ମସାଜ୍‌ ସେଣ୍ଟର୍‌ରୁ ସେକ୍ସ ର‍୍ୟାକେଟ୍‌ ଠାବ

ଭୁବନେଶ୍ୱର: ଓଡ଼ିଶାରେ ମିଳୁଥିଲା ଥାଇଲାଣ୍ଡ ଭଳି ସେବା। ଅଭିନବ ଉପାୟରେ ଚାଲିଥିଲା ସେକ୍ସ କାରବାର। ତାହା ପୁଣି ରାଜକୀୟ ଠାଣିରେ। ତାରକା ହୋଟେଲ୍‌ ପରି ସୁସଜ୍ଜିତ ଶୀତତାପ ନିୟନ୍ତ୍ରିତ କୋଠରୀରେ। କୋଠରୀରେ ପଡ଼ିଥିଲା ରଙ୍ଗବେରଙ୍ଗର ଶଯ୍ୟା। ଜଳୁଥିଲା ହାଲ୍‌କା ନୀଳ ରଙ୍ଗର ଆଲୋକ। ଆଉ ସେବା ଯୋଗାଉଥିଲେ ବିଦେଶୀ ଯୁବତୀ। ଏପରି ଏକ ର‍୍ୟାକେଟ୍‌କୁ ଠାବ କରିବା ପରେ ପୁଲିସ ଦେଇଛି ଏମିତି କିଛି ସୂଚନା। ଦୀର୍ଘ ଦିନ ହେବ ବାପୁଜୀନଗର ଅଞ୍ଚଳର ମାର୍କେଟ କମ୍ପ୍ଲେକ୍ସରେ ଥିବା ଏଚ୍‌ ଟୁ ଓ ମସାଜ ସେଣ୍ଟର୍‌ ନାଁରେ ଚାଲିଥିଲା ଏହି କାରବାର। ପୁଲିସ ସେଠାରୁ ସଂସ୍ଥାର ମ୍ୟାନେଜର୍‌ ବାଲୁଗାଁ ଅଞ୍ଚଳର ରଞ୍ଜନ ରଣା(୩୮) ଓ ୭ଜଣ ଗ୍ରାହକଙ୍କୁ ଗିରଫ କରିଛି। ସେହିପରି ୮ଜଣ ଥାଇ ଯୁବତୀଙ୍କୁ ଉଦ୍ଧାର କରାଯାଇଛି। ଚଢ଼ଉବେଳେ ପୁଲିସ ସେଠାରୁୁ ୩୦ଟି ମୋବାଇଲ୍‌ ଫୋନ୍‌, ୫୦ ହଜାର ଟଙ୍କା, ଗୋଟିଏ ଲ୍ୟାପଟପ୍‌, ରେଜିଷ୍ଟର୍‌, ପାସପୋର୍ଟ, ଭିସା ଏବଂ ବହୁ ଆପତ୍ତିଜନକ ସାମଗ୍ରୀ ଜବତ କରିଛି। ଜବତ ହୋଇଥିବା ଭିସାଗୁଡ଼ିକରୁ ଜଣାପଡ଼ିଛି ଯେ, ଏକ ବର୍ଷ ଅବଧିର ଟୁରିଷ୍ଟ ଓ ବିଜ୍‌ନେସ୍‌ ଭିସା। ଭିସାରେ ଥିବା ତଥ୍ୟ ଅନୁଯାୟୀ, ୩ଜଣ ଥାଇ ଯୁବତୀ ୨୦୧୭ରୁ ଭାରତକୁ ଆସିଥିଲେ। ଜଣେ ଯୁବତୀ ଏପ୍ରିଲ୍‌, ଜଣେ ଜୁଲାଇ ଓ ଅନ୍ୟ ଜଣେ ଅଗଷ୍ଟ ମାସରେ ଭାରତ ଅସିଥିବା ଜଣାପଡ଼ିଛି। ଅନ୍ୟ ୫ଜଣ ଯୁବତୀ ଗତ ୩ ମାସ ହେବ ଆସିଥିଲେ। ତେବେ ଥାଇଲାଣ୍ଡରୁ ଆସିଥିବା ଏହି ଯୁବତୀମାନେ କିଭଳି ଭାବେ ଏଠାରେ ସେବା ଯୋଗଉ ଥିଲେ? ଏମାନଙ୍କ ସହ କେଉଁମାନଙ୍କ ସମ୍ପୃକ୍ତି ରହିଛି? ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ପୁଲିସ ମଧ୍ୟ ଥାଇଲାଣ୍ଡ ଦୂତାବାସ ସହ ଯୋଗାଯୋଗ କରିଛି।

