ଶିଲା ମୃତ୍ୟୁ ମାମଲା : ଜେଲ୍ ଗଲା ଆମ୍ବୁଲାନ୍‌ସ ଡ୍ରାଇଭର

ଖଣ୍ତଗିରି : ଗତ ୧୦ ତାରିଖରେ ବିଜୟଲକ୍ଷ୍ମୀ ଗୋଛାୟତ ଓରଫ୍ ଶିଲା ମୃତ୍ୟୁ ମାମଲାରେ ଖଣ୍ତଗିରି ଥାନା ପୁଲିସ ଆମ୍ବୁଲାନ୍‌ସ ଚାଳକ ସେକ୍ ଅନୱର୍ ଓରଫ୍ କୁନାକୁ କୋର୍ଟ ଚାଲାଣ କରିଛି। ଜାମିନ୍ ନାମଞ୍ଜୁର ହେବାରୁ କୁନାକୁ ଝାରପଡ଼ା ଜେଲ୍ ହାଜତକୁ ପଠାଇ ଦିଆଯାଇଛି। ଆତ୍ମହତ୍ୟା ପାଇଁ କୁନା ପରୋକ୍ଷରେ ଶିଲାଙ୍କୁ ବାଧ୍ୟ କରିଥିବା ଅଭିଯୋଗରେ ପୁଲିସ ଏହି ପଦକ୍ଷେପ ଗ୍ରହଣ କରିଛି। ଘଟଣାଦିନ ରାତି ପ୍ରାୟ ୯ଟାବେଳେ ଖଣ୍ତଗିରିବାରି ବସ୍ତି ଲୋକେ ଶିଲାଙ୍କ ମୃତଦେହ ଥିବା ଏକ ଘରୋଇ ଆମ୍ବୁଲାନ୍‌ସ(ଓଡି୦୨ଜେଡ୍–୩୨୫୯)କୁ ଜୟଦେବ ବାଟିକା ରାସ୍ତାକଡ଼ରୁ ସନ୍ଦେହଜନକ ଅବସ୍ଥାରେ ଦେଖି ଘେରାଉ କରିଥିଲେ। ସେତେବେଳେ ଆମ୍ବୁଲାନ୍‌ସରେ କେବଳ ଡ୍ରାଇଭର୍‌ କୁନାକୁ ଛାଡ଼ିଦେଲେ ଅନ୍ୟ କେହି ନଥିଲେ। ବସ୍ତି ଲୋକେ ଶିଲାଙ୍କ ମୃତ୍ୟୁକୁ ନେଇ ପ୍ରଶ୍ନ କରିବାରୁ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ। ତେଣୁ ବସ୍ତି ବାସିନ୍ଦାଙ୍କ ସନ୍ଦେହ ହୋଇଥିଲା ଓ ସେମାନେ କୁନାକୁ ଅଟକ ରଖି ଖଣ୍ତଗିରି ଥାନାକୁ ଖବର ଦେଇଥିଲେ। ଉଲ୍ଲେଖଯୋଗ୍ୟ ଯେ ଦୀର୍ଘ ବର୍ଷ ଧରି ସ୍ବାମୀଙ୍କଠାରୁ ଅଲଗା ରହୁଥିବା ଶିଲା ଏକ ଘରୋଇ ହସ୍ପିଟାଲରେ ପେସେଣ୍ଟ୍‌ କେୟାର୍‌ ଟେକର୍‌ ଭାବେ କାମ କରୁଥିଲେ। ସେହି ହସ୍ପିଟାଲ୍‌ରେ କୁନା ଆମ୍ବୁଲାନ୍‌ସ ଡ୍ରାଇଭର ଭାବେ କାମ କରୁଥିଲେ। ବସ୍ତିବାସିନ୍ଦାଙ୍କ ସୂଚନାନୁସାରେ କୁନା ବହୁ ସମୟରେ ଶିଲାଙ୍କ ଘରକୁ ଯିବାଆସିବା କରେ। ତେଣୁ ଶିଲାଙ୍କ ଶବ କୁନା ଆମ୍ବୁଲାନ୍‌ସରୁ ମିଳିଥିବାରୁ ଏହା ପଛରେ ବଡ଼ ଧରଣର ରହସ୍ୟ ରହିଛି ବୋଲି ବସ୍ତି ବାସିନ୍ଦାମାନେ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର