ପୁଲିସ ନିଷ୍କ୍ରିୟତା ପ୍ରତିବାଦରେ ବେଗୁନିଆ ଥାନା ଭିତରେ ପଶି ଭଙ୍ଗାରୁଜା : ୫୭ ନମ୍ବର ଜାତୀୟ ରାଜପଥ ଅବରୋଧ

ଖୋର୍ଦ୍ଧା: ପୁଲିସ ନିଷ୍କ୍ରିୟତା ପ୍ରତିବାଦରେ ବୁଧବାର ଉତ୍ତ୍ୟକ୍ତ ଲୋକେ ବେଗୁନିଆ ଥାନା ଭିତରେ ପଶି ଭଙ୍ଗାରୁଜା କରିଛନ୍ତି।  ବେଗୁନିଆର ପୂର୍ବତନ ସରପଞ୍ଚ ନବ କିଶୋର ସ୍ବାଇଁଙ୍କୁ  କିଛି ଦିନ ପୂର୍ବେ ସ୍ଥାନୀୟ ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ପକ୍ଷରୁ ଦୁର୍ବବ୍ୟବହାର କରାଯାଇଥିବା ସହ ହତ୍ୟା ଧମକ ଦିଆଯାଇଥିବା ଅଭିଯୋଗ ହୋଇଥିଲା। ପୁଲିସକୁ ଏ ନେଇ ଏଫଆଇଆର୍ ଦିଆ ଯାଇଥିଲା। ଏହି ଅଭିଯୋଗ ସତ୍ତ୍ୱେ ଏଯାବତ୍‌  ପୁଲିସ ପକ୍ଷରୁ  କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିଲା।  ତେଣୁ ଆଜି ତାଙ୍କର ଶତାଧିକ ସମର୍ଥକ ବେଗୁନିଆ ଥାନା ଘେରାଉ କରିଥିଲେ। ଏହି ଘେରାଉ ସମୟରେ ଲୋକେ ଥାନା ଭିତରେ ପଶି ଭଙ୍ଗାରୁଜା କରିବା ଆରମ୍ଭ କରି ଦେଇଥିଲେ ବୋଲି ସୂଚନା ମିଳିଛି। ଏହି ଘଟଣାକୁ ନେଇ ବେଗୁନିଆ ଥାନା ଆଗରେ ଉତ୍ତେଜନାମୂଳକ ପରିସ୍ଥିତି ଦେଖା ଦେଇଥିଲା । ଉତ୍ତେଜନା ଜାରି ରହି ଥିବାରୁ ଥାନା ପରିସରକୁ ପୁଲିସ ଜଗି ରହିଛି।

ଏହି ଘଟଣାକୁ ନେଇ ଖୋର୍ଦ୍ଧା ଓ ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥକୁ ଉତ୍ତ୍ୟକ୍ତ ଲୋକେ ଅବରୋଧ କରିଛନ୍ତି। ଫଳରେ ଖୋର୍ଦ୍ଧା ଓ ବଲାଙ୍ଗୀର ରାସ୍ତାର ଉଭୟପାର୍ଶ୍ୱରେ ଶହଶହ ଗାଡ଼ି ଅଟକି ରହିଛି। ଯାତାୟାତରେ ଅସୁବିଧା ପରିଲକ୍ଷିତ ହୋଇଛି। ପୁଲିସ ପରିସ୍ଥିତିକୁ ଆୟତ୍ତକୁ ଆଣିବାକୁ ଚେଷ୍ଟା ଜାରି ରଖିଛି। ଘଟଣାସ୍ଥଳରେ ୩ ପ୍ଲାଟୁନ୍ ପୁଲିସ୍ ମୁତୟନ ହୋଇଛନ୍ତି।

ସୂଚନା ଅନୁସାରେ ଗତ ୩୧ ତାରିଖରେ ବେଗୁନିଆ ବଧାୟକ ପ୍ରଶାନ୍ତ ଜଗଦେବ ପୂର୍ବତନ ସରପଞ୍ଚ ନବ କିଶୋର ସ୍ୱାଇଁଙ୍କୁ ଆକ୍ରମଣ କରିବା ସହିତ ଧମକ ଦେଇଥିଲେ । ଅଭିଯୋଗ ସତ୍ତ୍ୱେ ପୋଲିସ କୌଣସି ପଦକ୍ଷେପ ନ ନେଇ ବିଧାୟକଙ୍କୁ ଘଣ୍ଟ ଘୋଡାଇ ରଖିଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି । ବେଗୁନିଆ ଥାନାର ଗେଟ ତାଲା ଭାଙ୍ଗି ଥାନା ଭିତରେ ଧସେଇ ପଶିଥିଲେ । ସୂଚନା ଅନୁସାରେ ଉତ୍ତ୍ୟକ୍ତ ଲୋକଙ୍କ ମାଡରେ ଏସଆଇ ମହେନ୍ଦ୍ର ସେଠୀ ଆହତ ହୋଇଛନ୍ତି । ଏହା ସହ ଉତ୍ତ୍ୟକ୍ତ ଲୋକମାନେ ୫୭ ନମ୍ବର ଜାତୀୟ ରାଜପଥରେ ବସି ରାସ୍ତା ଅବରୋଧ କରିଛନ୍ତି । ସ୍ଥାନୀୟ ବିଧାୟକଙ୍କୁ ଗିରଫ ନ କରାଯିବା ପର୍ଯ୍ୟନ୍ତ ରାସ୍ତା ଅବରୋଧ ଜାରି ରହିବ ବୋଲି ଉତ୍ତ୍ୟକ୍ତ ଲୋକମାନେ ଚେତାବନୀ ଦେଇଛନ୍ତି ।

 

ସମ୍ବନ୍ଧିତ ଖବର