୭ ଗ୍ରାହକଙ୍କ ସମେତ ୮ ଗିରଫ, ୮ ଯୁବତୀ ଉଦ୍ଧାର
୩୦ ମୋବାଇଲ୍‌ ଫୋନ୍‌, ୫୦ ହଜାର ଟଙ୍କା, ଲାପଟପ୍‌, ରେଜିଷ୍ଟର, ପାସପୋର୍ଟ, ଭିସା ଏବଂ ଆପତ୍ତିଜନକ ସ୍ପ୍ରେ ଓ ସାମଗ୍ରୀ ଜବତ

ରେଜିଷ୍ଟର୍‌ରେ ବିଶିଷ୍ଟ ବ୍ୟକ୍ତିଙ୍କ ନାଁ
ସ୍ପାରେ ଚଢ଼ଉ ବେଳେ ପୁଲିସ ଏକ ରେଜିଷ୍ଟର୍‌ଜବତ କରିଛି। ରେଜିଷ୍ଟର୍‌ରେ ଶତାଧିକ ଗ୍ରାହକଙ୍କ ନାଁ ଓ ମୋବାଇଲ୍‌ ନମ୍ବର ଲେଖାଯାଇଛି। ସେମାନେ କେଉଁ ତାରିଖରେ କେତେବେଳେ ଆସିଛନ୍ତି। ଗ୍ରାହକ ଜଣଙ୍କ ନୂଆ କି ପୁରୁଣା କିମ୍ବା ପଞ୍ଜୀକୃତ ତାହା ଲେଖାଯାଇଛି। ନୂଆ ଗ୍ରାହକ ଓ ପୁରୁଣା ଗ୍ରହାକଙ୍କ ପାଇଁ ନୂଆ ନୂଆ ଦର ମଧ୍ୟ ରେଜିଷ୍ଟର୍‌ରୁ ଜଣାପଡ଼ିଛି। ତେବେ ଗ୍ରାହକଙ୍କ ମଧ୍ୟରେ କିଛି ବିଶିଷ୍ଟବ୍ୟକ୍ତିଙ୍କ ନାମ ଥିିବା ପୁଲିସ ସନ୍ଦେହ କରିଛି। ପୁଲିସ ନମ୍ବର ଓ ନାଁଗୁଡ଼ିକର ଯାଞ୍ଚ କରୁଛି।

କନ୍‌ଷ୍ଟେବଲ ସାଜିଲେ ଗ୍ରାହକ

ଗତ ଦୁଇ ଦିନ ତଳେ ଆଇଆଇସି ଏସିପି ମାନସ ଗଡ଼ନାୟକ ଖବର ପାଇଥିଲେ ଯେ, ଏଚ୍‌ଟୁଓ ମସାଜ୍‌ ସେଣ୍ଟର୍‌ରେ ସେକ୍ସର‍୍ୟାକେଟ୍‌ ଚାଲିଛି। ଖୋଦ୍‌ ଆଇଆଇସି ଗଡ଼ନାୟକ ୨ଦିନ ହେବ ସେଠରେ ଚକ୍କର୍‌ କାଟିଥିଲେ। ପ୍ରଥମେ ଗୁରୁବାର ଦିନ ର‍୍ୟାକେଟ୍‌କୁ ଠାବ ପାଇଁ ଚେଷ୍ଟା କରିଥିଲେ ମଧ୍ୟ ତାହା ସଫଳ ହୋଇ ନଥିଲା। ତେଣୁ ଆଇଆଇସି ଆଜି ୨ଜଣ କନ୍‌ଷ୍ଟେବଲଙ୍କୁ ଗ୍ରାହକ କରି ମସାଜ ପାଇଁ ପଠାଇ ଥିଲେ। ସେଠାରେ ଥିବା କର୍ମଚାରୀ ମସାଜ ପାଇଁ ଜଣକା ଅତିକମ୍‌ରେ ୨୨ଶହ ଟଙ୍କା ଦେବାକୁ ପଡ଼ିବ ବୋଲି କହିଥିଲେ। କନଷ୍ଟବଳ ପଚାରିଥିଲେ, ଆଉ କିଛି ଅଧିକ ସେବା ମିଳିବକି। କର୍ମଚାରୀ ଜଣଙ୍କ କନ୍‌ଷ୍ଟେବଲ୍‌ଙ୍କୁ ସିଧା ଏକ ରୁମ୍‌କୁ ନେଇ ବୁଝାଇଥିଲେ। କନ୍‌ଷ୍ଟେବଲ ବୁଝିବା ପରେ କିଛି ରିହାତି ପାଇଁ କହିଥିଲେ। କର୍ମଚାରୀ ଜଣଙ୍କ ଜଣକା ୨ହଜାର ଦେବାକୁ କହିଥିଲେ। ଏଟିଏମ୍‌ରୁ ଟଙ୍କା ଆଣୁଛି କହି ଜଣେ କନ୍‌ଷ୍ଟେବଲ୍‌ ବାହାରକୁ ଚାଲିଆସିଥିଲେ। ଅନ୍ୟ ଜଣଙ୍କ ସେଠାରେ କର୍ମଚାରୀଙ୍କ ଗତିବିଧି ଉପରେ ନଜର ରଖିଥିଲେ। ଯୋଜନା ମୁତାବକ ଆଇଆଇସିଙ୍କ ନେତୃତ୍ୱରେ ଏକ ଟିମ୍‌ ସେଠାରେ ଚଢ଼ଉ କରିଥିଲା। ଚଢ଼ଉ ବେଳେ ୭ ଯୁବତୀଙ୍କ ସହ ୭ ଗ୍ରାହକ ଅସଂଯତ ଅବସ୍ଥାରେ ଥିବା ପୁଲିସ ଦେଖିଥିଲା। ପୁଲିସ ସେଠାରୁ ସମସ୍ତଙ୍କୁ ଗିରଫ କରିଥିଲା।

