ନାବାଳିକାଙ୍କୁ ଦୁଷ୍କର୍ମ କରି ଗର୍ଭବତୀ କରିଥିବା ଅଭିଯୁକ୍ତକୁ ୨.୫ ଲକ୍ଷ ଜରିମାନା ଦେଇ ଛାଡ଼ିଦେଲେ ଗାଁ ମୁଖିଆ

ହାଇଦ୍ରାବାଦ୍‌: ଦେଶରେ ମହିଳାଙ୍କ ପ୍ରତି ଅତ୍ୟାଚାର ବଢ଼ିିଚାଲିଥିବା ହେତୁ ଦୁଷ୍କର୍ମକାରୀଙ୍କୁ ମୃତ୍ୟୁଦଣ୍ଡ ଦିଆଯିବା ଆରମ୍ଭ ହୋଇଛି। ମାତ୍ର ଏମିତି ବି ସ୍ଥାନ ଅଛି ଯେଉଁଠି ଜଣେ ନାବାଳିକାକୁ ଦୁଷ୍କର୍ମ କରି ଗର୍ଭବତୀ କରାଇଥିବା ବ୍ୟକ୍ତିଙ୍କ ଠାରୁ କିଛି ଟଙ୍କା ଜରିମାନା ଆଦାୟ କରି ଛାଡ଼ି ଦିଆଯାଇଛି।

ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ତେଲେଙ୍ଗାନାର ମେହେବୁବ୍‌ ନଗର ଜିଲ୍ଲାରେ। ଏହି ଜିଲ୍ଲାର ଏକ ଗାଆଁରେ ଜନୈକ ନାବାଳିକାଙ୍କୁ ଦୁଷ୍କର୍ମ କରି ଗର୍ଭବତୀ କରାଇଥିବା ବ୍ୟକ୍ତିକୁ ଗାଁର ମୁଖିଆମାନେ ମାତ୍ର ୨.୫ ଲକ୍ଷ ଟଙ୍କାର ଜରିମାନା କରି ଛାଡ଼ି ଦେଇଛନ୍ତି। ମୁଖିଆମାନେ ଏହି ଜରିମାନା ରାଶି ପୀଡ଼ିତାଙ୍କ ପରିବାରକୁ ଦେବାକୁ କହିବା ସହ ଦୁଷ୍କର୍ମକାରୀକୁ ଗାଁରୁ ବାସନ୍ଦ କରିଛନ୍ତି।

Siasat

ଘଟଣା ଜାଣିବା ପରେ ପୁଲିସ ଗାଁ ମୁଖିଆଙ୍କୁ ଗିରଫ କରିଛି। ସେମାନେ ମାମଲା ରଫାଦଫା କରିବା ସହ ପୀଡ଼ିତାଙ୍କ ପରିବାରକୁ ଚୁପ୍‌ ରହିବା ଲାଗି ଚାପ ପକାଇଥିଲେ। ମୁଖିଆମାନଙ୍କୁ କୋର୍ଟରେ ହାଜର କରାଯିବା ପରେ ଜେଲ୍‌ ପଠାଇ ଦିଆଯାଇଛି।

ଘଟଣାଟି ଏମିତି। ଦୁଷ୍କର୍ମ ଅଭିଯୁକ୍ତ ଭେଙ୍କଟେଶ ସେଇ ଗାଁର ଜଣେ ନାବାଳିକା ଝିଅକୁ ବିବାହ କରିବା ପ୍ରତିଶ୍ରୁତି ଦେଇ ତା’ ସହ ଶାରୀରିକ ସଂପର୍କ ରଖିଥିଲା। ଝିଅଟି ଗର୍ଭବତୀ ହେବା ପରେ ଘଟଣା ସାମ୍ନାକୁ ଆସିଥିଲା। ଏହାପରେ ଗାଁର ମୁଖିଆମାନେ ଅଭିଯୁକ୍ତଠାରୁ ୨.୫ଲକ୍ଷ ଟଙ୍କା ନେଇ ମାମଲା ରଫାଦଫା କରିବାକୁ ପୀଡ଼ିତାଙ୍କ ପରିବାରକୁ କହିଥିଲେ। ପୁଲିସ ପାଖରେ ଘଟଣା ସଂପର୍କରେ ସୂଚନା ପହଞ୍ଚିବା ପରେ ତଦନ୍ତ ଆରମ୍ଭ ହୋଇଥିଲା।

ସମ୍ବନ୍ଧିତ ଖବର