ଦିବ୍ୟାଙ୍ଗଙ୍କୁ ଅପହରଣ କରି ହ୍ଵିଲ୍‌ ଚେୟାରରେ ବାନ୍ଧି ଭିକ ମଗାଉଥିଲେ: ସୋସିଆଲ୍‌ ମିଡିଆରେ ଭିଡିଓ ଭାଇରାଲ୍‌ ହେବା ପରେ ଧରାପଡ଼ିଲା ଗ୍ୟାଙ୍ଗ୍‌

ଜୟପୁର : ରାଜସ୍ତାନ୍‌ର ଜୟପୁରରେ ଏକ ବଡ଼ ଘଟଣାର ଖୁଲାସା ହୋଇଛି । ସେଠାରେ ବିଭିନ୍ନ ସ୍ଥାନରେ ଭିକ ମାଗୁଥିବା ଦିବ୍ୟାଙ୍ଗଙ୍କ ଭିକ ମାଗିବା ପଛର ପ୍ରକୃତ କାରଣ ଏବେ ସାମ୍ନାକୁ ଆସିଛି । ଜୟପୁରରେ ସକ୍ରିୟ ଥିବା ରୋଜା ଗ୍ୟାଙ୍ଗ ଗାଁ ଓ ସହରର ପ୍ରତି କୋଣରୁ ଦିବ୍ୟାଙ୍ଗମାନଙ୍କୁ ଅପହରଣ କରି ଆଣି ସେମାନଙ୍କୁ ହ୍ଵିଲ୍‌ ଚେୟାରରେ ବାନ୍ଧି ଭିକ ମଗାଉଥିଲେ ବୋଲି ଅଭିଯୋଗ ହୋଇଛି ।

ଏହି କାମ ଅନେକ ଦିନରୁ ଚାଲି ଆସୁଥିବା ବେଳେ ଏହାର ପର୍ଦ୍ଦାଫାସ କରିଛନ୍ତି ଦିବ୍ୟାଙ୍ଗ ମହମ୍ମଦ ଅଲ୍ଲୀ । କିଛିଦିନ ଆଗରୁ ସହରରେ ଏଭଳି କାମ ଚାଲିଛି ବୋଲି ମହମ୍ମଦ ପୁଲିସକୁ ଜଣାଇଥିଲେ । ପୁଲିସ ମହମ୍ମଦଙ୍କଠାରୁ ଅଭିଯୋଗ ପାଇଁ ରୋଜା ଗ୍ୟାଙ୍ଗ ଉପରେ ଚଢ଼ଉ କରି ସମସ୍ତଙ୍କୁ ଗିରଫ ମଧ୍ୟ କରିଥିଲା । ପୁଲିସର ତୁରନ୍ତ ପଦକ୍ଷପ ପରେ ଏଭଳି ଆଗକୁ ଆଉ ହେବା ନାହିଁ ବୋଲି ମହମ୍ମଦ ଭାବିଥିଲେ । କିନ୍ତୁ କିଛି ଦିନ ପରେ ପୁଲିସର ଅସଲ ଚେହେରା ସେ ଦେଖିପାରିଥିଲେ । କୋତ୍‌ଓ୍ଵାଲି ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା ସତ । କିନ୍ତୁ ସେମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ କିଛି ସମୟ କଥା ହୋଇ ଅଭିଯୁକ୍ତମାନଙ୍କୁ ଛାଡ଼ି ଦେଇଥିଲା । ଖାଲି ସେମାନଙ୍କୁ ନୁହେଁ , ବନ୍ଦୀ ଥିବା ଦିବ୍ୟାଙ୍ଗମାନଙ୍କୁ ମଧ୍ୟ ପୁଲିସ ସେମାନଙ୍କ ସହ ଯିବାକୁ ଦେଇଥିଲା।

bhaskar.com

ଏକ ସ୍କୁଲ ଆଗରେ ହାତ ଗୋଡ଼ ବନ୍ଧା ହୋଇ ଭିକ ମାଗୁଥିବା ବେଳେ ରଫିକ୍‌ ନାମକ ଜଣେ ଯୁବକ ଉପରେ ସନ୍ଦେହ ହେବାରୁ ସେ ତାର ଅବସ୍ଥା ପଛର କାରଣ ପଚାରିଥିଲେ । ତା’ଠାରୁ ଅଲ୍ଲୀ ପୂରା ଘଟଣା ବିଷୟରେ ଜାଣିଥିଲେ । ନିଜ ବୁଦ୍ଧି ଖଟାଇ ସବୁ ଭିକାରିଙ୍କୁ ନେଇ ଏକ ଭିଡ଼ିଓ ତିଆରି କରି ସୋସିଆଲ ମିଡ଼ିଆରେ ଛାଡ଼ିଦେଲେ ଅଲ୍ଲୀ । ଭିଡ଼ିଓ ଭାଇରାଲ ହେବା ପରେ କୋତ୍‌ଓ୍ଵାଲି ପୁଲିସକୁ ଏ ନେଇ ପଚରା ଯାଇଥିଲା । ଘଟଣା ଉପରେ ପରଦା ପକାଇବାକୁ ଯାଇ ଏମିତି କିଛି ଘଟି ନାହିଁ ବୋଲି ବୟାନ ଦେଇଥିଲା ପୁଲିସ । ସେମାନଙ୍କୁ ପଚରଉଚରା ପରେ ସେମାନେ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଥିବାରୁ ଛାଡ଼ି ଦିଆଯାଇଥିଲା ବୋଲି କହିଥିଲା ପୁଲିସ୍‌।

ସମ୍ବନ୍ଧିତ ଖବର