ପ୍ରଥମ ପସନ୍ଦ ଥାଇଲାଣ୍ଡ ଯୁବତୀ

ଗ୍ରାହକମାନଙ୍କ ପ୍ରଥମ ପସନ୍ଦ ଥିଲେ ଥାଇଲାଣ୍ଡ ଯୁବତୀ। ସେମାନଙ୍କ ପାଇଁ ଗ୍ରାହକମାନେ ମୋଟା ଅଙ୍କର ଟଙ୍କା ଦେବାକୁ ପଛାଉ ନଥିଲେ। ଏହାଛଡ଼ା କେତେକ ଗ୍ରାହକମାନେ ମହାରାଷ୍ଟ୍ର, କୋଲ୍‌କାତା, ଓଡ଼ିଶାର ଯୁବତୀଙ୍କ ପାଇଁ ମଧ୍ୟ ଅଗ୍ରୀମ ବୁକିଂ କରୁଥିଲେ। ଥରେ ମସାଜ୍‌ ପାଇଁ ୫ହଜାରରୁ ଆରମ୍ଭ କରି ୨୦ ହଜାର ପର୍ଯ୍ୟନ୍ତ ଟଙ୍କା ଦେଉଥିଲେ। ସେହିପରି ମହାରାଷ୍ଟ୍ର, କୋଲ୍‌କାତା, ଓଡ଼ିଶାର ଯୁବତୀଙ୍କଠାରୁ ମସାଜ ପାଇଁ ୨ହଜାରରୁ ଆରମ୍ଭ କରି ୮ରୁ ୧୦ ହଜାର ପର୍ଯ୍ୟନ୍ତ ଟଙ୍କା ଦେଉଥିଲେ। ସ୍ପା ପକ୍ଷରୁ ମଧ୍ୟ ଗ୍ରାହକଙ୍କୁ ସନ୍ତୁଷ୍ଟ ପାଇଁ ସବୁପ୍ରକାର ବ୍ୟବସ୍ଥା କରାଯାଉଥିଲା। ବିଶେଷକରି ଥାଇଲାଣ୍ଡର ଯୁବତୀମାନଙ୍କୁ କୋଲକାତାର ଏକ ସଂସ୍ଥା ମାଧ୍ୟମରେ ଅଣାଯାଉଥିଲା। ସେମାନଙ୍କୁ ମାସିକିଆ କଣ୍ଟ୍ରାକ୍ଟରେ ଅଣାଯାଉଥିଲା। ମାସ ସରିବା ପରେ ଥାଇଲାଣ୍ଡର ନୂଆ ନୂଆ ଯୁବତୀଙ୍କୁ ଯୋଗାଯୋଗ କରାଯାଉଥିଲା।

