ସଟର୍ ତାଡ଼ିବା ବେଳେ ଧରାପଡ଼ିଲା ନାବାଳକ

ଖଣ୍ଡଗିରି: ବୁଧବାର ବିଳମ୍ବିତ ରାତିରେ ସ୍ଥାନୀୟ ଏକ ମୋଟର ପାର୍ଟସ୍‌ ଦୋକାନରୁ ହେଉଥିବା ଲୁଟ୍‌ ଉଦ୍ୟମ ପଣ୍ଡ ହୋଇଛି। ସଟର୍‌ ତାଲା କାଟିବା ପୂର୍ବରୁ ୧୦/୧୧ ବର୍ଷ ବୟସର ଜଣେ ନାବାଳକ ଲୋକଙ୍କ ହାତରେ ଧରାପଡ଼ିଥିବାବେଳେ ଅନ୍ୟମାନେ ଖସି ପଳାଇବାରେ ସଫଳ ହୋଇଛନ୍ତି। ପୁଲିସ ଉକ୍ତ ନାବାଳକକୁ ଥାନାକୁ ନେଇ ପଚରାଉଚରା କରିବା ପରେ ଚାଇଲ୍‌ଡ ଲାଇନ୍‌କୁ ହସ୍ତାନ୍ତର କରିଛି। ନାବାଳକ ଜଣଙ୍କ କଥା କହି ପାରୁନଥିବାରୁ ପୁଲିସ ତା’ଠାରୁ କିଛି ତଥ୍ୟ ପାଇ ପାରିନଥିବା ଜଣାପଡ଼ିଛି। ନାବାଳକ ଜଣଙ୍କର ଜିଭ କଟା ଯାଇଥିବା ସନ୍ଦେହ କରାଯାଉଛି। ତେଣୁ ଏହି ନାବାଳକ କୌଣସି ଏ‌ରାଗୋଲା ଗ୍ୟାଙ୍ଗ୍‌ର ସଦସ୍ୟ ହୋଇଥିବା ପୁଲିସ ସନ୍ଦେହ କରୁଛି।

ରାତି ପ୍ରାୟ ୨ଟାବେଳେ ଆଇଗିଣିଆ ବଜାରସ୍ଥିତ ଏ ଟୁ ଜେଡ୍‌ କାର୍ ଫେସନ୍ ଦୋକାନର ସର୍ଟ ତାଲା କାଟିବାକୁ ଏହି ଗ୍ୟାଙ୍ଗ୍‌ ଉଦ୍ୟମ କରୁଥିଲା। ନାବାଳକଟି ତାଲା କାଟିବାକୁ ଚେଷ୍ଟା କରୁଥିବାବେଳେ ଆଉ କିଛି ସଦସ୍ୟ ନିକଟସ୍ଥ ଅନ୍ଧାରିଆସ୍ଥାନରେ ଅପେକ୍ଷା କରିଥିଲେ। କିନ୍ତୁ ଏତିକିବେଳେ ପାଖ ଦୋକାନରେ ଶୋଇଥିବା ଜଣେ କର୍ମଚାରୀ ବାହାରକୁ ଆସିଥିଲେ। ନାବାଳକ ଜଣଙ୍କ ତାଲା କାଟୁଥିବା ଦେଖି ସେ ପାଟି କରି ପାଖ ଲୋକମା‌ନଙ୍କୁ ଡାକିଥିଲେ। ଲୋକମାନେ ଘେରିଯିବା ପୂର୍ବରୁ ନାବାଳକଟି ଦୌଡ଼ି ପଳାଇବାକୁ ବସିଥିଲା, କିନ୍ତୁ ଉକ୍ତ ଯୁବ କର୍ମଚାରୀ ଜଣଙ୍କ ତାକୁ ମାଡ଼ି ବସିଥିଲେ। ଖବର ପାଇ ଦୋକାନ ମାଲିକ ଯଦୁପୁରର ମୀର୍ ସାଜିଲ୍‌ ଅଲ୍ଲୀ ମଧ୍ୟ ସେଠାରେ ପହଞ୍ଚିଥିଲେ। କିନ୍ତୁ ସେତେବେଳକୁ ଗ୍ୟାଙ୍ଗ୍‌ର ଅନ୍ୟମାନେ ଫେରାର୍ ହୋଇ ସାରିଥିଲେ। ଖବର ପାଇ ଖଣ୍ଡଗିରି ଥାନା ପୁଲିସ ତାକୁ ଥାନାକୁ ନେଇଥିଲା। ମାତ୍ର ପୁଲିସକୁ ମଧ୍ୟ ସେ ଚକ୍‌ମା ଦେବାରେ ସକ୍ଷମ ହୋଇଥିଲା। ବାଧ୍ୟ ହୋଇ ପୁଲିସ ତାକୁ ତୁରନ୍ତ ଭୁବନେଶ୍ବର ଚାଇଲ୍‌ଡ ଲାଇନ୍‌କୁ ହସ୍ତାନ୍ତର କରିଥିଲା। ଉଲ୍ଲେଖଯୋଗ୍ୟ ଯେ କିଛି ଏରାଗୋଲା ଗ୍ୟାଙ୍ଗ୍‌ ଏମିତି ଛୋଟ ପିଲାଙ୍କୁ ସେମାନଙ୍କ ଜିଭ କାଟି ତାଲିମ୍ ଦେଇଥାଆନ୍ତି। ଚୋରି କଲାବେଳେ ଧରାପଡ଼ିଲେ ସେମାନେ ଯେମିତି ମୁହଁ ଖୋଲି ପାରିବେନି ବା ପୁଲିସ ସେମାନଙ୍କଠାରୁ କିଛି ବି ସୂଚନା ପାଇବ ନାହିଁ। ରାଜଧାନୀରେ ଏଭଳି ଗ୍ୟାଙ୍ଗ୍‌ ପ୍ରବେଶ କରିଥିବା ଅନୁମାନ କରାଯାଉଥିବାରୁ ପୁଲିସ ପାଇଁ ନୂଆ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ ଯେ ଗତ କିଛି ମାସ ପୂର୍ବେ ସ୍ଥାନୀୟ ସିଦ୍ଧିବିହାରରେ ଏଭଳି ଏକ ଗ୍ୟାଙ୍ଗ୍‌ ଚୋରି କରିବାକୁ ଉଦ୍ୟମ କରୁଥିବାବେଳେ ଲୋକେ ଉଠି ପଡ଼ିବାରୁ ସେମାନେ ପଳାଇଥିଲେ।

ସମ୍ବନ୍ଧିତ ଖବର