର୍ଘ ଦିନ ଧରି କ୍ରାଇମ୍‌ବ୍ରାଞ୍ଚ ତାଙ୍କୁ ଗିରଫ କରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଥିଲା। ୨୦୧୬ ଜୁନ୍‌ ୧୦ ତାରିଖରେ ପ୍ରଭାସଙ୍କୁ କ୍ରାଇମ୍‌ବ୍ରାଞ୍ଚ ଦିଲ୍ଲୀର ହଜଖାସ୍‌ ଅଞ୍ଚଳରେ ଥିବା ଏକ ମନ୍ଦିରର ଅତିଥି ଭବନରୁ ଗିରଫ କରିଥିଲା। ଚିଟଫଣ୍ଡ୍‌ ଟଙ୍କାରେ ପ୍ରଭାସ ଚଳଚ୍ଚିତ୍ର ନିର୍ମାଣରେ ଖର୍ଚ କରିଥିଲେ। ଚିଟଫଣ୍ଡ୍‌ ସହିତ ଓଲିଉଡ୍‌ ଲିଙ୍କ ନେଇ ଖୋଳତାଡ଼ ହେବ ବୋଲି ତତ୍କାଳୀନ କ୍ରାଇମବ୍ରାଞ୍ଚ ମୁଖ୍ୟ ବିଜୟ ଶର୍ମା ସୂଚନା ଦେଇଥିଲେ। ପରବର୍ତୀ ସମୟରେ ଜଣାପଡ଼ିଥିଲା ଓଲିଉଡର କେତେକ ଅଭିନେତା ଓ ଅଭିନେତ୍ରୀ ଗୁଜୁରାଟ ଯାଇ ସଂସ୍ଥା ପାଇଁ ପ୍ରଚାର ମଧ୍ୟ କରିଥିଲେ।

ପ୍ରକାଶଥାଉକି, ସଂସ୍ଥା ୨୦୦୫ ମସିହାରେ ନନ୍ଦନକାନନ ଥାନା ଅଧୀନରେ ପ୍ରଥମେ ଜମି ଓ ଫ୍ଲାଟ କାରବାର ଆରମ୍ଭ କରିଥିଲା। ପରେ ୨୦୦୮ ମସିହାରେ ଏହାକୁ ଏକ ଚିଟ୍‌ଫଣ୍ଡ୍‌ କମ୍ପାନିରେ ପରିଣତ କରାଯାଇ ବିଭିନ୍ନ ସ୍ଥାନରେ କାର୍ଯ୍ୟାଳୟ ଖୋଲିଥିଲା। ଜମାକାରୀଙ୍କୁ ବିଭିନ୍ନ ଲୋଭନୀୟ ସ୍କିମ୍‌ ଦେଖାଇ କୋଟି ଟଙ୍କା ସଂଗ୍ରହ କରି ଚାଲିଥିଲା ସଂସ୍ଥା। ପରେ ସଂସ୍ଥା ସାରା ରାଜ୍ୟ ଓ ରାଜ୍ୟ ବାହାର ଗୁଜୁରାଟ, ମହାରାଷ୍ଟ୍ର ଭଳି ରାଜ୍ୟରେ ୧୦୦ଟି ପାଖାପାଖି ଶାଖା ଖୋଲିଥିଲା। ଓଡ଼ିଶାରେ ୫୦ଟି ଶାଖା ଥିବାବେଳେ ଗୁଜୁରାଟରେ ୪୫ ଓ ମହାରାଷ୍ଟ୍ରରେ ୫ଟି ଶାଖା ଚାଲୁଥିଲା। ୨୦୧୩ ମସିହାରେ ହଠାତ୍‌ କମ୍ପାନିରେ ତାଲା ଝୁଲି ଥିଲା। ସଂସ୍ଥା କେଉଁ ଆଡେ ଉଭାନ ହୋଇ ଯାଇଥିଲା। ଏ ନେଇ ଜମାକାରୀମାନେ ପ୍ରଥମେ କମିସନରେଟ୍‌ ପୁଲିସ ଓ ପରେ କ୍ରାଇମ୍‌ବ୍ରାଞ୍ଚ ନିକଟରେ ଅଭିଯୋଗ କରିଥିଲେ। କ୍ରାଇମ୍‌ବ୍ରାଞ୍ଚର ଏକ ଟିମ୍‌ ଗୁଜୁରାଟ ଓ ମହାରାଷ୍ଟ୍ର ଯାଇ ତଦନ୍ତ କରି ଖାଲି ହାତରେ ଫେରିଥିଲା। ଏଭଳି ପରିସ୍ଥିତିରେ ଓସ୍କାର କମ୍ପାନି ଅଧ୍ୟକ୍ଷ ପ୍ରଭାସ ରାଉତ ଓ ନିର୍ଦେଶକ ପ୍ରଭାତ ପଟ୍ଟନାୟକଙ୍କଠାରୁ ପାଓ୍ଵାର ଅଫ୍‌ ଆଟର୍ନି ନେଇ ଗୁଜୁରାଟରେ ଥିବା ଓସ୍କାର ସମ୍ପତ୍ତିକୁ ଦୀପକ ବିକ୍ରି କରିବା ଘଟଣା ଓଡ଼ିଶା ପୁଲିସ ତଥା କ୍ରାଇମ୍‌ବ୍ରାଞ୍ଚର ତଦନ୍ତକୁ ନେଇ ଜମାକାରୀମାନେ ପ୍ରଶ୍ନ ଉଠାଇଛନ୍ତି।

ସମ୍ବନ୍ଧିତ ଖବର