ପୁଣି ସାମ୍ନାକୁ ଆସିଲା ‘ପକଡଓ୍ଵା ବିବାହ’, ଇଞ୍ଜିନିୟରଙ୍କୁ ଅପହରଣ କରି ଜୋରଜବରଦସ୍ତ ବିବାହ କରାଇଲେ

ପାଟନା: ବିହାରରେ ପୁଣିଥରେ ପକଡ଼ଓ୍ଵା ବିବାହର ଏକ ମାମଲା ସାମ୍ନାକୁ ଆସିଛି। ହାଜିପୁରସ୍ଥିତ ରେଲେଓ୍ଵରେ କାର୍ଯରତ ଜଣେ ଇଞ୍ଜିନିୟରଙ୍କୁ ଅପହରଣ କରିବା ପରେ ଜୋରଜବରଦସ୍ତ ଜଣେ ଯୁବତୀଙ୍କ ସହିତ ବିବାହ କରାଇ ଦେବା ନେଇ ଅଭିଯୋଗ ହୋଇଛି।

ସମସ୍ତିପୁର ରେଲ ମଣ୍ଡଳରେ କାର୍ଯ୍ୟରତ ଇଞ୍ଜିନିୟର ଦୁର୍ଗା ଚରଣଙ୍କ କହିବାନୁସାରେ, ସେ ଉଇକ୍‌ଲି ଛୁଟିରେ ତାଙ୍କ ଆଈଙ୍କ ଘରକୁ ବୁଲିବାକୁ ଯାଉଥିଲେ। ଏହି ସମୟରେ କିଛି ଲୋକ ତାଙ୍କୁ ଅପହରଣ କରି ବୋଲେରୋରେ ଏକ ଅଜଣା ରାସ୍ତାରେ ନେଇ ଯାଇଥିଲେ। ଏହାପରେ ତାଙ୍କ ସହ ମାରପିଟ କରି ତାଙ୍କୁ ଜଣେ ଯୁବତୀଙ୍କ ସହ ଜୋରଜବରଦସ୍ତି ବିବାହ କରାଇ ଦେଇଥିଲେ।

ପୀଡିତ ମା’ଙ୍କ ବୟାନ ପରେ ପୁଅ ଅପହରଣ ନେଇ ପୁଲିସରେ ମାମଲା ରୁଜୁ ହୋଇଥିଲା। ଏହାପରେ ପୁଲିସ ଜୁଡାବନପୁର ଥାନାସ୍ଥିତ ରାଘୋପୁର ପଶ୍ଚିମ ଅଞ୍ଚଳରୁ ଇଞ୍ଜିନିୟର ଦୁର୍ଗାଚରଣଙ୍କ ସହିତ ତାଙ୍କର ଯେଉଁ ଯୁବତୀଙ୍କ ସହ ବିବାହ ହୋଇଥିଲା ତାଙ୍କୁ ବି ସେଠାରୁ  ଉଦ୍ଧାର କରିଥିଲା।

ସେପଟେ ଯୁବତୀ ବିବାହ ନାମରେ ଯୌତୁକ ମାଗୁଥିବା ନେଇ ଦୁର୍ଗାଚରଣଙ୍କ ବିରୋଧରେ ମାମଲା ରୁୁଜୁ କରି କାହାଣୀକୁ ଅନ୍ୟ ମୋଡ ଦେଇଛନ୍ତି। ଯୁବତୀ କହନ୍ତି, ସେ ପଟନାରେ ରହନ୍ତି ଓ ଦୁର୍ଗାଚରଣଙ୍କ ସହିତ ତାଙ୍କର ଏକ ବର୍ଷ ହେବ ପରିଚୟ ହୋଇଥିଲା। ଯୁବକ ବିବାହ ନାମରେ ଟଙ୍କା ମାଗିବା ସହିତ ଅଣଦେଖା କରିବା ଆରମ୍ଭ କରିଥିଲେ ବୋଲି ଯୁବତୀ ଅଭିଯୋଗ କରିଥିଲେ।  ପୁଲିସ ଉଭୟ ପକ୍ଷରୁ ବୟାନ୍‌ ରେକର୍ଡ କରିବା ପରେ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର