ଝୁଲନ୍ତା ମୃତଦେହ ଜବତ କଲା ପୁଲିସ୍‌

ସନ୍ଦେହ ଘେରରେ ବୃଦ୍ଧଙ୍କ ମୃତ୍ୟୁ

ଭାପୁର: ଆଜି ଦିନ ପ୍ରାୟ ୯ ଟା ସମୟରେ ଏକ କାଜୁ ଗଛରେ ଝୁଲୁଥିବା ବୃଦ୍ଧଙ୍କ ମୃତଦେହକୁ ପୁଲିସ୍‌ ଜବତ କରିବା ଘଟଣା ସାଧାରଣରେ ଆଲୋଚନାର ବିଷୟ ପାଲଟିଛି।

ଘଟଣାରୁ ପ୍ରକାଶ, ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଅନ୍ତର୍ଗତ ଭାପୁର ବଜାର ନିକଟସ୍ଥ ଶ୍ରୀରାମ ବିହାର ମନ୍ଦିର ସମ୍ମୁଖରେ ଥିବା ବିରାଟ କାଜୁ ଜଙ୍ଗଲ ମଧ୍ୟରେ ଥିବା ଏକ କାଜୁ ଗଛରେ ଜଣେ ବୃଦ୍ଧଙ୍କ ଶବ ଝୁଲୁଥିବା ଘଟଣା ପ୍ରଚାରିତ ହୋଇଥିଲା। ଏହି ଘଟଣା ପ୍ରଘଟ ହେବା ପରେ ଘଟଣାସ୍ଥଳରେ ଅସଂଖ୍ୟ ଜନତ ଓ ଖବର ପାଇ ଫତେଗଡ଼ ଥାନାର ସେକେଣ୍ଡ ଅଫିସର୍‌ ନିରଞ୍ଜନ କିଶୋର ସାହୁ ସଦଳବଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ବୃଦ୍ଧ ଜଣକ ଫତେଗଡ ଥାନା ଅନ୍ତର୍ଗତ ବାଉଁଶବାଟି ପଞ୍ଚାୟତ ନଟବରପୁର ଗାଁର ଝରିଆ ବରାଡ଼ ଏବଂ ତାଙ୍କ ବୟସ ୭୦ ହେବ ବୋଲି ଅନୁମାନ କରାଯାଉଛି। ମୃତ ଝରିଆ ୨୦ ବର୍ଷ ତଳେ ତାଙ୍କ ଗ୍ରାମରେ ଗଣ୍ଡଗୋଳ କରି ଜଣେ ବ୍ୟକ୍ତିଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ଫେରାର୍‌ ଥିଲା ଓ ପୁରୀର ଏକ ମଠରେ କାମଧନ୍ଦା କରି ଚଳୁଥିଲା। ପରବର୍ତ୍ତୀ ସମୟରେ ଗିରଫ ହୋଇ ଜେଲ ଯିବା ଏବଂ ଜେଲ୍‌ରୁ ବାହାରିଥିଲା। ସେ ଏହି ଥାନା ବିଜିପୁର ଗ୍ରାମର ଏକ ସରକାରୀ ଜାଗାରେ ଘରକରି ଏକମାତ୍ର ପୁଅ ଓ ବୋହୂ ସହିତ ଚଳୁଥିଲା। ଗତକାଲି ବୋହୂ ସହ ପୁଅ ଶ୍ୱଶୂର ଘରକୁ ଯାଇଥିବା ବେଳେ ଝରିଆ ବିଳମ୍ବିତ ରାତିରେ ଗଛରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ପୁଲିସ୍‌ କହିଛି। ଘଟଣାସ୍ଥଳରୁ ପୁଲିସ୍‌ ୧ ହଳ ଚପଲ, ଲୁଗାପଟା ଜବତ କରିଛି। ପୁଲିସ୍‌ ଏକ ଅପମୃତ୍ୟୁ ମାମଲା ରୁଜୁକରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ରିପୋର୍ଟ ଲେଖା ହେଲା ପଯ୍ୟନ୍ତ ମୃତ ଝରିଆର ପୁଅ ଘଟଣା ସଂପର୍କରେ ଜାଣି ନଥିବା ଓ ସେ କେଉଁଠାରେ ଅଛି ସେ ସଂପର୍କରେ କୌଣସି ସୂଚନା ହସ୍ତଗତ ହୋଇପାରି ନାହିଁ।

ସମ୍ବନ୍ଧିତ ଖବର