ଦିଲ୍ଲୀ ଆଶ୍ରମରେ ସେକ୍ସ ର‍୍ୟାକେଟ୍‌ ଠାବ କଲା ପୁଲିସ: ବାବା ଫେରାର

ନୂଆଦିଲ୍ଲୀ: ଜଣେ ଆତ୍ମଘୋଷିତ ସନ୍ଥ ଗୁଡ଼ାଏ ନାବାଳିକା ଏବଂ ଯୁବତୀଙ୍କୁ ରଖି ଯୌନ ଶୋଷଣ କରୁଥିବା କଥା ଦଳେ ଅଭିଭାବକ ଦିଲ୍ଲୀ ହାଇକୋର୍ଟରେ ଅଭିଯୋଗ କରିବା ପରେ ମଙ୍ଗଳବାର ଦିନ ପୁଲିସ ସେ ଆଶ୍ରମରେ ଚଢ଼ଉ କରିଥିଲା।

ପୀଡ଼ିତା ଏବଂ ପ୍ରମାଣ ଖୋଜି ପାଇବାକୁ ପୁଲିସ ରାତିଯାକେ ରୋହିଣୀସ୍ଥିତ ଆଧ୍ୟାତ୍ମିକ ବିଶ୍ୱ ବିଦ୍ୟାଳୟରେ ଚଢ଼ାଉ ଜାରି ରଖିଥିଲେ। ସେଠାରୁ କେତେଗୁଡ଼ିଏ ସାମଗ୍ରୀ ଜବତ କରାଯାଇଥିବାବେଳେ ଜଣେ ଗାର୍ଡ ଏବଂ ଜଣେ ମହିଳାଙ୍କୁ ପୁଲିସ ଅଟକ ରଖିଛି।

ରୋହିଣୀ ଆଶ୍ରମକୁ ୭୫ ବର୍ଷିୟ ବାବା ବୀରେନ୍ଦ୍ର ଦେବ ଦୀକ୍ଷିତ ପରିଚାଳନା କରନ୍ତି। ସମଗ୍ର ଦେଶରେ ଏହାର ଶାଖାମାନ ରହିଛି। ଏହି ଆଶ୍ରମରେ ବିଭିନ୍ନ ବୟସର ମହିଳାମାନେ ରହନ୍ତି। ସେମାନଙ୍କୁ ଗୋପୀ କୁହାଯାଏ। ସେମାନଙ୍କ ପରିଧାନ ହେଉଛି ଧଳା ବ୍ଲାଉଜ୍‌ ଏବଂ ଗୋଲାପୀ ଶାଢ଼ୀ।

ଚଢ଼ଉରେ ସାମିଲ ହୋଇଥିବା ଦିଲ୍ଲୀ ମହିଳା କମିସନ୍‌ ମୁଖ୍ୟ ସ୍ୱାତୀ ମାଲିଓ୍ଵାଲ୍‌ଙ୍କୁ ଆଶ୍ରମର ଅନ୍ତେବାସୀମାନେ ଠେଲାପେଲା କରିଥିଲେ ବୋଲି ଅଭିଯୋଗ ହେଉଛି। ଆଶ୍ରମରେ ସବୁ ଠିକ୍‌ ଠାକ୍‌ ଚାଲିଛି କହି କେତେକ ଏହି ଚଢ଼ାଉ ବିରୋଧରେ ପ୍ରତିବାଦ କରିଥିଲେ।

ଜଣେ ପ୍ରାକ୍ତନ ଶିଷ୍ୟା କହନ୍ତି, ଦୀକ୍ଷିତ ଅନୁଗାମୀମାନଙ୍କ ପାଇଁ ଏକ ସାତଦିନିଆ କୋର୍ସ ଚଳାନ୍ତି। ସେଠାକୁ ଯିବା ପାଇଁ ଅନ୍ତେବାସୀମାନଙ୍କୁ ଅନୁମତି ମିଳେ ନାହିଁ। ଅଧ୍ୟାତ୍ମିକ ଶିକ୍ଷା ଗ୍ରହଣ କରାଇବା ନିମନ୍ତେ ଅନେକ ଭକ୍ତ ଦୀର୍ଘ ଛୁଟିରେ ସେମାନଙ୍କ ଝିଅମାନଙ୍କୁ ଆଶ୍ରମରେ ଛାଡ଼ନ୍ତି।
ପୀଡ଼ିତାମାନଙ୍କର ଅଭିଭାବକମାନେ କହନ୍ତି, ଯେଝା ଯେଝାର ଜ୍ଞାନ ଅନୁସାରେ ସେ ଝିଅମାନଙ୍କୁ ଦେଶର ବିଭିନ୍ନ ସ୍ଥାନକୁ ପଠାଯାଏ।

