କଟକରୁ ଆଗ୍ରା ଚାଲାଣ ବେଳେ ଛତିଶଗଡ଼ରେ କାରରୁ ଜବତ ହେଲା ୧୦ କୋଟିରୁ ଅଧିକ ଟଙ୍କା

ରାୟପୁର: ଛତିଶଗଡରେ କାରରୁ ମିଳିଲା ୧୦ କୋଟିରୁ ଅଧିକ ଟଙ୍କା । କାରରେ ୧୦ କୋଟି ୯୦ ଲକ୍ଷ ଟଙ୍କା ଚାଲାଣ ହେଉଥିବା ବେଳେ ପୁଲିସ ଜବତ କରିଛି । ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି, କଟକରୁ ଛତିଶଗଡ ଦେଇ ଆଗ୍ରା ଯାଉଥିଲା ଏତେ ପରିମାଣର ଟଙ୍କା । ଟଙ୍କା ନେଇ ଯାଉଥିବା ୪ ଜଣଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଛି । ସେମାନଙ୍କ କହିବା କଥା, ଗତ ରବିବାର ସେମାନେ ଆଗ୍ରାରୁ, ଗ୍ୱାଲିୟର ଏବଂ ଛତିଶଗଡ ଦେଇ କଟକ ଆସିଥିଲେ । କଟକରେ ଜଣେ ବ୍ୟକ୍ତି ତାଙ୍କୁ ଏକ ଫାର୍ମ ହାଉସକୁ ନେଇଥିଲା । ସେଠାରେ ତାଙ୍କୁ ଟଙ୍କା ଦିଆଯାଇଥିଲା । କାରର ପଛ ସିଟରେ ଲକର କରାଯାଇ ଟଙ୍କା ରଖାଯାଇଥିଲା । ଟଙ୍କା ଆଣିବାକୁ ସେମାନଙ୍କୁ ପଠାଇଥିବା ଅବଧେଶ ଅଗ୍ରୱାଲ ଆଗ୍ରାର ବାସିନ୍ଦା ଏବଂ ତାଙ୍କର ସୁନା ବ୍ୟବସାୟ ରହିଛି ବୋଲି ପୁଲିସ ଆଗରେ ଅଟକ ଥିବା ୪ ଜଣ କହିଛନ୍ତି ।

କାର ଭିତରେ ୧୦ କୋଟି ୯୦ ଲକ୍ଷର ନୋଟ୍ । ଛତିଶଗଡରେ ଜବତ ହେଲା ବିପୁଳ ଟଙ୍କା । ୨ ହଜାର ଓ ୫ ଶହ ଟଙ୍କାର ବିଡା ବିଡା ନୋଟ୍ । ଥାକ ଥାକ କରି ରଖାଯାଇଛି ନୋଟ୍ ବଣ୍ଡଲ । ଫଟୋରେ ଦେଖୁଥିବା ଥିବା ଏହି ନୋଟର ପାହାଡରେ ରହିଛି ୧୦ କୋଟି ୯୦ ଲକ୍ଷ ଟଙ୍କାର ନୋଟ୍ । ଏକ ଟୋୟଟା ଇଟିଅସ୍ କାରରୁ ଜବତ ହୋଇଛି ଏସବୁ ଟଙ୍କା । ଛତିଶଗଡ ମହାସମୁନ୍ଦ ଜିଲ୍ଲାର ଖଲ୍ଲାରୀ ପୁଲିସ ଟଙ୍କା ସହ ୪ ଜଣଙ୍କୁ ଅଟକ ରଖିଛି । ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି, କଟକରୁ ଛତିଶଗଡ ଦେଇ ଆଗ୍ରା ଯାଉଥିଲା ଏସବୁ ଟଙ୍କା ।

ଓଡିଶାରୁ ଟଙ୍କା ନେଇ ୟୁପି ଯାଉଥିବା ସମସ୍ତ ୪ ଜଣ, ଆଗ୍ରାର ବାସିନ୍ଦା । ସେମାନଙ୍କ କହିବା କଥା, ଆଗ୍ରାର ଅବଧେଶ ଅଗ୍ରୱାଲ ତାଙ୍କୁ ଟଙ୍କା ଆଣିବାକୁ କଟକ ପଠାଇଥିଲା । ତେବେ କିଏ ତାଙ୍କୁ ଟଙ୍କା ଦେଇଛି ସେନେଇ ସେମାନେ କିଛି ଜାଣିନାହାଁନ୍ତି । ସଂପୃକ୍ତ ବ୍ୟକ୍ତିଙ୍କ ସହ ସେମାନେ କେବଳ ଫୋନରେ କଥା ହୋଇଛନ୍ତି ଏବଂ କଟକର ଏକ ଫାର୍ମ ହାଉସରେ ସେମାନଙ୍କୁ ଟଙ୍କା ଦିଆଯାଇଥିବା ପୁଲିସ ଆଗରେ କହିଛନ୍ତି ।

ସମ୍ବନ୍ଧିତ ଖବର