ସହପାଠୀ ଦ୍ୱାରା ୪ ବର୍ଷୀୟା ବାଳିକାର ଦୁଷ୍କର୍ମ ଘଟଣା ନେଲା ନୂଆ ମୋଡ଼, ସିସିଟିଭିରେ ଖୁସି ଦିଶୁଛନ୍ତି ପୀଡ଼ିତା!

ନୂଆଦିଲ୍ଳୀ: ଦିଲ୍ଳୀର ଦ୍ୱାରକାସ୍ଥିତ ପୋସ୍‌ ମାକ୍ସପୋର୍ଟ ସ୍କୁଲ୍‌ର ଜଣେ ୪ ବର୍ଷୀୟା ବାଳିକାକୁ ସେହି ସ୍କୁଲ୍‌ରେ ପଢୁଥିବା ତା’ର ଜଣେ ସହପାଠୀ ବାଳକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ସେହି ଘଟଣା ଏବେ ନୂଆ ମୋଡ଼ ନେଇଛି। ଏ ସଂପର୍କରେ ସ୍କୁଲ୍‌ କର୍ତ୍ତୃପକ୍ଷ ଗୁରୁବାର ମତ ଦେଇଛନ୍ତି ଯେ ‘ନଭେମ୍ବର ୧୭ରେ ହୋଇଥିବା ଏପରି ଏକ ଅଭିଯୋଗ ପରେ ମାମଲାର ତଦନ୍ତ କରାଯାଇଥିଲା। ସ୍କୁଲ୍‌ ପରିସରରେ ଲାଗିଥିବା ସିସିଟିଭ ଫୁଟେଜ୍‌ ଯାଞ୍ଚ କରାଯାଇଥିଲା। ଯଦିଓ ଓ୍ଵାସ୍‌ରୁମ୍‌ ମଧ୍ୟରେ ସିସିଟିଭି ଲାଗିନାହିଁ, ତେବେ ଓ୍ଵାସ୍‌ରୁମ୍‌ରୁ ବାହାରିବା ବେଳେ ଉକ୍ତ ୪ ବର୍ଷୀୟା ବାଳିକାଟି ଖୁସି ଦିଶୁଥିବା ସିସିଟିଭିରେ ଦେଖିବାକୁ ମିଳିଛି। ଝିଅଟି ଯେହେତୁ ହସି ହସି ଅତ୍ୟନ୍ତ ସ୍ୱାଭାବିକ ଭାବେ ଆସୁଛି, ଏଥିରୁ ସ୍ପଷ୍ଟ ଯେ ତା’ସହ ସେପରି କିଛି ହୋଇନାହିଁ। ତାହା ଛଡ଼ା ହୋଇଥିବା ଅଭିଯୋଗ ସଂପୂର୍ଣ୍ଣ ଭିତ୍ତିହୀନ। କାହିଁକି ନା, ମହିଳା ଓ୍ଵାସ୍‌ରୁମ୍‌ରୁ ପୁରୁଷ ଓ୍ଵାସ୍‌ରୁମ୍‌ର ଦୂରତା ଅନେକ ବେଶି। ତେଣୁ କୌଣସି ପୁଅ ମହିଳା ଓ୍ଵାସ୍‌ରୁମ ଭିତରକୁ ଯିବା ଏକ ଅସମ୍ଭବ କଥା।’

ଉଲ୍ଳେଖଯୋଗ୍ୟ, ଗତ ଶୁକ୍ରବାର ଦିନ ୪ ବର୍ଷିୟା ଏହି ବାଳିକାଟି ଘରକୁ ଫେରି ନିଜ ଗୁପ୍ତାଙ୍ଗରେ କଷ୍ଟ ହେଉଛି ବୋଲି ମାଆଙ୍କୁ ଜଣାଇଥିଲା। ମାଆ ସେତେଟା ଗୁରୁତ୍ୱ ଦେଇ ନଥିଲେ। ଶନିବାର ଦିନ ଯନ୍ତ୍ରଣା ବଢ଼ିବାରୁ ମାଆ ତାଙ୍କୁ ଗୁପ୍ତ ଭାବେ ପଚାରିବାରୁ ଝିଅଟି କହିଥିଲା ଆଙ୍ଗୁଠି ଓ ପେନ୍‌ସିଲ୍‌ ଦ୍ୱାରା ଜଣେ ବାଳକ ତାଙ୍କୁ ଯୌନ ନିର୍ଯାତନା ଦେଇଥିଲା। ପରଦିନ ଝିଅଟିର ମାଆ ଏକ ଏଫ୍‌ଆଇଆର୍‌ ଲେଖାଇବା ସହିତ ଝିଅଟିର ଡାକ୍ତରୀ ମାଇନା କରାଇଥିଲେ। ତେବେ ଅଭିଯୁକ୍ତ ପୁଅର ବୟସ ମାତ୍ର ୪ ହୋଇଥିବାରୁ ମାମାଲାଟି ଅଦାଲତକୁ ଯିବ କି ନାହିଁ ଏଯାବତ୍‌ ସ୍ଥିର ହୋଇନାହିଁ।

ସମ୍ବନ୍ଧିତ ଖବର