କମିଶନରେଟ ପୁଲିସ କବଜାରେ ସ୍ମାର୍ଟ ସିଟିର ସ୍ମାର୍ଟ ଚୋର

ଭୁବନେଶ୍ୱର : ପୁଲିସ କବଜାରେ ସ୍ମାର୍ଟ ସିଟିର ସ୍ମାର୍ଟ ଚୋର। ମୁଣ୍ଡରେ ହେଲମେଟ ଲଗାଇ ଅତ୍ୟନ୍ତ ଚାଲାକିର ସହ କଳା କନା ବୁଲାଉଥିଲା ଏହି ଚୋର। ଶିକ୍ଷାଗତ ଯୋଗ୍ୟତା ବି କିଛି କମ ନୁହେଁ। ବିବିଏ ପାଠ ପଢିଥିବା ଏହି ଚୋର ଘରୁ ପୋଲିସ ଧରପଗଡ ବେଳେ ଜବତ ହୋଇଛି ୮୦ ଲକ୍ଷ ଟଙ୍କାର ସାମଗ୍ରୀ। ଏହା ଭିତରେ ରହିଛି ସୁନା ଗହଣା ଓ ନାମିଦାମି ମୋବାଇଲ। ବାରମ୍ବାର ପୁଲିସକୁ ଚକମା ଦେଉଥିବା ଏହି ଚୋର କଳା କାରନାମା ଶେଷରେ ଧରାପଡିଛି।

ଚନ୍ଦ୍ରଶେଖରପୁର ଥାନା ପୁଲିସ ହାତରେ ଧରାପଡିଥିବା ଏହି ଚୋର ଠାରୁ ଜବତ ହୋଇଛି ୮୦ ଲକ୍ଷର ସାମଗ୍ରୀ। ଏଥିମଧ୍ୟରେ ରହିଛି ୪୦ ଲକ୍ଷ ଟଙ୍କାର ସୁନା ରୁପା ଗହଣା, ୨୬ଟି ଲାପଟପ୍‌, ୪୩ଟି ମୋବାଇଲ ଫୋନ୍‌ , ୨୭ଟି ଘଣ୍ଟା , ଚଷମା, ଏଲଇଡି ଟିଭି। ୬ଫୁଟ ଉଚ୍ଚର ଏହି ବ୍ୟକ୍ତି ଜଣଙ୍କ ହେଉଛନ୍ତି ସ୍ମାର୍ଟ ସିଟିର ସ୍ମାର୍ଟ ଚୋର ସଂଜୟ କୁମାର ନିସାଂକ। ଏହି ସ୍ମାର୍ଟ ଚୋରକୁ ଧରିବା ପାଇଁ ନାକେଦମ୍‌ ହୋଇଥିଲା କମିଶନରେଟ ପୁଲିସ।

ସିସିଟିଭି ଫୁଟେଜରେ ରହିଛି ସ୍ମାର୍ଟ ଚୋରର ଚିତ୍ର। ବିବିଏ ପଢୁଆ ଏହି ସ୍ମାର୍ଟ ଚୋରର ଅପରେସନ ଯେ କେହିବି ଦେଖିଲେ ଆଶ୍ଚର୍ଯ୍ୟ ହେବ। କଣ ଥିଲା ତାର ଚୋରି କରିବାର ତରିକା। ପ୍ରଥମେ କେଉଁ ଘରେ ଚୋରି ହେବ ତାର ରୋଡ ମ୍ୟାପ ବନାଉଥିଲା। କେହି ନଥିବା ସୁଯୋଗ ନେଇ ମୁଣ୍ଡରେ ହେଲମେଟ ପିନ୍ଧି ଘରେ ପଶୁଥିଲା ଆଉ କଳାକନା ବୁଲାଇସାରିବା ପରେ ତଦନ୍ତକୁ ଦିଗହରା କରିବା ପାଇଁ ସିଢିର ପାହାଚରେ ସାନିଟାରୀ ନ୍ୟାପକିନ୍‌ ଫୋପାଡି ଯାଉଥିଲା। ଧରା ନପଡିବା ପାଇଁ ମୁଣ୍ଡରେ ଲଗାଉଥିଲା ହେଲମେଟ୍‌। ହେଲମେଟର ଫଟୋ ଧରି ଏହି ସ୍ମାର୍ଟ ଚୋରକୁ ଖୋଜୁଥିଲା ପୁଲିସ। ଦେଢମାସର ଲୁଚକାଳି ପରେ ଶେଷରେ ଚୋରକୁ ଧରିଥିଲା ଚନ୍ଦ୍ରଶେଖରପୁର ଥାନା ପୁଲିସ। ଆଉ ପୁଲିସକୁ ଚୋର ପାଖରେ ପହଞ୍ଚାଇଥିଲା ଏହି ହେଲମେଟ।

ଚୋରମାନେ ବିଶେଷ କରି ରାତିରେ ଚୋରି କରୁଥିବା ବେଳେ, ଏହି ସ୍ମାର୍ଟ ଚୋର ଦିନ ବେଳା ଏବଂ ସଂଧ୍ୟା ସମୟରେ ଚୋରି କରୁଥିଲା। ଏହାର ଟାର୍ଗେଟରେ ଥିଲା ଘରର ପ୍ରଥମ ଏବଂ ଦ୍ୱିତୀୟ ମହଲା। ଏହି ଚୋର ଜଣଙ୍କ ଚନ୍ଦ୍ରଶେଖରପୁର ଏବଂ ଇନଫୋସିଟି ଥାନା ଅଧିନରେ ୧୫ରୁ ଅଧିକ ଘରେ ପଶି କଳାକନା ବୁଲାଇଥିବା ନେଇ ଥାନାରେ ମାମଲା ରହିଛି।

ସମ୍ବନ୍ଧିତ ଖବର