ଧରାପଡ଼ି ଜେଲ୍‌ ଗଲେ ଧୂର୍ତ ମହିଳା

ଖଣ୍ଡଗିରି: ପୁଅର ଚିକିତ୍ସା ବାହାନାରେ ନିଜ ଗ୍ରାହକମାନଙ୍କ ମନରେ ସମବେଦନା ସୃଷ୍ଟି କରି ପ୍ରାୟ ୩୦ ଜଣ ମହିଳାଙ୍କଠାରୁ ୫୦ ଲକ୍ଷରୁ ଅଧିକ ଟଙ୍କା ନେଇ ପାର୍‌ ହୋଇଯାଇଥିବା ଜଣେ ଧୂର୍ତ ମହିଳାଙ୍କୁ ଖଣ୍ଡଗିରି ଥାନା ପୁଲିସ ଗୁରୁବାର କୋର୍ଟ ଚାଲାଣ କରିଛି। ସେ ହେଲେ କଟକ ବଡ଼ମ୍ବା ଥାନା ବେଲିଆପଦା ଗାଁର ସ୍ୱର୍ଗତ ପ୍ରଫୁଲ୍ଲ ସାହୁଙ୍କ ସ୍ତ୍ରୀ ସବିତା ସାହୁ(୪୦) ଓରଫ୍‌ ସଂଯୁକ୍ତା।
ପୁଲିସ ସୂଚନାନୁସାରେ ସବିତା ଶ୍ୟାମପୁରରେ ଘର ଭଡ଼ା ନେଇ ରହିବା ସହ ସ୍ଥାନୀୟ ନୂଆଗାଁ ଛକରେ ଏକ ଶାଢ଼ି ଓ ଚୁଡ଼ି ଦୋକାନ କରିଥିଲେ। ଶ୍ୟାମପୁରରେ ସେ ଘର ଭଡ଼ା ନେଇ ରହୁଥିଲେ। ଦୋକାନରେ ବିକିବା ସହ ସେ ନିକଟସ୍ଥ ଗାଁ ମଳିପଡ଼ା, ନୂଆଗାଁ ଓ ଶ୍ୟାମପୁରରେ ବୁଲି ବୁଲି ଘରେ ମହିଳାମାନଙ୍କୁ ନିଜର ଗ୍ରାହକ କରାଇ ପାରିଥିଲେ। କିନ୍ତୁ ସବିତା ଥିଲା ବଡ଼ ଧୂର୍ତ। ଉପରକୁ ଶାଢ଼ି ଓ ଚୁଡ଼ି ବେପାର କରୁଥିଲେ ବି ଲୋକଙ୍କୁ ଠକିବା ଥିଲା ତାଙ୍କ ମୁଖ୍ୟ ଉଦ୍ଦେଶ୍ୟ। ସୁଯୋଗ ଦେଖି ସେ ଜାଲ ବିଛାଇବା ଆରମ୍ଭ କରିଥିଲା। ପୁଅର କିଡ୍‌ନି ଖରାପ ହୋଇଯାଇଥିବାରୁ ଅପରେସନ୍‌ ଜରୁରି ବୋଲି ବଡ଼ ସୁନ୍ଦର ଅଭିନୟ କରି ସେ ମହିଳାମାନଙ୍କୁ ଫସାଇବାକୁ ଲାଗିଲା। ପ୍ରଥମେ ସେ ଶ୍ୟାମପୁରର ମଂଜୁବାଳା ମିଶ୍ରଙ୍କଠାରୁ ୩ ଲକ୍ଷ ଟଙ୍କା ଧାର୍‌ ନେଲା। ଏମିତିରେ ସେ ୩୦ ହଜାରରୁ ଆରମ୍ଭ କରି ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହାତ ଉଧାରି ଉଠାଇବାରେ ଲାଗିଲା। ପ୍ରାୟ ୩୦ରୁ ଅଧିକ ମହିଳାଙ୍କଠାରୁ ୫୦ ଲକ୍ଷରୁ ଅଧିକ ଟଙ୍କା ନେଇ ସେ ହଠାତ୍‌ ଦିନେ ଅନ୍ତର୍ଧାନ୍‌ ହୋଇଗଲା। ପରେ ଜଣାଗଲା ଯେ ସବିତା ସମସ୍ତଙ୍କୁ ଚୁନ ଲଗାଇ ପାର୍‌ ହୋଇଯାଇଛି। ତେଣୁ ଗତ ୧୫ ତାରିଖରେ ମହିଳାମାନେ ଖଣ୍ଡଗିରି ଥାନାର ଦ୍ୱାରସ୍ଥ ହୋଇଥିଲେ।

ଏ ଭିତରେ ଧାର୍‌ ଦେଇଥିବା ମହିଳାମାନେ ବି ସବିତାକୁ ଖୋଜୁଥିଲେ। ଆଜି ଖୋର୍ଧାରୋଡ୍‌ ଷ୍ଟେସନ୍‌ରେ ସେମାନେ ସବିତାକୁ ଠାବ କରିଥିଲେ। କିନ୍ତୁ ଧରିବାକୁ ସାହସ ଜୁଟାଇ ନପାରି ସେମାନେ ଜଟଣୀ ଥାନା ପୁଲିସର ସହଯୋଗ ନେଇଥିଲେ ଓ ପରେ ଖଣ୍ଡଗିରି ଥାନାକୁ ତାଙ୍କୁ ଅଣାଯାଇଥିଲା। ମଂଜୁବାଳାଙ୍କ ଅଭିଯୋଗ ବଳରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର