ମୋ ପୁଅକୁ ଓଲଟା ଝୁଲାଇ ନିର୍ଯାତନା ଦିଆଯାଉଛି: ପ୍ରଦ୍ୟୁମ୍ନ ହତ୍ୟା ମାମଲାରେ ଜଡ଼ିତ ଥିବା ଅଭିଯୁକ୍ତର ପିତା

ଗୁରୁଗ୍ରାମ: ପ୍ରଦ୍ୟୁମ୍ନ ହତ୍ୟା ମାମଲାରେ ଗିରଫ ହୋଇଥିବା ର‍୍ୟାନ୍‌ ଇଣ୍ଟରନ୍ୟାସନାଲ ସ୍କୁଲର ଏକାଦଶ ଶ୍ରେଣୀର ଛାତ୍ରର ପିତା ନିଜ ପୁଅକୁ ଓଲଟା ଝୁଲାଇ ନିର୍ଯାତନା ଦେଉଥିବା ଶନିବାର ଅଭିଯୋଗ କରିଛନ୍ତି।

ଅଭିଯୁକ୍ତ ପିତା ଶନିବାର ଗଣମାଧ୍ୟମକୁ ସାକ୍ଷାତ କରି କହିଛନ୍ତି, ‘ମୋ ପୁଅକୁ ଓଲଟା ଝୁଲାଇ ଅମାନୁଷିକ ଭାବେ ମାଡ ମାରାଯାଉଛି, କିନ୍ତୁ ମୋର ପୁଅ ସମ୍ପୂର୍ଣ୍ଣ ଭାବେ ନିର୍ଦ୍ଦୋଷ । ଯଦି ମୋର ପୁଅ ପ୍ରଦ୍ୟୁମ୍ନର ହତ୍ୟା କରିଛି ତେବେ ସେ ସାଧାରଣ ଭଳି ବ୍ୟବହାର କାହିଁକି କରୁଛି। ଆପଣ ଭାବି ପାରୁଛନ୍ତି ଜଣେ ହତ୍ୟା କରି ସାମାନ୍ୟ ବ୍ୟବହାର କେବେ କରି ପାରିବ କି? ଏପରି କେହି ବି କରି ପାରିବେ ନାହିଁ। ତେଣୁ ମୋ ପୁଅ ପ୍ରଦ୍ୟୁମ୍ନକୁ ହତ୍ୟା କରି ନାହିଁ। ସ୍କୁଲରେ ମୋର ପୁଅର ଭଲ ପ୍ରଦର୍ଶନର ସାର୍ଟିଫିକେଟ ଅଛି। ଶିକ୍ଷକମାନେ ମୋର ପୁଅର ବ୍ୟବହାରକୁ ନେଇ ସର୍ବଦା ପ୍ରଶଂସା କରି ଆସିଛନ୍ତି।

ସିବିଆଇ ଦାବି କରିଛି କି, ଅଭିଯୁକ୍ତ ପିଟିଏମ ଓ ପରୀକ୍ଷା ରୋକିବା ପାଇଁ ପ୍ରଦ୍ୟୁମ୍ନର ହତ୍ୟା କରିଥିଲା। ତେବେ ଅଭିଯୁକ୍ତଙ୍କୁ କୌଣସି ପ୍ରକାର ନିର୍ଯାତନା ଦିଆଯାଉନାହିଁ ବୋଲି ସିବିଆଇ ଅଭିଯୁକ୍ତ ପିତାଙ୍କ ଏହି ବୟାନକୁ ଖଣ୍ଡନ କରିଛି। ଅନ୍ୟପକ୍ଷରେ ଜୁଭେନାଇଲ ଜଷ୍ଟିସ ବୋର୍ଡ (ଜେଜେବି) ଅଭିଯୁକ୍ତ ଛାତ୍ରଙ୍କୁ ପଚରାଉଚରା ସମୟରେ ସମୟ ଉଲଂଘନ କରିଥିବା ନେଇ ସିବିଆଇକୁ ରିପୋର୍ଟ ମାଗିଛି।

ସୂଚନାଯୋଗ୍ୟ,ମଙ୍ଗଳବାର ର‍୍ୟାନ୍‌ ଇଣ୍ଟାନ୍ୟାସନାଲ୍‌ ସ୍କୁଲ୍‌ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଏକାଦଶ ଶ୍ରେଣୀର ଛାତ୍ରକୁ ସିବିଆଇ ଧରିବାପରେ ତାକୁ ନୂଆଦିଲ୍ଲୀ ସ୍ଥିତ ସିବିଆଇ ମୁଖ୍ୟାଳୟରେ ହାଜର କରାଯାଇଥିଲା। ମୁଖ୍ୟ ଅଭିଯୁକ୍ତକୁ ଜେରାରୁ ମିଳିଥିବା ତଥ୍ୟ ଆଧାରରେ ସିବିଆଇ ଏହି ମାମଲାରେ ଦ୍ୱିତୀୟ ଅଭିଯୁକ୍ତକୁ ଠାବ କରିଛି। ଏହି ଘଟଣାରେ ଆଉ ଜଣେ ଛାତ୍ର ବି ସମ୍ପୃକ୍ତ ବୋଲି ସିବିଆଇ ଅଧିକାରୀମାନେ କହିଛନ୍ତି।

ତେବେ ଏହି ଘଟଣା ପରେ ବସ୍‌ କଣ୍ଡେକ୍ଟର ଆଶୋକ ନିର୍ଦ୍ଦୋଷରେ ଜେଲରୁ ମୁକୁଳିବା ନେଇ ତାଙ୍କ ମା’ ଅପେକ୍ଷା କରି ରହିଛନ୍ତି। ବିନା ଦୋଷରେ ଆଶୋକଙ୍କୁ ଦଣ୍ଡ ମିଳିଥିବାରୁ ସେ ଏନେଇ ମାମଲା ରୁଜୁ କରିବେ ବୋଲି ବି କହିଛନ୍ତି।

ସମ୍ବନ୍ଧିତ ଖବର