ରାତି ଅଧରେ ଦଲାଲ ଛୁ: କୋଲକାତାରେ ବନ୍ଧା ପଡ଼ିଲେ ୭୦ ତୀର୍ଥଯାତ୍ରୀ

ପର୍ଜଙ୍ଗ: ଦଲାଲ୍‌ଙ୍କ ମିଠା କଥାରେ ପଡ଼ି ପୂର୍ବ ଭାରତ ତୀର୍ଥ ଭ୍ରମଣରେ ଯାଇଥିବା ଅବିଭକ୍ତ ଢେଙ୍କାନାଳ ଜିଲ୍ଲାର ୭୦ ଜଣ ତୀର୍ଥଯାତ୍ରୀ ଠକେଇର ଶିକାର ହୋଇଛନ୍ତି। ଭ୍ରମଣ କରାଇବାକୁ ନେଇଥିବା ଦଲାଲ ଯାତ୍ରୀଙ୍କୁ କୋଲକାତାର ଏକ ପେଟ୍ରୋଲ ପମ୍ପ୍‌ରେ ବନ୍ଧା ପକାଇ ଛୁ ମାରିଥିବା ବେଳେ ଯାତ୍ରୀମାନେ ନିଜ ପକେଟରୁ ଟଙ୍କା ଗଣି ମୁକୁଳିଛନ୍ତି। ଯାତ୍ରୀଙ୍କ କହିବା ଅନୁସାରେ, ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ଜହ୍ନାପଡ଼ା ଗାଁର ଗୋବର୍ଧନ ସାହୁଙ୍କ ପୁଅ ବୁନୁ ସାହୁ, ବିବେକା ସାହୁ, ଖଣ୍ଡୁଆଳମୁଣ୍ଡା ଗ୍ରାମର କର୍ଣ୍ଣ ରାଉତ, ହିନ୍ଦୋଳ ବ୍ଲକ ଅଉଖମା ଗାଁ’ର ଶିକ୍ଷକ ଗୋପାନନ୍ଦ ସାହୁ ଗତ ଦଶହରା ଛୁଟିରେ ତୀର୍ଥଯାତ୍ରା ଯୋଜନା କରିଥିଲେ। ଯାତ୍ରୀମାନଙ୍କୁ ପୂର୍ବ ଭାରତର ମାୟାପୁରୀ, କଲିକତା, ନବଦୀପ, କାଳୀ ମନ୍ଦିର, ରାଣୀ ଭିକ୍ଟୋରିଆ, ଗଙ୍ଗା ଓ ଜଳଙ୍ଗା ନଦୀ ସଂଗମ ସ୍ଥଳକୁ ମିଶାଇ ମୋଟ୍‌ ୨୬ଟି ତୀର୍ଥ ସ୍ଥାନ ୫ ଦିନରେ ଦର୍ଶନ କରାଇବା ଲାଗି ପ୍ରତିଶ୍ରୁତି ଦିଆଯାଇଥିଲା। ତା’ ସହିତ ଦୈନିକ ଦୁଇ ଥର ଭୋଜନ ଓ ମାଗଣା ଜୀବନ ବୀମା କରାଯିବାକୁ ପ୍ରତିଶ୍ରୁତି ଦିଆଯାଇଥିଲା। ଦଲାଲ୍‌ଙ୍କ କଥାରେ ପଡ଼ି ହିନ୍ଦୋଳ, କଣିହାଁ, ଭାପୁର, କଙ୍କଡ଼ାହାଡ଼, ଖଣ୍ଡୁଆଳମୁଣ୍ଡା, ଜହ୍ନାପଡ଼ା, ସାଆନ୍ଦା, କଣ୍ଟାପାଳ ଆଦି ଅଞ୍ଚଳର ୭୦ ଜଣ ଯାତ୍ରୀ ଗତ ୨୭ ତାରିଖ ସନ୍ଧ୍ୟାରେ ବସ୍‌ ଯୋଗେ ତୀର୍ଥଯାତ୍ରାରେ ବାହାରିଥିଲା।

ବସ୍‌ରେ ମାତ୍ର ୬୦ଟି ସିଟ୍‌ ଥିବା ବେଳେ ସେଥିରେ ଛୋଟ ଶିଶୁ, ବୃଦ୍ଧବୃଦ୍ଧାଙ୍କୁ ମିଶାଇ ୭୦ ଜଣଙ୍କୁ ବସିବାକୁ କୁହାଯାଇଥିଲା। ପ୍ରଥମ ଦୁଇ ଦିନ ଯାତ୍ରୀମାନେ ଯାତ୍ରା କଷ୍ଟ ସମ୍ଭାଳିିଥିଲେ। କିନ୍ତୁ ତୃତୀୟ ଦିନ କଲିକତାରୁ ଗଙ୍ଗା ଓ ଜଳଙ୍ଗା ନଦୀ ଅଭିମୁଖେ ଯାତ୍ରା ବେଳେ ସନ୍ଧ୍ୟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଯାତ୍ରୀଙ୍କ ଶୌଚ ପାଇଁ କୌଣସି ବ୍ୟବସ୍ଥା କରାଯାଇନଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଅପରପକ୍ଷେ, ରାତି ଅଧରେ କୋଲକାତାଠାରୁ ୭୦ କିମି. ଦୂର ଏକ ପେଟ୍ରୋଲ ପମ୍ପ୍‌ରେ ବସ୍‌ରେ ତେଲ ପକାଇମୁଖ୍ୟ ଦଲାଲ୍‌ ବୁନୁ ଟଙ୍କା ପଇଠ ନ କରି ଛୁ ମାରିଥିଲା। ରାତି ପ୍ରାୟ ସାଢ଼େ ଗୋଟାଏ ବେଳେ ବୁନୁର ଅନ୍ୟ ତିନି ସାଥୀ ୭୦ ଜଣ ଲୋକଙ୍କ ପାଇଁ ମାତ୍ର ୪୦ଟି ଶୁଖିଲା ରୁଟି ଆଣି ଖାଇବାକୁ ଦେଇଥିଲେ। ରାତିସାରା ଭୋକରେ ରହିବା ପରେ ଯାତ୍ରୀମାନେ ପେଟ୍ରୋଲ ପମ୍ପରେ ତେଲ ବାବଦକୁ ୯ ହଜାର ଟଙ୍କା ପଇଠ କରି ସେଠାରୁ ମୁକୁଳିଥିଲେ।

ସମ୍ବନ୍ଧିତ ଖବର