ବିମାନବନ୍ଦର ଛକରୁ ସିରିଜ୍‌ ଚୋରି, ମିଠା ବି ନେଇଗଲେ

ଭୁବନେଶ୍ୱର: କଡ଼ା ସୁରକ୍ଷା ବଳୟରେ ଥିବା ନବୀନ ନିବାସ ନିକଟ ବିମାନବନ୍ଦର ଛକରୁ ଶନିବାର ରାତିରେ ସିରିଜ୍‌ ଚୋରି ହୋଇଛି। ଦୁର୍ବୃତ୍ତମାନେ ୩ଟି ଦୋକାନର ସଟର କାଟି ଲକ୍ଷାଧିକ ଟଙ୍କାର ଜିନିଷପତ୍ର ଓ ଟଙ୍କା ନେଇ ଯାଇଛନ୍ତି। ଏ ନେଇ ବ୍ୟବସାୟୀମାନେ ଏୟାରଫିଲ୍‌ଡ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାସ୍ଥଳକୁ ଆସି ତଦନ୍ତ କରିଛି। ଲୁଟ୍‌ବେଳର ଦୃଶ୍ୟ ବିମାନବନ୍ଦରରେ ଲାଗିଥିବା ସିସି କ୍ୟାମେରାରେ ମହଜୁଦ ଅଛି।

ମିଳିଥିବା ସୂଚନା ମୁତାବକ, ବିମାନବନ୍ଦରେ ଛକରେ ଥିବା ଓମଫେଡ୍‌ ବୁଥ, ବେଙ୍ଗଲ ସୁଇଟ୍ସ ଓ ପତଞ୍ଜଳି ଷ୍ଟୋରର ସଟର କଟାଯାଇଛି। ୩ଟି ଦୋକାନରେ ଥିବା ଟଙ୍କା ବାକ୍ସରେ ପାଖାପାଖି ୪୦ ହଜାର ଟଙ୍କା ଓ ଜିନିଷପତ୍ର ଚୋରି ହୋଇଛି। ଦୁର୍ବୃତ୍ତମାନେ ବେଙ୍ଗଲ ସୁଇଟ୍ସରୁ ବହୁ ପରିମାଣରୁ ଦାମୀ ମିଠା ମଧ୍ୟ ଚୋରି କରି ନେଇଛନ୍ତି। ଏ ନେଇ ବ୍ୟବସାୟୀ କାମେଶ୍ୱର ସାହା, ତ୍ରିନାଥ ଘୋଷ, ବିଶ୍ୱବିଜୟୀ ରଥ ପ୍ରମୁଖ ଥାନାରେ ଅଭିଯୋଗ କରିଛନ୍ତି। ୨୪ ଘଣ୍ଟିଆ ସୁରକ୍ଷା ବଳୟରେ ଥିବା ନବୀନ ନିବାସରୁ ବିମାନବନ୍ଦର ଛକ ରାସ୍ତା ପାର୍ଶ୍ୱ ଦୋକାନରୁ ସିରିଜ୍‌ ଚୋରି ହେବା ପୁଲିସ ସୁରକ୍ଷା ବନ୍ଦୋବସ୍ତ ଓ ପାରିବା ପଣିଆ ଉପରେ ପ୍ରଶ୍ନ ଉଠିଛି।

ସମ୍ବନ୍ଧିତ ଖବର