କମିସନରେଟ ପୁଲିସ ଜାଲରେ ଲୁଟେରା ଗ୍ୟାଙ୍ଗ, ଓକିଲ ବେଶରେ ବାଇକ୍‌ ଚୋରି

ଟାର୍ଗେଟରେ ଥିଲା କୋର୍ଟ ଓ କ୍ୟାପିଟାଲ ହସ୍ପିଟାଲ ପରିସର

ଭୁବନେଶ୍ୱର: ଓକିଲଙ୍କ ଭଳି ଧଳା ସାର୍ଟ, କଳା କୋର୍ଟ ପିନ୍ଧୁଥିଲେ। କେହି ଯେପରି ସନ୍ଦେହ ନକରନ୍ତି ସେଥିପ୍ରତି ବେଶ୍‌ ସତର୍କ ରହୁଥିଲେ। କୋର୍ଟ ପରିସରରେ ବେଧଡ଼କ ବୁଲୁଥିଲେ। ଆଉ ସୁଯୋଗ ଦେଖି ଲୁଟୁଥିଲେ ବାଇକ୍‌। ଏହି ୪ ଜଣିଆ ବାଇକ୍‌ ଚୋର ଗ୍ୟାଙ୍ଗକୁ ଠାବ କରିଛି ବଡ଼ଗଡ଼ ଥାନା ପୁଲିସ। ସେମାନେ ଭୁବନେଶ୍ୱର କୋର୍ଟ, ତହସିଲ କାର୍ଯ୍ୟାଳୟ, ସବରେଜେଷ୍ଟ୍ରି କାର୍ଯ୍ୟାଳୟ ଓ କ୍ୟାପିଟାଲ ହସ୍ପିଟାଲ ପ୍ରମୁଖ ଅଞ୍ଚଳକୁ ଟାର୍ଗେଟ୍‌ କରୁଥିଲେ। ଏହି ସବୁ ସ୍ଥାନରୁ ଆଖି ପିଛୁଳାକେ ବାଇକ୍‌ ଗାଏବ କରି ଦେଉଥିଲେ। ସେମାନେ ହେଲେ, ପୁରୀ ଜିଲ୍ଲା ନିମାପଡ଼ା ଥାନା ଅଧୀନ ବାରଡିକିଲ୍ଲୋ ଗାଁର ଶଶିଭୂଷଣ ଦାଶ ଓରଫ୍‌ ନାରାୟଣ, ନୟାଗଡ଼ ଶରଣକୁଳ ଥାନା ଅଧୀନ ଚୁଡାମିଲ୍‌ ଗାଁର କାହ୍ନ ଚରଣ ସାହୁ ଓରଫ୍‌ କାହ୍ନା, ଖୋର୍ଧା ଜିଲ୍ଲା ବାଲିପାଟଣା ଥାନା ଅଧୀନ ବଦଳକଳାମାଟି ଗାଁର ଅଜୟ କୁମାର ସ୍ୱାଇଁ, ନୟାଗଡ଼ ନୂଆଗାଁ କମଳପାଟଣା ଗାଁର ଲୋକନାଥ ବେହେରା ଓରଫ ଲୁକୁ। ପୁଲିସ ସେମାନଙ୍କ ନିକଟରୁ ୪୬ଟି ଚୋରା ବାଇକ୍‌ ଜବତ କରିଛି। ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଆବଶ୍ୟକ ହେଲେ ମୁଖ୍ୟ ଅଭିଯୁକ୍ତ ଶଶିଭୂଷଣ ଓ କାହ୍ନଚରଣଙ୍କୁ ରିମାଣ୍ଡରେ ଅଣାଯିବାକୁ ଯୋଜନା ହେଉଛି ବୋଲି ପୁଲିସ କହିଛି।

