ଲୁଟେରାକୁ ଛେଚି ପୁଲିସ୍‌ରେ ଦେଲେ, ସ୍କୁଟି ‌ଓ ୨ ମୋବାଇଲ୍‌ ଜବତ

ଭୁବନେଶ୍ୱର: ମୋବାଇଲ ଲୁଟ୍‌ ଅଭିଯୋଗରେ ଖାରବେଳନଗର ଥାନା ପୁଲିସ କଟକ ନିଆଳି ଅଞ୍ଚଳର ପରମାନନ୍ଦ ବେହେରା ଓରଫ କାର୍ତ୍ତିକ(୨୮) ଓ ଢେଙ୍କାନାଳ ହିନ୍ଦୋଳ ଅଞ୍ଚଳର ଶୀତୁ ବେହେରା(୨୮)କୁ ଗିରଫ କରି କୋର୍ଟଚାଲାଣ କରିଛି। ଶୀତୁ ୟୁନିଟ୍‌-୯ ରୋଡ୍‌ ନଂ-୮ରେ ରହୁଥିବା ବେଳେ କାର୍ତ୍ତିକ ପ୍ରଦର୍ଶନୀ ପଡ଼ିଆ ପଛପଟ ଅଞ୍ଚଳରେ ରୁହେ। ସେମାନଙ୍କଠାରୁ ପୁଲିସ ଗୋଟିଏ ସ୍କୁଟି ଓ ୨ଟି ମୋବାଇଲ ଜବତ କରିଛି। ପୁଲିସ ସୂଚନା ମୁତାବକ, ମଙ୍ଗଳବାର ରାତି ପ୍ରାୟ ସାଢ଼େ ୯ଟାରେ ଅଭିଜ୍ଞାନ କୁଣ୍ଡୁ ନାମକ ଜଣେ ଯୁବକ ରେଳ ଷ୍ଟେସନରୁ ସତ୍ୟନଗର ଫେରୁଥିଲେ। ସେ ମାଷ୍ଟରକ୍ୟାଣ୍ଟିନ୍‌ ତାରିଣୀ ମନ୍ଦିର ନିକଟରେ ଯାଉଥିବା ବେଳେ କାର୍ତ୍ତିକ ଓ ଶୀତୁ ଏକ ସ୍କୁଟିରେ ତାଙ୍କୁ ପିଛା କରିଥିଲେ। କିଛି ବାଟ ଯିବା ପରେ ହଠାତ୍‌ ଉଭ‌‌‌‌ୟ କୁଣ୍ଡୁଙ୍କ ସାମ୍ନାରେ ସ୍କୁଟି ରଖି ତାଙ୍କୁ ଆକ୍ରମଣ କରିଥିଲେ। ସେ କିଛି ବୁଝିବା ପୂର୍ବରୁ ତାଙ୍କ ମୋବାଇଲ୍‌ ଓ ଟଙ୍କା ଛଡ଼ାଇ ନେଇଥିଲେ। ଅଭିଜ୍ଞାନଙ୍କ ଚିତ୍କାର ଶୁଣି ଆଖପାଖରେ ଥିବା ଲୋକମାନେ ଧାଇଁ ଆସିବାରୁ କାର୍ତ୍ତିକ ଓ ଶୀତୁ ପଳାଇବାକୁ ଚେଷ୍ଟା କରିଥିଲେ। ସ୍ଥାନୀୟ ଲୋକେ ଗୋଡ଼ାଇ ଗୋଡ଼ାଇ କାର୍ତ୍ତିକକୁ କାବୁ କରି ନିସ୍ତୁକ ମାଡ଼ ମାରି ପୁଲିସ ଜିମା ଦେଇଥିଲେ। ପରେ କାର୍ତ୍ତିକକୁ ପଚରାଉଚରା କରି ତା’ତଥ୍ୟ ଆଧାରରେ ପୁଲିସ ରାମ ମନ୍ଦିର ନିକଟରୁ ଶୀତୁକୁ ଗିରଫ କରିବା ସହ ସ୍କୁଟି ଜବତ କରିଥିଲା।

ସମ୍ବନ୍ଧିତ ଖବର