ନୂଆଦିଲ୍ଲୀ: ଦିଲ୍ଲୀରେ ଜନୈକା ୬ ବର୍ଷ ବୟସ୍କା ଛାତ୍ରୀକୁ ସ୍କୁଲ ନେବା ବାଟରେ ସଂପୃକ୍ତ ସ୍କୁଲର ଭ୍ୟାନ୍ ଡ୍ରାଇଭର ଛାତ୍ରୀ ଜଣଙ୍କୁ ବାଟରେ ଅସଦାଚରଣ କରିଥିବା ଅଭିଯୋଗରେ ପୁଲିସ୍ ମଙ୍ଗଳବାର ଦିନ ସଂପୃକ୍ତ ଅଭିଯୁକ୍ତ ଡ୍ରାଇଭର ଜଣଙ୍କୁ ଗିରଫ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ପୁଲିସ୍ ସୂତ୍ରରୁ ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ସଂପୃକ୍ତା ଛାତ୍ରୀ ଜଣକ ଦିବ୍ୟାଙ୍ଗ। ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କ ପାଇଁ କିଛି ଡାକ୍ତରମାନଙ୍କ ଦ୍ୱାରା ଦକ୍ଷିଣ ଦିଲ୍ଲୀ ଅଞ୍ଚଳରେ ଖୋଲା ଯାଇଥିବା ଏକ ସ୍କୁଲରେ ଛାତ୍ରୀଟି ପଢ଼େ। ସ୍କୁଲ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କୁ ନେବା ଆଣିବା କରିବା ପାଇଁ ଥିବା ଭ୍ୟାନ୍ରେ ଛାତ୍ରୀଟି ଯା’ଆସ କରେ। ତେବେ ଗତ ସୋମବାର ଦିନ ସଂପୃକ୍ତ ଛାତ୍ରୀଟି ସ୍କୁଲରୁ ଘରକୁ ଫେରୁଥିବା ବେଳେ ଅନ୍ୟ ଛାତ୍ରଛାତ୍ରୀମାନଙ୍କୁ ଆଗେ ସେମାନଙ୍କ ଘରେ ଛାଡ଼ିଦେବା ପରେ ଭ୍ୟାନ୍ ଡ୍ରାଇଭର ଜଣକ ଏକୁଟିଆ ଛାତ୍ରୀଟିକୁ ଭ୍ୟାନରେ ଧରି ତା’ ଘରକୁ ଛାଡ଼ିବାକୁ ଆସୁଥିଲା। ଏହି ସୁଯୋଗରେ ଡ୍ରାଇଭର ଜଣକ ଛାତ୍ରୀଟିକୁ ନିଜ ନିକଟକୁ ଡାକି ତା’ସହ ଅସଦାଚରଣ କରିବା ସହ ସମ୍ବେଦନଶୀଳ ସ୍ଥାନରେ ହସ୍ତ ଚାଳନା କରିଥିଲା। ତେବେ, ଘରକୁ ଫେରିବା ପରେ ଛାତ୍ରୀ ଜଣକ ତା’ ମାଆଙ୍କୁ ଘଟଣା ବିଷୟରେ କହିବା ପରେ ଛାତ୍ରୀର ପିତାମାତା ଯାଇ ପୁଲିସ୍ ଥାନାରେ ଘଟଣା ସଂପର୍କରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ପୁଲିସ୍ ମଙ୍ଗଳବାର ଦିନ ଅଭିଯୁକ୍ତ ଭ୍ୟାନ୍ ଡ୍ରାଇଭର ଜଣଙ୍କୁ ଗିରଫ କରିବା ସହ ଘଟଣା ସଂପର୍କରେ ତଦନ୍ତ ଆରମ୍ଭ କରିଛି।