ସନ୍ଧ୍ୟାକୁ ଗିରଫ କଲା ପୁଲିସ: ଅପହୃତା ଛାତ୍ରୀକୁ ଛାଡ଼ି ଗେଡ଼ା ଚମ୍ପଟ

ବାଲିଅନ୍ତା: ବାଲିଅନ୍ତା ଥାନା ବାଳକାଟି ଫାଣ୍ଡି ଅଞ୍ଚଳରୁ ୪ ଦିନ ତଳେ ଅପହୃତ ହୋଇଥିବା ସପ୍ତମ ଶ୍ରେଣୀ ଛାତ୍ରୀକୁ ସ୍ଥାନୀୟ ପୁଲିସ ଉଦ୍ଧାର କରିବାରେ ବିଫଳ ହୋଇଥିବା ବେଳେ ସୋମବାର ରାତିରେ ଅପହର୍ତା ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ କୁହାଯାଉଥିବା ଗେଡ଼ା ଓ ତାର ଅନ୍ୟ ଜଣେ ସଦସ୍ୟ ଛାତ୍ରୀକୁ ଆଣି ତାଙ୍କ ଘର ନିକଟରେ ଛାଡ଼ି ଚମ୍ପଟ ମାରିଥିବା ସୂଚନା ମିଳିଛି। ହେଲେ ଅଭିଯୁକ୍ତ ଦ୍ୱୟଙ୍କୁ ସ୍ଥାନୀୟ ପୁଲିସ କାବୁ କରିବାରେ ସଂପୂର୍ଣ୍ଣ ବିଫଳ ହୋଇଛି। ଫଳରେ ଏହି ଅପହରଣ ନାଟକରେ ସଂପୃକ୍ତ ସମସ୍ତ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଦୁଇଦିନ ଧରି କସରତ ଚଳାଇଥିବା ସ୍ଥାନୀୟ ପୁଲିସର ସବୁ ପ୍ରକାର ଉଦ୍ୟମ ବ୍ୟର୍ଥ ହୋଇଛ। ଏ ସଂପର୍କରେ ଖବର ପାଇ ପୁଲିସ ଛାତ୍ରୀଙ୍କୁ ଥାନାକୁ ନେଇ ପଚରାଉଚରା ଚଳାଇଛି। ଅନ୍ୟପକ୍ଷରେ ବାଲିଅନ୍ତା ଥାନା ଅଧିକାରୀ ସୁଜିତ୍‌ ଦାସଙ୍କ କହିବାନୁଯାୟୀ ଘଟଣାରେ ପକ୍ଷଭୁକ୍ତ ଅନ୍ୟତମ ଅଭିଯୁକ୍ତ ସନ୍ଧ୍ୟାରାଣୀ ଗଜକୁ (୩୦) ଗିରଫ କରାଯାଇଛି।

ଆଜି ଅପରାହ୍ଣ ୪ଟାରେ ପୁଲିସ ପୁରୀ ଚନ୍ଦନପୁର ଥାନା ଅନ୍ତର୍ଗତ ବୀରମିତ୍ରପୁର ଗ୍ରାମରେ ଚଢ଼ାଉ କରି ସନ୍ଧ୍ୟାକୁ ଗିରଫ କରିଛି। ଆସନ୍ତା କାଲି ସନ୍ଧ୍ୟାକୁ କୋର୍ଟ ଚାଲାଣ କରାଯିବ। ଛାତ୍ରୀଙ୍କୁ ଉଦ୍ଧାର କରାଯିବା ପରେ ବାଲିଅନ୍ତା ଥାନା ପୁଲିସ ସହାୟତାରେ ମହିଳା ଥାନାରେ ତାଙ୍କ ବୟାନ ରେକର୍ଡ କରାଯାଇଥିବା ବେଳେ କ୍ୟାପିଟାଲ ହସ୍ପିଟାଲରେ ଡାକ୍ତରୀ ମାଇନା ହୋଇଛି। ଅପରାହ୍ଣରେ ଛାତ୍ରୀଙ୍କୁ ପୁଲିସ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ପୁଲିସ ମୁଖ୍ୟ ଅଭିଯୁକ୍ତ ଗେଡ଼ା ସମେତ ଅନ୍ୟ ସହଯୋଗୀମାନଙ୍କୁ ଗିରଫ କରିପାରିନି। ସୂଚନାଯୋଗ୍ୟ ଗତ ୧୬ ତାରିଖ ବିଳମ୍ବିତ ରାତିରେ ଅଭିଯୁକ୍ତମାନେ ଗୁଳି ଫୁଟାଇ ଛାତ୍ରୀଙ୍କୁ ଅପହରଣ କରି ନେଇଥିଲେ। ଘଟଣା ପରେ ପୁଲିସ ଏଠାରେ ଅଇଁଠା ଭୋଇଙ୍କ ଘର ଭଡ଼ା ନେଇ ରହୁଥିବା ପ୍ରକାଶ ଗଜ ଓ ତାଙ୍କ ଅନ୍ୟ ଭାଇମାନଙ୍କୁ ଥାନାରେ ଅଟକ ରଖିଥିଲା।

ପାରିବାରିକ କଳହରୁ ପିଲା ଚୋରି: ପରିବାର ଲୋକ ଓ ପୁଲିସଠାରୁ ମିଳିଥିବା ସୂଚନାନୁସାରେ ଉପରୋକ୍ତ ଦୁଇ ପରିବାର ମଧ୍ୟରେ ଥିବା କଳହକୁ କେନ୍ଦ୍ର କରି ଛାତ୍ରୀଙ୍କୁ ଅପହରଣ କରାଯାଇଥିବା ଜଣାପଡ଼ିଛି। ପ୍ରକାଶ ଗଜ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ଗତ ଦୁଇଦିନ ତଳେ ଝଗଡ଼ା ହୋଇଥିଲା। ସନ୍ଧ୍ୟା ଛାତ୍ରୀଙ୍କ ଘରେ ବସିଥିବା ସମୟରେ ଛୋଟ ଝିଅକୁ ତାଙ୍କ ସ୍ୱାମୀ ପ୍ରକାଶ ଛଡ଼ାଇ ନିଜ ପାଖରେ ରଖିଥିବା ବେଳେ ସନ୍ଧ୍ୟା ଅନ୍ୟତ୍ର ରହୁଥିଲେ। ଏଥିପାଇଁ ଛାତ୍ରୀଙ୍କ ବାପାଙ୍କୁ ସନ୍ଧ୍ୟା ଦାୟୀ କରି ରାଗ ସୁଝାଇବା ପାଇଁ ସେ ଗେଡ଼ା ସହିତ ମିଶି ଏଭଳି ଅପହରଣ ନାଟକ ରଚିଥିବା ପୁଲିସ ଆଗରେ ଦେଇଥିବା ବୟାନରୁ ଜଣାପଡ଼ିଛି ।

ସମ୍ବନ୍ଧିତ ଖବର