ଟ୍ରକ୍‌ ଚାଳକଙ୍କୁ ଲୁଟ୍‌ ବେଳେ ମାଡ଼ି ବସିଲା ପୁଲିସ

ଭୁବନେଶ୍ୱର: ଭୁବନେଶ୍ବର-ପୁରୀ ବାଇପାସ୍‌ ରାସ୍ତାରେ ଏକ ଟ୍ରକ୍‌ ଚାଳକଙ୍କୁ ଲୁଟ୍‌ କରୁଥିବା ବେଳେ ମଞ୍ଚେଶ୍ବର ଥାନା ପୁଲିସ ଦୁଇ ଜଣଙ୍କୁ କାବୁ କରିଛି। ଅନ୍ୟ ଜଣେ ଅଭିଯୁକ୍ତ ପୁଲିସକୁ ଚକ୍‌ମା ଦେଇ ଫେରାର ହୋଇଯାଇଛି। ତେବେ ଧରାପଡ଼ିଥିବା ଉଭୟ ଅଭିଯୁକ୍ତଙ୍କଠାରୁ ଲୁଟ୍‌ ୧୦ହଜାର ଟଙ୍କା ଜବତ କରାଯାଇଛି। ସେମାନେ ହେଉଛନ୍ତି ମଞ୍ଚେଶ୍ବର ହାଇଟେକ୍‌ ମୁଣ୍ଡାବସ୍ତିରେ ରହୁଥିବା ମୟୂରଭଞ୍ଜ ଉଦଳା ଥାନା ଅଧୀନ ବଡ଼ସିଙ୍ଗାର ରାମ କିସ୍କୁ ଓ ଗୋବିନ୍ଦ ଗୋଇପାଇ। ସୋମବାର ରାତି ପ୍ରାୟ ସାଢ଼େ ୧୨ଟା ବେଳେ ଜଣେ ଟ୍ରକ୍‌ ଚାଳକ ପଟିଆରୁ କିଛି ସାମଗ୍ରୀ ଅନ୍‌ଲୋଡ୍‌ କରି ଫେରୁଥିଲେ। ଫେରିବା ବାଟରେ ପୁରୀ-ଭୁବନେଶ୍ବର ବାଇପାସ୍‌ ରାସ୍ତାରେ ତିନିଜଣ ଯୁବକ ଏକ ବାଇକ୍‌ରେ ଆସି ତାଙ୍କୁ ଅଟକାଇ ଟଙ୍କା ମାଗିଥିଲେ। ସେ ନ ଦେବାରୁ ଅଭିଯୁକ୍ତମାନେ ତାଙ୍କୁ ମାଡ଼ ମାରିଥିଲେ। ୧୫ ମିନିଟ ଧରି ଉଭୟଙ୍କ ମଧ୍ୟରେ ହାତାହାତି ହୋଇଥିଲା। ଏହା ମଧ୍ୟରେ ସେମାନେ ଚାଳକଙ୍କ ପକେଟ୍‌ରେ ଥିବା ୧୦ ହଜାର ଟଙ୍କା ନେଇ ଯିବାକୁ ସକ୍ଷମ ହୋଇଥିଲେ। ତେବେ ଏହି ସମୟରେ ଭୁବନେଶ୍ବର ଆଡୁ ମଞ୍ଚେଶ୍ବର ଥାନା ପିସିଆର ଭ୍ୟାନ୍‌ ପାଟ୍ରୋଲିଂ କରୁଥିଲା। ଏଭଳି ସ୍ଥିତି ଦେଖି ଗାଡ଼ି ରଖିବାରୁ ଅଭିଯୁକ୍ତମାନେ ବାଇକ୍‌ରେ ପୁରୀ ଆଡ଼କୁ ଚମ୍ପଟ ମାରିଥିଲେ। ତାଙ୍କୁ ଗୋଡ଼ାଇ ଗୋଡ଼ାଇ ପ୍ରାୟ ୪ କିଲୋମିଟର ଦୂରରେ ଧରିଥିଲେ। ବାଇକ୍‌ ଚଳାଉଥିବା ଯୁବକ ଜଣକ ଦୁଇ ଅଭିଯୁକ୍ତଙ୍କୁ ଛାଡ଼ି ପଳାଇ ଯାଇଥିଲା।

ସମ୍ବନ୍ଧିତ ଖବର