ଜଣେ ଅବସରପ୍ରାପ୍ତ ପୁଲିସ ଅଧିକାରୀ କହନ୍ତି, ମୋ ୧୪ ବର୍ଷୀୟ ଝିଅର ପାଠପଢ଼ା ମାଟି ହୋଇଗଲା। ସେ ତାଙ୍କ ଝିଅକୁ ଦିଲ୍ଲୀ ଆଶ୍ରମରେ ଛାଡ଼ି ଥିଲେ କିନ୍ତୁ, ସେ ଯାଇ ମିଳିଲା ଉତ୍ତର ପ୍ରଦେଶରୁ।

ଛୋଟ କୋଠରି, ଅନେକ ଫାଟକ, ଗୋପନ ଚାମ୍ବର୍‌ ଏବଂ ପ୍ରହେଳିକାମୟ ପାହଚଶ୍ରେଣୀ ଥିବାରୁ ସେଠାରୁ କେହି ସହଜରେ ଖସି ଆସି ପାରନ୍ତି ନାହିଁ। ଆଖପାଖର ଲୋକେ କହନ୍ତି ଚାରି ପାଞ୍ଚ ଜଣ ଝିଅ ଆତ୍ମ ହତ୍ୟା କରିଛନ୍ତି।

ଅଭିଭାବକମାନେ କହିଛନ୍ତି ଯେ ଝିଅମାନଙ୍କୁ ସବୁ ଦିନ ପାଇଁ ଆଶ୍ରମକୁ ପଠାଇ ଦେବାକୁ ବାବା ତାଙ୍କ ଅନୁଗାମୀମାନଙ୍କୁ ବାଧ୍ୟ କରନ୍ତି। ନିଜ ଇଚ୍ଛାରେ ଝିଅକୁ ସମର୍ପି ଦେଇଛନ୍ତି ବୋଲି ଲିଖିତ ଏକ ୧୦ ଟଙ୍କିଆ ଷ୍ଟାମ୍ପ୍‌ ପେପର୍‌ରେ ଅନୁଗାମୀମାନଙ୍କ ଠାରୁ ଦସ୍ତଖତ କରାଇ ନିଆଯାଇ ଥାଏ।

ନାବାଳିକାମାନଙ୍କୁ ଯୌନ ଶୋଷଣ କରିବାକୁ ଦୀକ୍ଷିତ ଏମିତି କୌଶଳ କରନ୍ତି ବୋଲି କୁହାଯାଉଛି। ନାବାଳିକାକୁ ୧୮ ବର୍ଷ ହୋଇଗଲେ ଦୀକ୍ଷିତ ସେମାନଙ୍କ ଠାରୁ ଏକ କାଗଜରେ ଦସ୍ତଖତ କରାଇ ନିଅନ୍ତି। ସେଥିରେ ଲେଖା ଥାଏ ଯେ ନିଜ ଇଚ୍ଛାରେ ସେ ବାବାଙ୍କ ସହ ବାସ କରୁଛି।

ଏହି କାଗଜର ଏକ ନକଲ ସ୍ଥାନୀୟ ଥାନା ଏବଂ ସମ୍ପୃକ୍ତ ଅଭିଭାବକମାନଙ୍କ ନିକଟକୁ ପଠାଇ ଦିଆ ଯାଇଥାଏ। ଥରେ ଝିଅକୁ ସମର୍ପି ଦେବା ପରେ ଆଉ ସେ ଝିଅକୁ ଭେଟିବା ନିମନ୍ତେ ବାପମାଆଙ୍କୁ ଅନୁମତି ମିଳି ନ ଥାଏ। କେବେ କେବେ ନିଜର ସମ୍ପତ୍ତିବାଡ଼ି ଆଶ୍ରମକୁ ହସ୍ତାନ୍ତର କରିବାକୁ ବାପାମାଆଙ୍କୁ ବାଧ୍ୟ କରାଯାଇ ଥାଏ।

ଆଶ୍ରମର ପୀଡ଼ିତାମାନଙ୍କ ମଧ୍ୟରୁ ଜଣେ କହନ୍ତି, ଦୀକ୍ଷିତ ତାଙ୍କ ସହ ବାରମ୍ବାର ଦୁଷ୍କର୍ମ କରିଛନ୍ତି। ଦୀକ୍ଷିତ ନିଜ ପାଖରେ ୧୬୦୦୦ ନାରୀ ରଖିବାକୁ ଚାହୁଁଥିଲେ। ତାଙ୍କ ବିଚାରରେ ଭଗବାନ କୃଷ୍ଣଙ୍କର ୧୬୦୦୦ ପତ୍ନୀ ଥିଲେ।

ସେ ଝିଅମାନଙ୍କୁ ବାହ୍ୟ ଜଗତ୍‌ରେ କାହା ସହ କଥାବାର୍ତ୍ତା କରିବାକୁ ଅନୁମତି ଦିଆ ଯାଉ ନ ଥିଲା। ତାହାକୁ ଗର୍ଭ ମହଲ ବୋଲି କୁହାଯାଉଥିଲା।
ଦେଶର ବିଭିନ୍ନ ଅଞ୍ଚଳରେ ଦୀକ୍ଷିତଙ୍କର ବହୁ ଅନୁଗାମୀ ଅଛନ୍ତି ବୋଲି କୁହାଯାଉଛି। ଗୋଟିଏ ଆଶ୍ରମରୁ ଅନ୍ୟ ଗୋଟିଏ ଆଶ୍ରମକୁ ଝିଅମାନଙ୍କୁ ପଠାଇ ଦିଆ ଯାଉଥିବାରୁ ସେମାନେ ବିଦ୍ରୋହ କରିବାକୁ ଏକତ୍ର ହୋଇ ପାରନ୍ତି ନାହିଁ।

ଅଭିଯୁକ୍ତ ବାବା ଦୀକ୍ଷିତ ଫେରାର ହୋଇ ଯାଇଛନ୍ତି। ତାଙ୍କର ଉଚ୍ଚତା ୫ ଫୁଟ୍‌ ୪ ଇଞ୍ଚ। ମୁହଁ ଗୋଲାକାର, ଗହମିଆ ରଙ୍ଗର ଚେହେରା, ଲଣ୍ଡାମୁଣ୍ଡି ଏବଂ ସ୍ୱାସ୍ଥ୍ୟବାନ ।

ଜଣେ ପୂର୍ବତନ ଅନୁଗାମୀ କହନ୍ତି ଦୀକ୍ଷିତ ନିଶାଖୋର୍‌ ଏବଂ ଖୋଲାଖୋଲି ମହିଳାମାନଙ୍କୁ ଯୌନ ଶୋଷଣ କରନ୍ତି। ଥରେ ଟ୍ରେନ୍‌ରେ ଯାଉଥିବାବେଳେ ସେ ତାଙ୍କୁ ଏକ କଣ୍ଡୋମ୍‌ ଆଣିବାକୁ କହିଥିଲେ। ଦୈନିକ ସେ ପ୍ରାୟ ୧୦ ଜଣ ବାଳିକାଙ୍କ ସହ ଦୁଷ୍କର୍ମ କରି ଥାଆନ୍ତି। ବିବସନା ଝିଅମାନେ ତାଙ୍କୁ ତୈଳ ମର୍ଦ୍ଦନ କରିଲେ ସେ ଖୁସୀ ହୁଅନ୍ତି।

୧୯୭୦ ମସିହା ଠାରୁ ସେ ଆଶ୍ରମ ଚଳାଇ ଆସୁଛନ୍ତି। ସୀମା ଶର୍ମାଙ୍କ ଏନ୍‌ଜିଓ ଫାଉଣ୍ଡେସନ୍‌ ଫର୍‌ ସୋସିଆଲ୍‌ ଏମ୍ପାଓ୍ଵାର୍‌ମେଣ୍ଟ୍‌ ଜରିଆରେ ଅଭିଭାବକମାନେ ହାଇକୋର୍ଟର୍ରେ ଫେରାଦ ହୋଇଥିଲେ।

ସମ୍ବନ୍ଧିତ ଖବର