ଲାଞ୍ଚ ନେଇ ୧୦ମ ଶ୍ରେଣୀ ଛାତ୍ରୀଙ୍କର ୪୦ ବର୍ଷିୟ ବ୍ୟକ୍ତିଙ୍କ ସହ ବିବାହକୁ ଅନୁମତି ଦେଲେ ମହିଳା ପୁଲିସ

ହାଇଦ୍ରାବାଦ୍‌ : କିଛି ଟଙ୍କା ପାଇଁ ନିଜର କର୍ମକୁ ଭୁଲି ଯାଇଛନ୍ତି ତେଲେଙ୍ଗାନାର ଜଣେ ମହିଳା ପୁଲିସ। ତେଲେଙ୍ଗାନାର ଜଣେ ନାବାଳିକା ସହ ୪୦ବର୍ଷିୟ ବ୍ୟକ୍ତିଙ୍କ ବିବାହ କରାଯାଉଥିଲା । ଏ ନେଇ ପୁଲିସକୁ ଖବର ଦିଆଯିବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲା ପୁଲିସ । କିନ୍ତୁ ସେଠାରେ ପହଞ୍ଚି ବିବାହ ରୋକିବା ପରିବର୍ତ୍ତେ ଲାଞ୍ଚ ନେଇ ଶୀଘ୍ର ବିବାହ କରିନିଅ ବୋଲି ପୀଡ଼ିତାଙ୍କୁ କହିଥିଲେ ମହିଳା ପୁଲିସ । ଏହି ଘଟଣା ସାମ୍ନାକୁ ଆସିବା ପରେ ଅଭିଯୁକ୍ତ ମହିଳା ପୁଲିସ କର୍ମଚାରୀ ଏବଂ ଯେଉଁମାନେ ଏହି ବିବାହକୁ ସମର୍ଥନ କରିଛନ୍ତି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ତେଲେଙ୍ଗାନା ପୁଲିସ ଘୋଷଣା କରିଛି ।

ସୂଚନା ମୁତାବକ, ଜନୈକ ୪୦ବର୍ଷିୟ ମଦ ଦୋକାନୀଙ୍କର ପ୍ରଥମ ସ୍ତ୍ରୀଠାରୁ କୌଣସି ସନ୍ତାନ ନ ହେବାରୁ ସେ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ବିବାହ କରିବେ ବୋଲି କହିଥିଲେ । ଏ ନେଇ ପୀଡ଼ିତାଙ୍କ ପରିବାର ଲୋକ କୌଣସି ଆପତ୍ତି ନ କରିବାରୁ ବିବାହ ଦିନ ଧାର୍ଯ୍ୟ କରାଯାଇଥିଲା । କିନ୍ତୁ ପୀଡ଼ିତା ଏହି ବିବାହରେ ଖୁସି ନଥିଲେ । ଏ ନେଇ ସେ ତାଙ୍କର ଜଣେ ବନ୍ଧୁଙ୍କ ମାଧ୍ୟମରେ ପୁଲିସକୁ ଖବର ଦେବା ପରେ ମହିଳା ପୁଲିସ ତଦନ୍ତ ପାଇଁ ପୀଡ଼ିତାଙ୍କ ଘରେ ପହଞ୍ଚିଥିଲେ । କିନ୍ତୁ ସେଠାରେ ପୀଡ଼ିତାଙ୍କ ପରିବାର ଲୋକେ ଲାଞ୍ଚ ଦେବାରୁ ମହିଳା ପୁଲିସ ଜଣଙ୍କ ଲାଞ୍ଚ ନେଇ ପୀଡ଼ିତାଙ୍କୁ ତୁରନ୍ତ ବିବାହ କରିବା ପାଇଁ କହିଥିଲେ ।

ସମ୍ବନ୍ଧିତ ଖବର