ଜେଲ୍‌ ଗଲେ ରାଜା ଗ୍ୟାଙ୍ଗ୍‌ର ୫ ଡକାୟତ

ଖଣ୍ଡଗିରି: ପୁଲିସ ପାଇଁ ମୋଷ୍ଟ ୱାଣ୍ଟ‌େଡ୍‌ ଥିବା ରାଜା ଗ୍ୟାଙ୍ଗ୍‌ର ୫ ଜଣ ଡକାୟତଙ୍କୁ ଖଣ୍ଡଗିରି ଥାନା ପୁଲିସ ଶୁକ୍ରବାର କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଗ୍ୟାଙ୍ଗ ଲିଡର୍‌ ଅଂଶୁମାନ ଅଭିଜିତ୍ ସାହୁ ଓରଫ୍ ରାଜା(୨୪), ସିଦ୍ଧିସ୍ବରୂପ ରାଉଳ ଓରଫ୍ ସାହିଲ୍‌(୨୨), ଅନିଲ କୁମାର ବେହେରା(୧୯), ରାଜେଶ କୁମାର ଗାହାଣ ଓରଫ୍ ଭିକି(୨୪) ଓ ସନ୍ତୋଷ ପୃଷ୍ଟି(୩୫)। ସେମାନଙ୍କଠାରୁ ୨ଟି ଚେନ୍, ୩ ହଳ କାନଫୁଲ, ୬ଟି ମୁଦି, ହଳେ ଶଙ୍ଖା, ୨ଟି ଟିଭି ଓ ବହୁ ରୂପା ଅଳଙ୍କାର ଜବତ କରାଯାଇଛି। ଏହି ଗ୍ୟାଙ୍ଗ୍‌ ରାଜଧାନୀ ସମେତ ଗଞ୍ଜାମ ଓ କଟକ ସଦର ଥାନା ଅଞ୍ଚଳରେ ବି ବହୁ ଲୁଟ୍‌ ମାମଲାରେ ସମ୍ପୃକ୍ତ ଥିବା ଜଣାପଡ଼ିଛି।   ଏହି ଗ୍ୟାଙ୍ଗ୍‌ ଖଣ୍ଡଗିରି, ଭରତପୁର, କଳିଙ୍ଗନଗର ଓ ତମାଣ୍ଡୋ ଅଞ୍ଚଳରେ ସକ୍ରିୟ ଥିଲେ। ଗତବର୍ଷ ଜୁନ୍‌ ୮ ତାରିଖରେ କଳିଙ୍ଗନଗର କେ-୩ରେ ରହୁଥିବା ସିଦ୍ଧାର୍ଥ ପଟ୍ଟନାୟକଙ୍କ ଘରୁ ଦୁର୍ବୃତ୍ତମାନେ ସୁନାଗହଣା, ନଗଦ ଟଙ୍କା ସହ ତାଙ୍କର ୨ଟି ଟିଭି ଓ ଲାପଟପ୍‌ ଆଦି ଲୁଟି ନେଇଥିଲେ। ନିକଟସ୍ଥ ସିସିଟିଭି ଫୁଟେଜ୍‌ରୁ ମିଳିଥିବା ଫଟୋରୁ ଏହା ରାଜା ଗ୍ୟାଙ୍ଗ୍‌ର କାଣ୍ଡ ବୋଲି ପୁଲିସ ଜାଣିବାକୁ ପାଇଥିଲା। ଗତକାଲି ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଖଣ୍ଡଗିରି ଥାନା ପୁଲିସ ଭରତପୁରରେ ଚଢ଼ଉ କରି ସେମାନଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା।

ପାଇପ୍ ମିସ୍ତ୍ରି ସନ୍ତୋଷ ଥିଲା ସୂତ୍ରଧର

ରାଜା ଗ୍ୟାଙ୍ଗ୍‌ର ସନ୍ତୋଷ ପୃଷ୍ଟି ଥିଲା ମୁଖ୍ୟ ସୂତ୍ରଧର। ସେ ଜଣେ ପାଇପ୍ ମିସ୍ତ୍ରି ହୋଇଥିବାରୁ ବିଭିନ୍ନ ଅଞ୍ଚଳରେ ଲୋକଙ୍କ ଘରକୁ କାମ ପାଇଁ ଯାଇଥାଏ। କେଉଁ ଘରେ କେତେଜଣ ଲୋକ ରହୁଛନ୍ତି, କେଉଁଦିନ କିଏ ଘର ଛାଡ଼ି ବାହାରକୁ ଯାଉଛି, ସେ ଖବର ସଂଗ୍ରହ କରିବା ତାକୁ ସହଜ ହୋଇଥାଏ। ସନ୍ତୋଷର ସୂଚନା ଅନୁସାରେ ରାଜା ଗ୍ୟାଙ୍ଗ୍ ଉକ୍ତ ଘରକୁ ଟାର୍ଗେଟ୍‌ କରନ୍ତି। ସନ୍ତୋଷ ପାଇପ୍ କାମରେ ବ୍ୟବହୃତ ଯନ୍ତ୍ରରେ ତାଲା ଭାଙ୍ଗିବାରେ ସିଦ୍ଧହସ୍ତ। ପୁଲିସ ସୂଚନାନୁସାରେ ୨୦୧୬ ମସିହାରୁ ରାଜା ଓ ସାହିଲ୍‌ ଗ୍ୟାଙ୍ଗ୍‌ ଗଠନ କରି ଡକାୟତି କରିବା ଆରମ୍ଭ କରିଛନ୍ତି। ବନ୍ଧୁକମୁନରେ ଲୁଟ୍‌ କରିବା ଭଳି ସଂଗିନ୍ ମାମଲାରେ ସେମାନେ ୨୦୧୬ ଓ ୨୦୧୭ ମସିହାରେ ଗିରଫ ହୋଇଥିଲେ।

ସମ୍ବନ୍ଧିତ ଖବର