ଫେରାର୍‌ ଦୁଷ୍କର୍ମ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ୬ ମାସ ଧରି ଫେରାର ଥିବା ଜଣେ ଦୁଷ୍କର୍ମ ଅଭିଯୁକ୍ତକୁ ନୂଆପଲ୍ଲୀ ଥାନା ପୁଲିସ ଗିରଫ କରିଛି। ସେ ହେଲା ସାଲିଆସାହି ମହାବୀର ବସ୍ତିରେ ରହୁଥିବା ଭଦ୍ରକ ଜିଲ୍ଲା ବାଂଶପାଳ ଥାନା ପୋଖରୀସାହିର ସୁବାସ ଜେନା ଓରଫ୍‌ ରାଜା(୩୨)। ଜାମିନ୍‌ ନାମଞ୍ଜୁର ହେବାରୁ ତାକୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଜଣେ ସ୍ୱାମୀ ପରିତ୍ୟକ୍ତା ମହିଳାଙ୍କ ଘରେ ପଶି ଦୁଷ୍କର୍ମ କରିବା ପରେ ସେ ଫେରାର୍‌ ହୋଇଯାଇଥିଲା। ପୁଲିସ ସୂଚନାନୁସାରେ ସାଲିଆସାହି ଶ୍ରୀରାମନଗର ବସ୍ତିରେ ଗଞ୍ଜାମ ଅଞ୍ଚଳର ଜଣେ ଶ୍ରମଜୀବୀ ମହିଳା ରହୁଥିଲେ। ସ୍ୱାମୀ ଛାଡ଼ି ଚାଲିଯିବା ପରେ ସେ ୨ଟି ଛୋଟ ପିଲାଙ୍କୁ ଧରି ଏକା ରହୁଛନ୍ତି। ରାଜା ଜଣେ ରାଜମିସ୍ତ୍ରି ହୋଇଥିବାରୁ ମହିଳା ଜଣଙ୍କ ତାଙ୍କ ସହ ଶ୍ରମିକଭାବେ କାମ କରନ୍ତି। ମାର୍ଚ୍ଚ ୧୭ ତାରିଖ ସନ୍ଧ୍ୟାରେ ମହିଳାଙ୍କୁ ତାଙ୍କ ଘରେ ଏକୁଟିଆ ପାଇ ରାଜା ତାଙ୍କୁ ଦୁଷ୍କର୍ମ କରିଥିଲା। ମହିଳା ଜଣଙ୍କ ପୁଲିସରେ ଜଣାଇବେ ବୋଲି କହିବାରୁ ରାଜା ଫେରାର୍‌ ହୋଇଯାଇଥିଲା। ରାଜା ଗୁରୁବାର ପୁଣି ସାଲିଆସାହି ଆସିଥିବାବେଳେ ପୁଲିସ ହାତରେ ଧରାପଡ଼ି ଯାଇଥିଲା।

ସମ୍ବନ୍ଧିତ ଖବର