ଏତେ ସଂଖ୍ୟକ ଚୋରା ବାଇକ୍‌ ଜବତ ହେବା ପରେ ଆଜି ବଡ଼ଗଡ଼ ଥାନା ପୁଲିସ ପକ୍ଷରୁ ଏକ ବାଇକ୍‌ ମେଳା କରାଯାଇଥିଲା। ଏଥିରେ ପୁଲିସ କମିସନର ସତ୍ୟଜିତ ମହାନ୍ତି ଯୋଗ ଦେଇଥିଲେ। ପୁଲିସ କମିସନର ଶ୍ରୀ ମହାନ୍ତିଙ୍କଠାରୁ ମିଳିଥିବା ସୂଚନା ମୁତାବକ, ଏହି ଗ୍ୟାଙ୍ଗ୍‌ କୋର୍ଟ ପରିସରରେ ଓକିଲଙ୍କ ଭଳି ବେଶ ପୋଷାକ ପିନ୍ଧି ବୁଲାବୁଲି କରୁଥିଲେ। ତେଣୁ ତାଙ୍କ ଉପରେ କେହି ସନ୍ଦେହ କରୁ ନ ଥିଲେ। ଡେଲାଙ୍ଗ ଅଞ୍ଚଳର ସୂର୍ଯ୍ୟକାନ୍ତ ପଣ୍ଡା ନାମକ ଜଣେ ବ୍ୟକ୍ତିଙ୍କ ଗାଡ଼ିକୁ ଏହି ଗ୍ୟାଙ୍ଗ୍‌ ସବରେଜେଷ୍ଟ୍ରି କାର୍ଯ୍ୟାଳୟ ନିକଟରୁ ଚଳିତ ମାସ ୮ ତାରିଖରେ ଚୋରି କରି ନେଇଥିଲେ। ଏ ନେଇ ସୂର୍ଯ୍ୟକାନ୍ତ ବଡ଼ଗଡ଼ ଥାନାରେ ଅଭିଯୋଗ କରିବା ପରେ ପୁଲିସ ପକ୍ଷରୁ ତନାଘନା ଆରମ୍ଭ ହୋଇଥିଲା। ସବରେଜେଷ୍ଟ୍ରି କାର୍ଯ୍ୟାଳୟରେ ଲାଗିଥିବା ସିସି କ୍ୟାମେରା ଯାଞ୍ଚ ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ଯେହେତୁ ୨୦୧୬ରେ ଶଶି ବାଇକ୍‌ ଚୋରି ଅଭିଯୋଗରେ ଗିରଫ ହୋଇଥିଲା ପୁଲିସ ସିସି କ୍ୟାମେରାରେ ତାକୁ ଚିହ୍ନଟ କରି ପାରିଥିଲା। ପରେ ତା’ ଗାଁରେ ଚଢ଼ଉ କରି ପୁଲିସ ଚୋରା ବାଇକ୍‌ ଜବତ କରିଥିଲା। ବାଇକ୍‌ ଚୋରି କରି ଶଶି ଏହାକୁ ଖୋର୍ଧା, ନିଆଳି ଆଦି ଅଞ୍ଚଳରେ ବିକ୍ରି କରିଥିଲା। ଜବତ ବାଇକ୍‌ ସବୁକୁ ପୁଲିସ କମିସନର ମାଲିକମାନଙ୍କୁ ଚାବି ଦେଇ ଫେରସ୍ତ କରିଛନ୍ତି। ଏହି ଗ୍ୟାଙ୍ଗ୍‌ ବିରୋଧରେ ସମୁଦାୟ ୧୫ଟି ମାମଲା ରୁଜୁ ହୋଇଛି। ଏହି କାର୍ଯ୍ୟକ୍ରମରେ ଡିସିପି ଅନୁପ ସାହୁ, ଜୋନାଲ ଏସିପି ଅମରେନ୍ଦ୍ର ପଣ୍ଡା, ବଡ଼ଗଡ଼ ଥାନା ଇନ୍ସପେକ୍ଟର ଦିଲ୍ଲୀପ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର