ଛାତ୍ରୀଙ୍କ ସହ ୯ ମାସ ଧରି ଦୁଷ୍କର୍ମ କରୁଥିଲେ ପ୍ରିନ୍‌ସିପାଲ୍‌; ଦୃଶ୍ୟ ଉତ୍ତୋଳନ କରିଥିଲେ କ୍ଲର୍କ; ଉଭୟ ଗିରଫ

ପାଟନା: ଗତ କେତେ ମାସ ହେବ ସ୍କୁଲ୍‌ ପରିଧି ମଧ୍ୟରେ ଜଣେ ଛାତ୍ରୀଙ୍କ ସହ ଥରକୁ ଥର ଦୁଷ୍କର୍ମ କରିଥିବା ଅଭିଯୋଗରେ ବୁଧବାର ଦିନ ପାଟନାର ଗୋଟିଏ ଘରୋଇ ସ୍କୁଲ୍‌ର ଜଣେ ପ୍ରିନ୍‌ସିପାଲ୍‌ଙ୍କୁ ଗିରଫ କରାଯାଇଛି। ଘଟନାର ଭିଡିଓ କ୍ଲିପ୍‌ କରି ପୀଡ଼ିତାଙ୍କୁ ବ୍ଲାକ୍‌ମେଲ୍‌ କରୁଥିବା କାରଣରୁ ସ୍କୁଲ୍‌ର ଜଣେ କ୍ଲର୍କଙ୍କୁ ମଧ୍ୟ ହାଜତକୁ ନିଆଯାଇଛି।

ବୁଧବାର ଦିନ ସ୍କୁଲ୍‌ରୁ ଘରକୁ ଫେରି ଝିଅଟି ବାନ୍ତି କରିବା ପରେ କଥା ଜଣା ପଡ଼ିଥିଲା ବୋଲି ପୁଲିସ କହିଛି। ସେ ଅନ୍ତଃସତ୍ତ୍ୱା ବୋଲି ଡାକ୍ତରୀ ପରୀକ୍ଷାରୁ ଜଣାପଡ଼ିବା ପରେ ପୁଲିସକୁ ଘଟନା ବିଷୟରେ କୁହାଯାଇଥିଲା।

ପରେ ଝିଅଟି ପୁଲିସକୁ କହିଛି ଯେ ଫୁଲ୍‌ଓ୍ଵାରିଶରିଫ୍‌ସ୍ଥିତ ସ୍କୁଲ୍‌ର ପ୍ରିନ୍‌ସିପାଲ୍‌ ତାକୁ ଛୁରି ଦେଖାଇ ଧମକ ଦେବା ସହ ଗତ ୯ ମାସ ହେବ ଯୌନ ଉତ୍ପୀଡ଼ନ ଦେଇ ଆସୁଛନ୍ତି। ସ୍କୁଲ୍‌ର କ୍ଲର୍କ ଦୁଷ୍କର୍ମର ଭିଡିଓ ଉତ୍ତୋଳନ କରି ତାହାକୁ ସାମାଜିକ ଗଣମାଧ୍ୟମରେ ପ୍ରସାରଣ କରିଦେବ ବୋଲି ଧମକ ଦେଇ ମୋତେ ବରାବର ବ୍ଲାକ୍‌ମେଲ୍‌ କରି ଆସୁଛନ୍ତି। ଖାତା ଦେଖିବା ବାହାନାରେ ଅଫିସ୍‌କୁ ଡକାଇ ପ୍ରଥମେ ପ୍ରିନ୍‌ସିପାଲ୍‌ ତାଙ୍କ ସହ ଦୁଷ୍କର୍ମ କରିଥିଲେ।

ପୁଲିସ କହିଛି ଯେ ମହିଳା ଥାନା ଝିଅର ପିତାମାତାଙ୍କ ବୟାନ ଆଧାରରେ ଏକ ମାମଲା ରୁଜୁ କରିଛି। ଅଧିକ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଫୁଲଓ୍ଵାରିଶରିଫ୍‌ ଥାନା ଏହି ମାମଲାଟିକୁ ମହିଳା ଥାନାକୁ ସ୍ଥାନାନ୍ତର କରିଥିଲା।

ପାଟନା ପୁଲିସର ବରିଷ୍ଠ ସୁପରିଣ୍ଟେଣ୍ଡେଣ୍ଟ୍‌ ମନୁ ମହାରାଜ କହନ୍ତି, ତୁରନ୍ତ କାର୍ଯ୍ୟନୁଷ୍ଠାନ ସ୍ୱରୂପ ପୁଲିସ ସ୍କୁଲ୍‌ ପ୍ରିନ୍‌ସିପାଲ୍‌ ଏବଂ କ୍ଲର୍କଙ୍କୁ ଗିରଫ କରିଛି। ଝିଅକୁ ଧମକ ଦେବାରେ ବ୍ୟବହୃତ ଛୁରିଟି ମଧ୍ୟ ଜବତ୍‌ ହୋଇଛି।

ସମ୍ବନ୍ଧିତ ଖବର