ଦୁଷ୍କର୍ମ ଉଦ୍ୟମର ଶିକାର ପୀଡ଼ିତା ପୁଲିସର ଦ୍ୱାରସ୍ଥ ହେଲେ: ଶୁଣିବାକୁ ମିଳିଲା, ଇଲେକ୍ସନ୍‌ ଡ଼୍ୟୁଟିରେ ବ୍ୟସ୍ତ ଅଛୁ, ସକାଳେ ଆସ ଦେଖିବା

ବେଙ୍ଗାଲୁରୁ : ଯେତେବେଳେ ସବୁ ନିଉଜ୍‌ ଚାନେଲ କର୍ଣ୍ଣାଟକ ନିର୍ବାଚନ ଏବଂ ତା’ର ଫଳାଫଳ ଉପରେ ନଜର ରଖିଥିଲା ସେ ସମୟରେ ଜଣେ ପୀଡ଼ିତା ନ୍ୟାୟ ପାଇଁ ପୁଲିସ ଷ୍ଟେସନରେ ସାହାଯ୍ୟ ଭିକ୍ଷା କରିଚାଲିଥିଲେ । ଅଭିଯୁକ୍ତମାନେ ଦୁଇ ଦୁଇ ଥର ଅସଦାଚରଣ ଏବଂ ଦୁଷ୍କର୍ମ ଉଦ୍ୟମ କରି ସାରିଥିଲେ ମଧ୍ୟ ପୁଲିସ ପୀଡ଼ିତାଙ୍କ ଅଭିଯୋଗ ନ ରଖି ଇଲେକ୍ସନ ଡ଼୍ୟୁଟିରେ ବ୍ୟସ୍ତ ଅଛି ବୋଲି କହି ଫେରାଇ ଦେଇଥିଲେ । ମେ ୯ରେ ଏହି ଘଟଣା ଘଟିଥିବା ବେଳେ ପୁଲିସ ୧୩ ଦିନ ପର୍ଯ୍ୟନ୍ତ କୌଣସି ତଦନ୍ତ ଆରମ୍ଭ କରି ନଥିଲା । ବାଧ୍ୟ ହୋଇ ପୀଡ଼ିତା ପୁଲିସ କମିସନରଙ୍କୁ ଏ ନେଇ ସୂଚନା ଦେବା ପରେ ଅଭିଯୋଗ ଗ୍ରହଣ କରି ପୁଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

oneindia.com

ସୂଚନା ମୁତାବକ, ମେ୯ରେ ଇନ୍ଦିରା ନଗର ଅଞ୍ଚଳରେ ସାଙ୍ଗମାନଙ୍କ ସହ ପାର୍ଟି କରି ଫେରୁଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କ ସହ ଅସଦାଚରଣ କରିଥିଲେ । ଏ ନେଇ ଅଭିଯୋଗ କରିବା ପାଇଁ ପୀଡ଼ିତା ଜଣଙ୍କ ତୁରନ୍ତ ଯାଇ ଜୀବନ ଭୀମ ନଗରରେ ଥିବା ପୁଲିସ ଷ୍ଟେସନରେ ପହଞ୍ଚିଥିଲେ । କିନ୍ତୁ ସେଠାରେ ପହଞ୍ଚିବା ପରେ ପୁଲିସ ଅଫିସର ତାଙ୍କ ଅଭିଯୋଗ ରଖିବା ପରିବର୍ତ୍ତେ ଇଲେକ୍ସନ ଡ଼୍ୟୁଟିରେ ବ୍ୟସ୍ତ ଅଛୁ । ଏବେ ଆମ ପାଖରେ ସମୟ ନାହିଁ ବୋଲି ଫେରାଇ ଦେଇଥିଲେ । ସକାଳେ ଆସ, ତୁମ କଥା ବୁଝିବା ବୋଲି ପୁଲିସ କର୍ମଚାରୀ ଜଣଙ୍କ କହିଥିବା ବେଳେ ମେ୧୦ ତାରିଖ ସକାଳେ ପୁଣି ଥରେ ପୁଲିସ ଷ୍ଟେସନରେ ପହଞ୍ଚିଥିଲେ ପୀଡ଼ିତା । କିନ୍ତୁ ସେଦିନ ମଧ୍ୟ ସେଇ ସମାନ କଥା କହି ତାଙ୍କୁ ଫେରାଇ ଦିଆ ଯାଇଥିଲା । ଘରକୁ ଫେରୁଥିବା ବେଳେ ଅନ୍ୟ କିଛି ଯୁବକ ତାଙ୍କୁ ଟେକି ନେଇ ଦୁଷ୍କର୍ମ କରିବା ପାଇଁ ଉଦ୍ୟମ କରିଥିଲେ । କିନ୍ତୁ ତାଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକ ଆସି ତାଙ୍କୁ ବଞ୍ଚାଇଥିଲେ । ଏ ନେଇ ସେ ପୁଣି ଥରେ ଅଭିଯୋଗ କରିବା ପାଇଁ ପୁଲିସ ଷ୍ଟେସନ ଯାଇଥିଲେ ମଧ୍ୟ ତାଙ୍କ କଥା କେହି ଶୁଣି ନ ଥିଲେ । ବାଧ୍ୟ ହୋଇ ଘଟଣା ଘଟିବାର ୭ଦିନ ପରେ ପୁଲିସ କମିସନରଙ୍କ ସହ ଯୋଗଯୋଗ କରିବା ପରେ ଏତଲା ରଖିଥିଲା ପୁଲିସ ।

ସମ୍ବନ୍ଧିତ ଖବର