ବିଳାସପୂର୍ଣ୍ଣ ଘରକୁ ଉନ୍ନତମାନର ଶଯ୍ୟା


ଗ୍ରାହକମାନଙ୍କୁ ଖୁସି କରିବା ଓ ଓଡ଼ିଶାରେ ଥାଇଲାଣ୍ଡଭଳି ସେବା ଯୋଗାଇବା ପାଇଁ ସ୍ପା ଭିତରକୁ ଏକ ତାରକା ହୋଟେଲ୍‌ ଭଳି ସଜା ଯାଇଥିଲା। ଏହି ସ୍ପା ଭିତରେ ଥିବା ରୁମ୍‌ଗୁଡ଼ିକ ଜଣେ ଜେଣେ ଗ୍ରାହକଙ୍କ ପାଇଁ କରାଯାଇଥିଲା। ଏସି ଲଗିଥିବା ଏହି ରୁମ୍‌ରେ ଉନ୍ନତମାନର ଶଯ୍ୟା ସାଙ୍ଗକୁ ବ୍ଳୁ ଲାଇଟ୍‌ରେ ସଜା ଯାଇଥିଲା। ରୁମ୍‌ରେ ଥିବା ବାଥରୁମ୍‌ରେ ମଧ୍ୟ ଅତ୍ୟାଧୁନିକ ସାମଗ୍ରୀ ଲାଗିଥିଲା। ପରିବେଶକୁ ଏଭଳି କରାଯାଇଥିଲା ଯେ, ଗ୍ରାହକମାନେ ଥରେ ଅସିଲେ ବାରମ୍ବାର ଆସିବାକୁ ମନ ବଳାଇବେ।

ସେଣ୍ଟର୍‌ ମାଲିକକୁ ଖୋଜୁଛି ପୁଲିସ
ଅନ୍ୟପଟେ ପୁଲିସ ମସାଜ ସେଣ୍ଟର୍‌ ମାଲିକଙ୍କୁ ଗିରଫ ପାଇଁ ତନାଘନା ଜାରି ରଖିଛି। ସେ ଜଣେ ବିଶିଷ୍ଟ ବ୍ୟବସାୟୀ। ଏନେଇ ପୁଲିସ ତାଙ୍କ ବିଷୟରେ ଅଧିକ ଖୋଳତାଡ଼ ଜାରି ରଖିଛି। ଦୀର୍ଘ ବର୍ଷେ ହେବ ମାଲିକ ମସାଜ ସେଣ୍ଟର୍‌କୁ ଆସୁ ନାହାନ୍ତି ବୋଲି ସ୍ପା ସେଣ୍ଟର୍‌ର ମ୍ୟାନେଜର୍‌ କହିଛନ୍ତି। ସେ କେବଳ ମାସକୁ ମାସ ଲାଭାଂଶ ନେଉଛନ୍ତି।

ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ସ୍କିମ୍‌
ଗ୍ରାହକମାନଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଖବରକାଗଜରେ ବିଜ୍ଞାପନ ଦିଆଯାଉଥିବା ବେଳେ ସାମାଜିକ ଗଣମାଧ୍ୟମରେ ମଧ୍ୟ ଆକର୍ଷଣୀୟ ବିଜ୍ଞାପନ ଦିଆଯାଉଥିଲା। ଏପରିକି ଯୁବପିଢ଼ିଙ୍କୁ ଆକର୍ଷଣ କରିବାକୁ ବିଭିନ୍ନ ସ୍କିମ୍‌ ରହିଥିଲା। ମେମ୍ବରସିପ୍‌ ପାଇଁ ୧୯ଶହ ଟଙ୍କା, ପ୍ୟାକେଜ୍‌ ନେଲେ ଫ୍ରି ବ୍ୟବସ୍ଥା ଅଦି ସଂସ୍ଥା ଯୋଗାଉଥିଲା। ୧୦ ହଜାର ପ୍ୟାକେଜ୍‌ ନେଲେ ୧୧ଟି ମସାଜ୍‌। ସେହିପରି ୬ହଜାର ଟଙ୍କାରେ ୬ଟି ମସାଜ। ଯେତେ ଅଧିକ ପ୍ୟାକେଜ୍‌ ନେବେ ସେହି ହିସାବାରେ ମସାଜ ଫ୍ରି ମିଳୁଥିଲା। ଏହାଛଡ଼ା ଅନ୍ୟସେବା ପାଇଁ ଅଧିକ ଟଙ୍କା ଦେବାକୁ ପଡ଼ୁଥିଲା।

ସମ୍ବନ୍ଧିତ ଖବର