ବରଯାତ୍ରୀ ଶୋଭାଯାତ୍ରାରେ ଗୋଷ୍ଠୀ ସଂଘର୍ଷ ୧୫ରୁ ଊର୍ଧ୍ୱ ଆହତ

ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ଥାନା ଅନ୍ତର୍ଗତ କୈବର୍ତ ସାହି ଛକଠାରେ ପୁରୀର ଏକ ବରଯାତ୍ରୀ ଦଳ ଓ ସ୍ଥାନୀୟ ଅଞ୍ଚଳର ଯୁବକଙ୍କ ମଧ୍ୟରେ ମାରପିଟ୍‌ ହୋଇଛି। ଉଭୟ ଗୋଷ୍ଠୀ ପରସ୍ପରକୁ ବାଉଁଶ ଓ କାଠ ଫାଳିଆରେ ଆକ୍ରମଣ କରିବାରୁ ୧୫ରୁ ଊର୍ଧ୍ୱ ଆହତ ହୋଇଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବା ଜଣାପଡ଼ିଛି। ପୁଲିସ ଆହତମାନଙ୍କୁ କ୍ୟାପିଟାଲ ଓ ବିଏମ୍‌ସି ହସ୍ପିଟାଲରେ ଭର୍ତି କରିଛି। ଏନେଇ ଉଭୟ ଗୋଷ୍ଠୀ ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି। ପୁଲିସ ସୂଚନା ଅନୁଯାୟୀ ପୁରୀ ଅଞ୍ଚଳର ଏକ ବରଯାତ୍ରୀ ଦଳ ସ୍ଥାନୀୟ କପିଳେଶ୍ୱର ଗ୍ରାମ କୈବର୍ତ ସାହି ଛକ ନିକଟ ମଣ୍ଡପକୁ ଯାଉଥିଲେ। ବରଯାତ୍ରୀ ଦଳ ଡିଜେ ବଜାଇ ଶୋଭାଯାତ୍ରାରେ ଯାଉଥିଲେ। ମାତ୍ର ଶୋଭାଯାତ୍ରା ଯିବାରେ ବିଳମ୍ବ ହେଉଥିବାରୁ କପିଳେଶ୍ୱର ଗ୍ରାମର ସୁକାନ୍ତ ମଲିଆ ବରଯାତ୍ରୀଙ୍କୁ ଶୀଘ୍ର ମଣ୍ଡପକୁ ଯିବାକୁ କହିଥିଲେ। ମାତ୍ର ବରଯାତ୍ରୀ ଦଳରେ ନିଶାସକ୍ତ ଅବସ୍ଥାରେ ଥିବା କିଛି ଯୁବକ ସୁକାନ୍ତଙ୍କୁ ଧକ୍କା ମାରିଥିଲେ। ସୁକାନ୍ତ ଏହାର ପ୍ରତିବାଦ କରିବାରୁ ବରଯାତ୍ରୀ ଦଳରେ ଥିବା ଅନ୍ୟ ଯୁବକମାନେ ତାଙ୍କୁ ମାଡ଼ ମାରିଥିଲେ। ସେ ତଳେ ପଡ଼ିଯିବାରୁ ବାଉଁଶରେ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ଏପରିକି ସେହି ରାସ୍ତାରେ ଯାଉଥିବା ସନତ ମଲିଆ ମଧ୍ୟ ବରଯାତ୍ରୀଙ୍କ ଆକ୍ରମଣରୁ ରକ୍ଷା ପାଇ ନଥିଲେ। ବର ମଣ୍ଡପରେ ପହଞ୍ଚିବା ପରେ ସ୍ଥାନୀୟ ଅଞ୍ଚଳର କେତେକ ଯୁବକ ନିଶାସକ୍ତ ଅବସ୍ଥାରେ ଥିବା ବରଯାତ୍ରୀଙ୍କୁ କାଠ ଫାଳିଆରେ ଆକ୍ରମଣ କରିଥିଲେ। ଏଥିରେ କିଛି ବରଯାତ୍ରୀ ଆହତ ଅବସ୍ଥାରେ ଦୌଡ଼ି ପଳାଇଥିଲେ। ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନୟନ୍ତ୍ରିତ କରିଥିଲା।  ସେହିପରି ଆହତ କପିଳେଶ୍ୱର ଗ୍ରାମର ସନତ ମଲିଆ, ସୁଦର୍ଶନ ବାରିକ, ପୁରୀର ନିରଞ୍ଜନ ଦାଶ, ସ୍ମୁତି ରଞ୍ଜନ ମହାନ୍ତିଙ୍କୁ ବିଏମ୍‌ସି ହସ୍ପିଟାଲରେ ଓ ପୁରୀର ନାରାୟଣ ଦାଶଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଛି। ଗୁରୁତର ଅବସ୍ଥାରେ ଥିବା ସୁକାନ୍ତଙ୍କୁ ସ୍ଥାନୀୟ ଲୋକ ଏକ ଘରୋଇ ହସ୍ପିଟାଲରେ ଭର୍ତି କରିଛନ୍ତି।

ସମ୍ବନ୍ଧିତ ଖବର