ବାପି-ହାପି ଯୋଡ଼ିର ଟେର୍ ମିଳୁନି, ପପୁ ହତ୍ୟା ମାମଲା ୫ ଦିନ ବିତିଲା

ଦିନ ଗଡ଼ୁଛି, ତାତି ବଢ଼ୁଛି

ଖଣ୍ଡଗିରି: ବାହାଦଲପୁର ପପୁ ଜେନା ହତ୍ୟାକାଣ୍ଡ ମାମଲାର ଦୁଇ ମୁଖ୍ୟ ଅଭିଯୁକ୍ତ ବାପି ସାହୁ ଓ ହାପି ସାହୁଙ୍କ ପତ୍ତା ପାଉନାହିଁ ପୁଲିସ। ଦୀର୍ଘ ୫ ଦିନ ବିତିବା ପରେ ବି ପୁଲିସ ବାପିକୁ ଗିରଫ କରିବାରେ ସକ୍ଷମ ହୋଇନଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ବୃଦ୍ଧି ପାଇଛି। ଅଭିଯୁକ୍ତ ଦ୍ବୟଙ୍କ ଗିରଫଦାରି ଯେତିକି ଗଡ଼ି ଗଡ଼ି ଯାଉଛି, ଲୋକଙ୍କ ଭିତରେ ପୁଲିସ ବିରୋଧରେ ତାତି ସେତିକି ବଢ଼ିବାରେ ଲାଗିଛି। ତେଣୁ ସରକନ୍ତରା ଗ୍ରାମବାସୀମାନେ ଆନ୍ଦୋଳନକୁ ଓହ୍ଲାଇବେ ଓ ଥାନା ଘେରାଉ କରିବାକୁ ପ୍ରସ୍ତୁତ ହେଉଥିବା ସୂଚନା ମିଳିଛି।

ଗତ ଗୁରୁବାର ସନ୍ଧ୍ୟାରେ ପପୁକୁ ତାଙ୍କ ଗାଁ ଘର ପାଖରେ ଅତି ନିକଟ (ପଏଣ୍ଟ ଜିରୋ)ରୁ ଗୁଳି କରି ବାପି ସାହୁ ହତ୍ୟା କରିଥିଲା। ପ୍ରତିରୋଧ କରିବାକୁ ଆସି ପପୁଙ୍କ ବାପା ଅଭିମନ୍ୟୁ ଗୁଳିମାଡ଼ର ଶିକାର ହୋଇଥିଲେ। ଦୁଇଟି ଗୁଳି ଅଭିମନ୍ୟୁଙ୍କ ଦୁଇ ଜଙ୍ଘରେ ବାଜିଥିଲା। ପପୁ ଘଟଣାସ୍ଥଳରେ ପ୍ରାଣ ହରାଇଥିବାବେଳେ ଅଭିମନ୍ୟୁ ବଞ୍ଚି ଯାଇଥିଲେ। ଏହି କାଣ୍ଡ ପରେ ଗାଁରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ପରଦିନ ଲୋକେ ପପୁଙ୍କ ମୃତଦେହ ଧରି ଆନ୍ଦୋଳନକୁ ଓହ୍ଲାଇବାକୁ(୧୬ ନମ୍ବର ଜାତୀୟ ରାଜପଥ ଅବରୋଧ) ସଜବାଜ ହେଉଥିବାବେଳେ ପୁଲିସ ସେମାନଙ୍କୁ ବୁଝାଇ ଦେଇଥିଲା। ଖୁବ୍‌ ଶୀଘ୍ର ୩ ଅଭିଯୁକ୍ତ ବାପି, ହାପି ଓ ଆଲୋକଙ୍କୁ ଗିରଫ କରାଯିବ ବୋଲି ପୁଲିସ ପ୍ରତିଶ୍ରୁତି ଦେଇଥିଲା। ମାତ୍ର ଏବେ ଜଣେ ବି ଅଭିଯୁକ୍ତ ପୁଲିସ ହାତରେ ଧରାପଡ଼ିନାହାନ୍ତି ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ଅଭିଯୁକ୍ତ ଆଲୋକକୁ ପୁଲିସ ଧରିଛି ବୋଲି ଚର୍ଚ୍ଚା ହେଉଥିଲେ ବି ପୁଲିସ ସ୍ପଷ୍ଟ କରିନଥିବାରୁ ଗ୍ରାମବାସୀମାନେ ସେ କଥା ବୁଝିବାକୁ ନାରାଜ। ତେଣୁ ପୁଲିସ ବିରୋଧରେ ଗ୍ରାମବାସୀମାନେ ତାତିବା ଆରମ୍ଭ କଲେଣି ବୋଲି ସୂଚନା ମିଳିଛି। ଜଣେ ତଦନ୍ତ ଅଧିକାରୀଙ୍କ ସୂଚନାନୁସାରେ ଖୁବ୍‌ ଶୀଘ୍ର ଏହି ମାମଲାର ଅନ୍ତ ଘଟିବ। ଦିନେ ଦୁଇ ଦିନ ଭିତରେ ସବୁ ଅଭିଯୁକ୍ତ ଧରାପଡ଼ିବେ ବୋଲି ସେ କହିଛନ୍ତି। ଏବେ ଅପରାଧୀମାନେ ପିଛା କରୁଥିବା ପୁଲିସ ଟିମ୍‌ର ରାଡାର୍ ଭିତରେ ଥିବା ନେଇ ସେ ପରୋକ୍ଷରେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର