ଆଖି ସାମ୍ନାରେ ସାଥୀ ମହିଳା ଗଣଦୁଷ୍କର୍ମର ଶିକାର ହେଉଥିବା ଦେଖି ଆତ୍ମହତ୍ୟା କଲେ ଯୁବକ

ବାନ୍‌ସବାଡା: ୧୯ ବର୍ଷୀୟ ଦଳିତ ଅନ୍ତସତ୍ତ୍ୱା ମହିଳାଙ୍କୁ ଗଣଦୁଷ୍କର୍ମ ଘଟଣାର ପ୍ରତ୍ୟକ୍ଷଦର୍ଶୀ ଥିବା ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଥିବାର ଘଟଣା ସାମ୍ନାକୁ ଆସିଛି। ଏହି ଘଟଣା ୨୦୧୬ ମସିହାର ନିର୍ଭୟା ଗଣଦୁଷ୍କର୍ମ ଘଟଣାକୁ ମନେ ପକାଇ ଦେଉଛି। ୨୦୧୬ରେ ନିଜର ପୁରୁଷ ସାଥୀ ସହିତ ଘରକୁ ଫେରୁଥିବା ସମୟରେ ଜଣେ ଯୁବତୀ ଗଣଦୁଷ୍କର୍ମର ଶିକାର ହୋଇଥିଲେ। ତେବେ ନିକଟରେ ଜଣେ ଦଳିତ ମହିଳାଙ୍କ ସହିତ ଏଭଳି ଭାବେ ଦୁଷ୍କର୍ମ କରାଯିବାର ଘଟଣା ସାମ୍ନାକୁ ଆସିଛି।

ଯୁବତୀଙ୍କୁ ତାଙ୍କ ପ୍ରେମିକ ମୋଟରସାଇକେଲରେ ବସାଇ ନେଉଥିବା ସମୟରେ ତିନିଜଣ ଦୁର୍ବୃତ୍ତ ହଠାତ ଆସି ଯୁବକଙ୍କ ମୁଣ୍ଡରେ ଲୁହାଛଡ଼ରେ ଆକ୍ରମଣ କରିଥିଲେ। ଫଳରେ ଯୁବକ ଅଚେତ ହୋଇପଡ଼ିଥିଲେ। ଯୁବକଙ୍କ ଠାରୁ ଦୁର୍ବୃତ୍ତ ତାଙ୍କ ମୋବାଇଲ ଫୋନ୍‌ ବି ଛଡାଇ ନେଇଥିଲେ। ଏହାପରେ ଯୁବତୀଙ୍କୁ ସେଠାରୁ ଦୁର୍ବୃତ୍ତ ଏକ ନିଛାଟିଆ ବସ୍‌ଷ୍ଟାଣ୍ଡକୁ ନେଇ ଯାଇଥିଲେ। ସେଠାରେ ସୁନିଲ ଚରପୋଟା, ବିକାଶ ଓ ଜିତେନ୍ଦ୍ର ଚରପୋଟା ଯୁବତୀଙ୍କ ସହିତ ଦୁଷ୍କର୍ମ କରିଥିଲେ। ଏତିକିରେ ତିନିଜଣ ଦୁଷ୍କର୍ମକାରୀଙ୍କ ମନବୁଝିଲା ନାହିଁ ଯେ ସେମାନେ ଯୁବତୀଙ୍କୁ ଆଉ ଏକ ସ୍ଥାନକୁ ନେଇ ପୁଣି ଦୁଷ୍କର୍ମ କରିଥିଲେ। ସେହି ରାସ୍ତା ଦେଇ ଯାଉଥିବା ଦୁଷ୍କର୍ମକାରୀଙ୍କ ଆଉ ଦୁଇଜଣ ସାଥୀ ନରେଶ ଗୁର୍ଜର ଓ ବିଜୟ ବି ଯୁବତୀଙ୍କ ସହିତ ଦୁଷ୍କର୍ମ କରିବାକୁ ପଛାଇ ନଥିଲେ।

ଏଭଳି ହୃଦୟ ବିଦାରକ ଘଟଣା ପରେ ଦୁଷ୍କର୍ମକାରୀ ଯୁବତୀଙ୍କୁ ଲହୁଲୁହାଣ ଅବସ୍ଥାରେ ରାସ୍ତାରେ ଛାଡ଼ି ଚାଲି ଯାଇଥିଲେ। ତେବେ ଏହି ଘଟଣା ପରେ ଯୁବତୀଙ୍କ ଦେଢ଼ ମାସର ଭୃଣ ନଷ୍ଟ ବି ହୋଇଯାଇଛି। ମେଡିକାଲରେ ତାଙ୍କର ଚିକିତ୍ସା ଚାଲିଛି।

ଯୁବତୀଙ୍କ ପ୍ରେମିକଙ୍କ ଚେତା ଆସିବା ପରେ ଲୋକଲଜ୍ଜା ଭୟରେ ସେ ଆତ୍ମହତ୍ୟା କରି ଦେଇଥିଲେ। ଏହି ଆତ୍ମହତ୍ୟା ଘଟଣାର ତଦନ୍ତ କରୁଥିବା ସମୟରେ ପୁଲିସ ଏହି ଦୁଷ୍କର୍ମ ଘଟଣା ବିଷୟରେ ଜାଣିବାକୁ ପାଇଥିଲା। ଏହି ଘଟଣାରେ ସମ୍ପୃକ୍ତ ଥିବା ୫ଜଣଙ୍କ ମଧ୍ୟରୁ ପୁଲିସ ଜଣଙ୍କୁ ଗିରଫ କରିଛି। ଗିରଫ ଦୁଷ୍କର୍ମକାରୀ ଯୁବକଙ୍କ ଠାରୁ ଛଡ଼ାଇ ନେଇଥିବା ଫୋନ୍‌ ପୁଲିସକୁ ଦେବା ପରେ ପୁଲିସ ଏହି ଦୁଷ୍କର୍ମ ଘଟଣା ଉପରୁ ପରଦା ଉଠାଇବାରେ ସଫଳ ହୋଇଛି।

ସମ୍ବନ୍ଧିତ ଖବର