ଆତ୍ମହତ୍ୟା କଲା ‘ସାଇକୋ-ଶଙ୍କର, ୩୦ଟି ଦୁଷ୍କର୍ମ ଓ ୧୫ଟି ହତ୍ୟା ସହ ତାମିଲନାଡୁରେ କୋକୁଆ ଭୟ ଖେଳାଇଥିଲା

ସାଲେମ: ତାମିଲନାଡ଼ୁର କୁଖ୍ୟାତ ସାଇକୋ କିଲର ଏମ.ଜୟଶଙ୍କର ଯିଏକି ୩୦ଟି ଦୁଷ୍କର୍ମ ଓ ୧୫ଟି ହତ୍ୟାମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ ଦଣ୍ଡ ଭୋଗୁଥିଲା, ଆଜି ଆତ୍ମହତ୍ୟା କରିଛି । ଏକ ଦାଢିକଟା ବ୍ଲେଡରେ ନିଜ ବେକକୁ କାଟି ସେ ଆତ୍ମହତ୍ୟା କରୁଛି । ଏହା ସହିତ ପ୍ରାୟ ଏକ ଦଶନ୍ଧି ଧରି ଚାଲିଥିବା ତାହାର କଳା ଅପରାଧ କାହାଣୀର ଯବନିକା ପଡ଼ିଛି । ତାହାର ଅପରାଧ କାହାଣୀ କେବଳ ତାମିଲନାଡ଼ୁ ନୁହେଁ, ସମଗ୍ର ଦକ୍ଷିଣ ଭାରତରେ ଚର୍ଚ୍ଚାର ବିଷୟ ହୋଇଥିଲା । ଗତ ବର୍ଷ ତାହାର ଅପରାଧ କାହାଣୀକୁ ନେଇ କନ୍ନଡ ଭାଷାରେ ‘ସାଇକୋ-ଶଙ୍କର’ ନାମକ ଚଳଚ୍ଚିତ୍ର ନିର୍ମାଣ ହୋଇଥିଲା ।

ସାଲେମର ପରପନ୍ନା ଅଗ୍ରହାରା ଜେଲରେ ଦଣ୍ଡ ଭୋଗୁଥିବା ଶଙ୍କର ଜେଲର ଭଣ୍ଡାରୀଠାରୁ ଏକ ବ୍ଲେଡ୍‌ ଚୋରୀ କରି ନିଜ ପାଖରେ ଲୁଚାଇ ରଖିଥିଲା । ମଧ୍ୟ ରାତ୍ରିରେ ଏକୁଟିଆ ଥିବା ସମୟରେ ସେ ନିଜ ବେକକୁ କାଟି ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ଜେଲର ଜଣେ ଅନ୍ତେବାସୀ ରାତି ୨ଟା୧୫ରେ ସେ ରକ୍ତଜୁଡୁବୁଡୁ ଅବସ୍ଥାରେ ପଡିଥିବା ଅଧିକାରୀମାନଙ୍କୁ ଖବର ଦେଇଥିଲେ । ଏହା ପରେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା, ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା ।

ସାଇକୋ ଶଙ୍କରର ଅପରାଧ କାହାଣୀ ଆରମ୍ଭ ହୁଏ ଜୁଲାଇ ୩, ୨୦୦୯ ରେ ।ସେ ୪୫ ବର୍ଷୀୟା ପି.ଶ୍ୟାମଲାଙ୍କୁ ଦୁଷ୍କର୍ମ ଓ ହତ୍ୟା ଉଦ୍ୟମ କରେ । ସେହିବର୍ଷ ଅଗଷ୍ଟ ମାସରେ ସେ ମହିଳା କନଷ୍ଟେବଲ ଏମ.ଜୟମଣିଙ୍କୁ ଦୁଷ୍କର୍ମ ଓ ହତ୍ୟା କରେ । ୨୦୦୯ରୁ ୨୦୧୧ ମଧ୍ୟରେ ସେ ୧୩ଟି ଦୁଷ୍କର୍ମ ଓ ହତ୍ୟାମାମଲା ଓ ୭ଟି କେବଳ ଦୁଷ୍କର୍ମ ମାମଲା ତା ନାଁରେ ଦାଏର ହୋଇସାରିଥିଲା । ମାର୍ଚ୍ଚ ୨୦୧୧ରେ ସେ ପୁଲିସ ହାଜତରୁ ଖସିଯାଇଥିଲା କିନ୍ତୁ ମଇ ମାସରେ ପୁଣିଥରେ ତାକୁ ଗିରଫ କରାଯାଇଥିଲା । ଏହି ଦୁଇମାସରେ ମଧ୍ୟ ସେ ୬ଜଣ ମହିଳାଙ୍କୁ ଦୁଷ୍କର୍ମ ଓ ଜଣେ ବ୍ୟକ୍ତି ଓ ଜଣେ ଶିଶୁଙ୍କୁ ହତ୍ୟା କରିଥିଲା । ଏପ୍ରିଲ ୨୦୧୩ରେ ହୋସୁରର ଏକ କୋର୍ଟ ତାକୁ ୧୦ ବର୍ଷର କାରାଦଣ୍ଡ ଦେଇଥିଲେ ।

ସମ୍ବନ୍ଧିତ ଖବର