କାଞ୍ଚନପୁର ଜଂଗଲରେ କ୍ରାଇମ୍‌ବ୍ରାଞ୍ଚ ଚଢ଼ଉ : ୧୦ ଲକ୍ଷ ଟଙ୍କାର ଚିତାବାଘ ଚମଡ଼ା ଜବତ

କଟକ/ଭୁବନେଶ୍ୱର/ରେଢାଖୋଲ : ରାଜ୍ୟ କ୍ରାଇମ୍‌ବ୍ରାଞ୍ଚର ବନ୍ୟଜନ୍ତୁ ସୁରକ୍ଷା ସେଲ୍‌ର ସ୍ପେଶାଲ ସ୍କ୍ଵାଡ୍‌ ପଶୁ ଚମଡ଼ା ଚାଲାଣ ର‍୍ୟାକେଟର ଦୁଇ ଜଣଙ୍କୁ ଗିରଫ କରିଛି। ସମ୍ବଲପୁର ଜିଲ୍ଲା କାଞ୍ଚନପୁର ଜଂଗଲରେ ଚଢ଼ଉ କରି ଚିତାବାଘ ଚମଡ଼ା ଚାଲାଣ କରୁଥିବା ଦୁଇ ଶିକାରୀଙ୍କୁ କ୍ରାଇମ୍‌ବ୍ରାଞ୍ଚ ଗିରଫ କରିଛି । ଜବତ ଚମଡ଼ାର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଉଛି । ଗିରଫ ଦୁଇ ଅଭିଯୁକ୍ତ ହେଉଛନ୍ତି ସମ୍ବଲପୁର ଜିଲ୍ଲା କୁମ୍ଭାରପଡ଼ା କାଞ୍ଚନପୁର ଅଞ୍ଚଳର ଅକେଇ ସାହୁ(୭୦) ଏବଂ କାଳିବରୀ ଅଞ୍ଚଳର ବିଶାଲ ସାହା(୨୧) । ଉଭୟଙ୍କୁ ଆସନ୍ତାକାଲି ରେଢ଼ାଖୋଲ କୋର୍ଟରେ ହାଜର କରାଯିବା ପରେ କଟକ କ୍ରାଇମ୍‌ବ୍ରାଞ୍ଚ କାର୍ଯ୍ୟାଳୟକୁ ରିମାଣ୍ଡରେ ଆଣିବାକୁ ଯୋଜନା କରାଯାଉଛି। ଗୁଇନ୍ଦା ତଥ୍ୟ ଆଧାରରେ ରାଜ୍ୟ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ଏକ ଏସ୍‌ଆଇଟି ଗଠନ କରାଯାଇଥିଲା । ଇନ୍‌ସ୍ପେକ୍ଟର ଏନ୍‌.କେ ମାହୁନ୍ତଙ୍କ ନେତୃତ୍ୱରେ ଗଠିତ ଟିମ୍‌ ସମ୍ବଲପୁର ଜିଲ୍ଲା କିସିଣ୍ଡା ଥାନା ଅନ୍ତର୍ଗତ କାଞ୍ଚନପୁର ଜଙ୍ଗଲରେ ଅତର୍କିତ ଚଢ଼ଉ କରିଥିଲା। ଚିତାବାଘ ଚମଡ଼ାକୁ ଏକ ଏୟାର ବ୍ୟାଗ୍‌ରେ ଉପରୋକ୍ତ ଦୁଇ ଶିକାରୀ ନେଉଥିବା ବେଳେ ଧରାପଡ଼ିଥିଲେ ।

କ୍ରାଇମ୍‌ବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ କହିଛନ୍ତି ଯେ ସେମାନଙ୍କୁ କାଞ୍ଚନପୁର ଜଂଗଲରୁ ଧରାଯିବା ପରେ ରେଢ଼ାଖୋଲରେ ଜେରା କରାଯାଉଛି। ଅଧିକ ତଥ୍ୟ ମିଳିବାର ସମ୍ଭାବନା ଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର