ରାଜଧାନୀ ଏକ୍ସପ୍ରେସ୍‌ରେ ୨ ମହିଳାଙ୍କ ଅଳଙ୍କାର ସମେତ ଲକ୍ଷାଧିକ ଟଙ୍କା ଚୋରି

ନୂଆଦିଲ୍ଲୀ: ନୂଆଦିଲ୍ଲୀରୁ ବିଳାସପୁର ଆସୁଥିବା ରାଜଧାନୀ ଏକ୍ସପ୍ରେସରେ ଯାତ୍ରା କରୁଥିବା ଦୁଇ ମହିଳାଙ୍କ ହ୍ୟାଣ୍ଡବ୍ୟାଗ୍‌ରୁ ଅଳଙ୍କାର ସମେତ ଲକ୍ଷାଧିକ ଟଙ୍କା ଚୋରି ହେବା ଅଭିଯୋଗ ଆସିଛି। ଏହି ମହିଳାଙ୍କ ମଧ୍ୟରୁ ଜଣେ ଏହି ଚୋରି ଅଭିଯୋଗ ରାୟପୁରରେ ଦେଇଥିଲା ବେଳେ ଅନ୍ୟଜଣେ ମହିଳା ବିଳାସପୁର ଜିଆରପିଙ୍କୁ ଜଣାଇଥିଲେ। ଏହି ମାମଲାରେ ଟ୍ରେନ୍‌ରେ ଯାତ୍ରୀଙ୍କୁ ଖାଦ୍ୟ ଯୋଗାଇବା ଜିମା ନେଇଥିବା ଜଣେ ବ୍ୟକ୍ତିଙ୍କୁ ପୁଲିସ କରିଛି। ଗିରଫ ଅଭିଯୁକ୍ତଙ୍କ ନାମ ଅଭିଲାଷ କୁମାର ବୋଲି ଜଣାପଡ଼ିଛି।
ରାୟପୁର ଜିଆରପି ପ୍ରଭାରି ଆର.ବୋଝିଙ୍କ କହିବାନୁସାରେ,  ରାଜଧାନୀ ଏକ୍ସପ୍ରେସରେ ରୁଚି ସୁକ୍ଳା ତାଙ୍କ ପିଲାଙ୍କ ସହିତ ନୂଆଦିଲ୍ଲୀରୁ ରାୟପୁର ଆସୁଥିଲେ। ଇଟାରସିରୁ ନାଗପୁର ମଧ୍ୟରେ ଏହି ଚୋରି ହୋଇଛି। ମହିଳାଙ୍କ ହ୍ୟାଣ୍ଡ ବ୍ୟାଗ କେହି ଜଣେ ଅଜଣା ବ୍ୟକ୍ତି ଚୋରାଇ ନେଇଥିଲେ। ବ୍ୟାଗରେ ୭ଲକ୍ଷର ଅଳଙ୍କାର ସହିତ ୮୦ ହଜାର ନଗଦ ଟଙ୍କା ଥିଲା। ସେହିପରି ଏହି ଟ୍ରେନ୍‌ରେ ଯାତ୍ରା କରୁଥିବା ଅନ୍ୟ ଜଣେ ମହିଳା କୁସୁମ ସୋମାନିଙ୍କ ହ୍ୟାଣ୍ଡ ବ୍ୟାଗରୁ ୧୦ହଜାର ଟଙ୍କା ଓ ୮ହଜାର ଟଙ୍କାର ଅଳଙ୍କାର ଚୋରି ହୋଇଥିବା ଅଭିଯୋଗ ହୋଇଛି। ଦୁଇ ମହିଳାଙ୍କୁ ପଚରାଉଚରା କରିବା ପରେ ସେମାନେ ଟ୍ରେନ୍‌ ଭିତରେ ଖାଦ୍ୟ ଯୋଗାଉଥିବା ଅଭିଲାଷଙ୍କୁ ସନ୍ଦେହ କରୁଥିବା କହିବା ପରେ ପୁଲିସ ଅଭିଳାଷ କୁମାରଙ୍କୁ ଗିରଫ କରିଛି।
ସମ୍ବନ୍ଧିତ ଖବର