ମହିଳାଙ୍କୁ ଘରେ ପୂରାଇ ହାତଗୋଡ଼ ବାନ୍ଧି ୬ ଘଣ୍ଟା ଦୁଷ୍କର୍ମ କରିବା ପରେ ଗିରଫ ହେଲେ ଜାମିନରେ ଆସିଥିବା ତାଇକୋଣ୍ଡୋ ଶିକ୍ଷକ

ନୂଆଦିଲ୍ଲୀ: ଦୁଇ ଡଜନାଧିକ ଅସଦାଚରଣ, ମହିଳାଙ୍କୁ ଅନୁସରଣ, ଚୋରି ଓ ଡକାୟତିରେ ସମ୍ପୃକ୍ତ ଜଣେ ୩୮ ବର୍ଷିୟ ବ୍ୟକ୍ତି ଜାମିନ୍‌ ପାଇ ମୁକୁଳିବା ମାସକ ପରେ ଜଣେ ମହିଳାଙ୍କ ସହ ଦୁଷ୍କର୍ମ କରି ପୁଣି ଥରେ ଗିରଫ ହୋଇଛନ୍ତି।

ସେ ଜଣକ ହେଉଛନ୍ତି ସନ୍ଦୀପ ଚୌହାନ ନାମକ ଜଣେ ତାଇକୋଣ୍ଡୋ ଶିକ୍ଷକ। ମେ ୨୯ ତାରିଖ ଦିନ ସେ ଉକ୍ତ ମହିଳାଙ୍କ ଘରେ ଜବରଦସ୍ତି ପଶି ତାଙ୍କ ସହ ଦୁଷ୍କର୍ମ କରିବା ସହ ହତ୍ୟା କରିବାକୁ ଉଦ୍ୟମ କରିଥିଲେ।

୨୭ ବର୍ଷୀୟ ଉକ୍ତ ମହିଳା ଅଭିଯୋଗ କରିବା ପରେ ପୁଲିସ ସନ୍ଦୀପଙ୍କୁ ଭାରତୀୟ ପିଙ୍ଗଳ କୋଡ୍‌ ଧରା ୩୭୬, (ଦୁଷ୍କର୍ମ) ୩୦୭ (ହତ୍ୟା ଉଦ୍ୟମ), ୩୯୨ (ଡକାୟତି), ୩୨୮ (ବିଷକ୍ରିୟା), ୩୪୨ (ବେଆଇନ୍‌ ଅଟକ) ଏବଂ ୫୦୬ (ଧମକ) ଆଦି ଦଫାରେ ବୁକ୍‌ କରିଛି।

ପୀଡ଼ିତାଙ୍କ କହିବାନୁସାରେ, ମେ ୨୯ ତାରିଖ ଦିନ ସେ ଅଫିସ୍‌ରୁ ଫେରିବା ପରେ ଅଭିଯୁକ୍ତ ତାଙ୍କୁ ପଛଆଡୁଆ ଧରି ଘରେ ପୂରାଇ ଦେଇ କବାଟ କିଳି ଦେଇଥିଲେ। ପରେ ସେ ପୀଡ଼ିତାଙ୍କ ହାତ ଗୋଡ଼ ବାନ୍ଧି, ତାଙ୍କୁ ମଦ ପିଆଇବା ପରେ ତାଙ୍କ ସହ ଦୁଷ୍କର୍ମ କରି ସାରି ହତ୍ୟା କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ, କୌଣସି କାରଣରୁ ରାତି ୪ଟା ପରେ ଅର୍ଥାତ୍‌ ୬ ଘଣ୍ଟା ପରେ ସେ ପୀଡ଼ିତାଙ୍କୁ ଛାଡ଼ି ଦେଇ ତାଙ୍କ ଫୋନ୍‌ ନେଇ ପଳାଇଥିଲେ।

ପରଦିନ ପୀଡ଼ିତା ବସନ୍ତ କୁଞ୍ଜ (ଉତ୍ତର) ଥାନାରେ ପହଞ୍ଚି ସମଗ୍ର ଘଟଣା ବର୍ଣ୍ଣନା କରିଥିଲେ। ସନ୍ଦିଗ୍ଧଙ୍କର ଚେହେରାର ବର୍ଣ୍ଣନା ପାଇବା ପରେ ପୁଲିସ ତାଙ୍କୁ ଚୌହାନଙ୍କର ଫଟୋ ଦେଖାଇବାରୁ ସେ ଚିହ୍ନି ପାରିଥିଲେ। ପରେ ଯାଇ ପୁଲିସ ଚୌହାନଙ୍କୁ ଗିରଫ କରିଥିଲେ।

ଜଣେ ମହିଳାଙ୍କ ସହ ଅସଦାଚରଣ କରି ଗତବର୍ଷ ଗିରଫ ହୋଇଥିବା ଚୌହାନ ମାର୍ଚ ମାସରେ ଜାମିନ ପାଇ ମୁକୁଳିଥିଲେ। ପୁଣି ଏପ୍ରିଲ୍‌ ୧୫ ତାରିଖରେ ଦୁଇ ଜଣ ମହିଳାଙ୍କ ସମ୍ମୁଖରେ ଅଶୋଭନୀୟ କାଣ୍ଡ କରି ଗିରଫ ହୋଇଥିଲେ। ୧୪ ଦିନି ପାଇଁ ବିଚାର ବିଭାଗୀୟ ହାଜତରେ ରହିବା ପରେ ସେ ଜାମିନ୍‌ ପାଇ ମୁକୁଳିଥିଲେ।

ସମ୍ବନ୍ଧିତ ଖବର