ସଫ୍ଟଓ୍ଵୟାର୍‌ ଇଞ୍ଜିନିୟରଙ୍କୁ ପିଲାଚୋରି ସନ୍ଦେହରେ ଗୋଡ଼େଇ ଗୋଡ଼େଇ ପିଟିଲେ, ଜୀବନ ବଞ୍ଚାଇଲା ପୁଲିସ୍‌

କେନ୍ଦୁଝର: ଗତ କିଛି ଦିନ ହେବ ପିଲା ଚୋରି ଭୟ ସାରା ରାଜ୍ୟରେ ଦେଖାଦେଇଛି। ବହୁ ସ୍ଥାନରେ  ଲୋକେ ପିଲାଚୋର ସନ୍ଦେହରେ ନିର୍ଦ୍ଦୋଷଙ୍କୁ ଆକ୍ରମଣ କରିବା ଖବର ଆସୁଛି।  ଶୁକ୍ରବାର ପିଲା ଚୋରି ସନ୍ଦେହରେ କେନ୍ଦୁଝର ସହରର ହୁଡ୍‌କୋ କାଲୋନୀର ଜଣେ ସଫ୍‌ଟେଓ୍ଵୟାର୍‌ ଇଞ୍ଜିନିୟରଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଜାଣିବାକୁ ମିଳିଛି ଯେ ଇଞ୍ଜିନିୟର୍‌ ଜଣକ ହେଉଛନ୍ତି ଅବସରପ୍ରାପ୍ତ ପୁଲିସ୍‌ ଅଫିସର୍‌ ନରୋତ୍ତମ ଲୋହାରଙ୍କ ପୁଅ ଦିଗମ୍ବର ଲୋହାର। ଶୁକ୍ରବାର ସକାଳ ପ୍ରାୟ ୧୧.୩୦ ସମୟରେ ଦିଗମ୍ବର କଲୋନୀର ରାସ୍ତା ମଝିରେ ଥିବା ଏକ ଗଛରୁ ଶାଗ ତୋଳୁଥିବା ବେଳେ କିଛି ଲୋକ ସନ୍ଦେହରେ ପିଲା ଚୋର ବୋଲି ଚିତ୍କାର କରିଥିଲେ। ଏହା ଶୁଣି ପାଖାପାଖି ୫୦୦ ଲୋକ ତାଙ୍କୁ ଗୋଡ଼େଇ ଗୋଡ଼େଇ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ।  ଖବର ପାଇ ଟାଉନ୍‌ ଥାନା ପୁଲିସ୍‌ ସେଠାରେ ପହଞ୍ଚି ପରିସ୍ଥିତିିକୁ ଆୟତ୍ତରେ ନେଇଛି।

ଉଲ୍ଳେଖଯୋଗ୍ୟ, ଏକ ରାଜ୍ୟବାହାରର ଗ୍ୟାଙ୍ଗ ପିଲା ଚୋରି କରୁଛି ବୋଲି ସୋସିଆଲ୍‌ ମିଡିଆରେ ଖେଳି ଯାଇଥିବା ଏକ ଗୁଜବ ଖବର ପାଇଁ ରାଜ୍ୟବାସୀ ଭୟଭୀତ ହୋଇଛନ୍ତି। ବିଭିନ୍ନ ସ୍ଥାନରେ ଲୋକମାନେ ପିଲାଚୋର ବୋଲି ସନ୍ଦେହ କରି ଆଇନ୍‌କୁ ହାତକୁ ନେଇ ଅନେକ ଲୋକଙ୍କୁ ମାଡ଼ ମାରି ଳହୁଲୁହାଣ ବି କରୁଛନ୍ତି। ବିହାରୁ ୫ ଶହ ଯୁବକ ଆସି ପିଲା ଚୋରି କରି ନେଇ ସେମାନଙ୍କ ଆଖି ତାଢ଼ି ନେଇଛନ୍ତି ବୋଲି ଏକ ଖବର ହ୍ଵାଟ୍‌ସଆପରେ ଘୂରି ବୁଲିଥିଲା। ଖାଲି ସେତିକି ନୁହେଁ, କେତେକ ସନ୍ଦିଗ୍ଧ ବ୍ୟକ୍ତିବିଶେଷଙ୍କ ଫଟୋ ମଧ୍ୟ ଘୂରି ବୁଲିଥିଲା।

ସମ୍ବନ୍ଧିତ ଖବର